Unknown

 

 

 

 

 

 

 

 

 

କଟକରେ ଚାରିଦିନ

ଚିନ୍ତାମଣି ମହାନ୍ତି

 

ଉତ୍କଳ-ସାହିତ୍ୟ ସମାଜର ଆହ୍ୱାନମତେ ସେପ୍‌ଟେମ୍ବର ୨୩ ତାରିଖରେ ମୋର କଟକ ଯିବା ସ୍ଥିର ହେଲା । ସୋମନାଥ ଓ ଉପେନ୍ଦ୍ର ମୋର ଶରୀର ରକ୍ଷକରୂପେ ସଙ୍ଗରେ ଯିବାକୁ ବାହାରିଲେ । ସେମାନେ ସବୁଦିନେ ମୋତେ ନାବାଳକଶ୍ରେଣୀରେ ନିଅନ୍ତି । ପଞ୍ଚଷଠୀବର୍ଷୀୟ ଅଜ୍ଞାତ ଶିଶୁ ପକ୍ଷରେ ଅଭିଭାବକ ନ ହେଲେ ଚଳିବ ବା କିପରି ? ପୁଣି କଟକ ପରି ସୁଦୂର ସ୍ଥାନକୁ ଯିବାକୁ ହେବ ! ଏକାବେଳକେ ଦେଶାନ୍ତର କିମ୍ବା ଦ୍ୱୀପାନ୍ତର ତୁଲ୍ୟ; କିନ୍ତୁ କଟକ ଯେ ଦ୍ୱାର ଆଗରେ, ରେଲରେ ଦୁଇତିନି ଘଣ୍ଟାର ବାଟ, ଏହା ସେମାନେ ବିସ୍ମୃତ ହୋଇଗଲେ । ଜାମାତା ଶ୍ରୀମାନ୍ ମୀନକେତନ ଡାକ୍ତର । ସେ କହିଲା–ଆପଣଙ୍କର ଜୀର୍ଣ୍ଣଭଗ୍ନ ଦେହ, ମୋର ସଙ୍ଗରେ ଯିବା ଉଚି‌ତ । ଡାକ୍ତରମାନେ ସବୁବେଳେ ବୁଢ଼ାଙ୍କର ହାର୍ଟଫେଲର ଆଶଙ୍କା କରନ୍ତି । ଏ ସ୍ୱପ୍ନ ତାର ସ୍ୱଭାବସିଦ୍ଧ ଧାରଣା ଏବଂ ପୋଥିଗତ ବିଦ୍ୟା । କାଳେ ବାଟରେ ମୋର ଜୀର୍ଣ୍ଣଦେହଟା ଭାଙ୍ଗିପଡ଼ିବ, ସେଥିପାଇଁ ଯୋଡ଼ାଯୋଡ଼ି କରିବାର ହାତହତିଆର ଏବଂ ଔଷଧ ପେଡ଼ି ଧରି ଯିବାକୁ ସେ ପ୍ରସ୍ତୁତ ହେଲା । ଦୁଇଦିନର ଛୁଟି ମଧ୍ୟ ମଞ୍ଜୁର କରାଇ ଆଣିଲା; କିନ୍ତୁ ହଠାତ୍ ଗୋଟାଏ ଦୈବୀଘଟଣାବଶତଃ ତାହାର ଯିବା ବନ୍ଦ ହେଲା । ମୋର ଭ୍ରାତୁଷ୍ପୁତ୍ର ଶ୍ରୀନାଥ ସମସ୍ତଙ୍କ ପାଖରେ କହି ବୁଲିଲା,‘‘ମୁଁ ନ ଗଲେ ବାବାଙ୍କର ଭୟାନକ ଅସୁବିଧା ହେବ, ସର୍ବାଗ୍ରେ ମୋର ଯିବା ଉଚିତ ।’’ କେବଳ ଉଚିତ ବୋଲି କହିଥିଲା, ‘ଭୟାନକ ଉଚିତ’ ବୋଲି କହି ନାହିଁ–ଏତିକି ସୌଭାଗ୍ୟର କଥା-। କୈଶୋର ବୟସ୍କ ବାଳକର ଏ ଉଦ୍‌ବେଳ ଆଗ୍ରହ ଏକାବେଳକେ ପୂର୍ଣ୍ଣ କରିଦେବାକୁ ମୋର ପ୍ରବୃତ୍ତି ହେଲା ନାହିଁ । ଯାହାହେଉ, କି ଭୟାନକ ସୁବିଧା କରିବା ପାଇଁ ସେ ସୁଦ୍ଧା ସଙ୍ଗରେ ଯିବାକୁ ବାହାରିଲା । ଏଠାରେ ମୁଖ୍ୟ ଉଦ୍ଦେଶ୍ୟ ଉହ୍ୟ; ମାତ୍ର ଗୌଣ ପ୍ରତ୍ୟକ୍ଷୀଭୂତ । ଏ ସଂସାର ବଡ଼ ଚତୁର । ଦୁଇ ତିନି ଦିନ ଚଳିବା ଭଳି ଲୁଗାପଟା ପ୍ରଭୃତିର ଗୋଟାଏ ପକେଟ ସଂସ୍କରଣ ବୁଜୁଳା ବନ୍ଧାହେଲା । ଅନାବଶ୍ୟକ ସମ୍ଭାରଗୁଡ଼ାଏ ଘେନି ବିଦେଶକୁ ଯିବା, ଆଉ ବିବିଧ ଜଞ୍ଜାଳଯନ୍ତ୍ରଣାକୁ ସମାଦରପୂର୍ବକ କାଖେଇ କୁଣ୍ଢେଇ ମୁଣ୍ଡେଇ କରିନେବା ଏକ କଥା । ତାହା ନିଜର ସୁବିଧାକୁ ନିଜେ ତଣ୍ଟି ଚିପି ମାରିବାର ବ୍ୟବସ୍ଥା । ଉତ୍ତରରୁ ପାସେଞ୍ଜର ଗାଡ଼ି ଦିନ ୯ଟାରେ ଭଦ୍ରକ ଷ୍ଟେସନରେ ଆସି ପହଞ୍ଚିବ, ସୁତରାଂ ତତ୍‌ପୂର୍ବରୁ ସେଠାରେ ଯାଇ ଉପସ୍ଥିତ ଥିବା ଆବଶ୍ୟକ । ଜଣେ ପାଚକ ସହ ସମସ୍ତେ ଗୋଟାଏ ମଟରରେ ବସି ଠିକ୍ ଆଠଟାବେଳେ ଘରୁ ବାହାରିଲୁଁ । ଦେବଯାନ ଖଣ୍ଡି ପଁ-ପଁ ଶବ୍ଦରେ ମରୁତ୍ କ୍ରିୟା କରି କରି ଭୀଷଣ ଦୈତ୍ୟ ପରି ପ୍ରଖର ଗତିରେ ଧାବିତ ହେଲା । ଯଥାସମୟରେ ଯାଇ ଷ୍ଟେସନରେ ପହଞ୍ଚିଲୁ । ସୋମନାଥ ଯାଇ ଇଣ୍ଟର କ୍ଲାସ୍‍ର ଟିକଟ କିଣିଆଣିଲା । ଥାର୍ଡକ୍ଲାସର ଟିକଟ ହୋଇଥିଲେ ବି ଚଳିଥାନ୍ତା; ମାତ୍ର ଲୋକଗହଳର ଜକାଜକିରେ ମୋର କଷ୍ଟ ହେବ ବୋଲି ବାଧ୍ୟହୋଇ ଇଣ୍ଟରକ୍ଲାସ୍‌ର ଟିକଟ କିଣିବାକୁ ହେଲା । କିଛିକ୍ଷଣ ପରେ ‘‘ତାକୁ ଡାକ୍-ତାକୁ ଡାକ୍’’ ଶବ୍ଦ କରି କରି ଷ୍ଟେସନରେ ରେଳଗାଡ଼ି ଆସି ପହଞ୍ଚିଲା । ଶେଷରେ ‘‘ଖଟାଂ-ଖଟ୍’’ କହି ସ୍ଥିର ହୋଇ ଶାନ୍ତିର ଖରଶ୍ୱାସ ଛାଡ଼ିବାକୁ ଲାଗିଲା । ସିଗ୍ନଲାର ଆଖ୍ୟଧାରୀ ସେବକବୃନ୍ଦ ଆସି ଲାଲ ପତାକା ଧରି କ୍ଳାନ୍ତ ରେଳଗାଡ଼ି ସାଆନ୍ତଙ୍କର ବ୍ୟଜନ ସେବାରେ ନିଯୁକ୍ତ ହୋଇଗଲେ । ଆମ୍ଭେମାନେ ସମସ୍ତେ ଯାଇ ରେଳରେ ବିଜେହେଲୁଁ । ରେଳଷ୍ଟେସନଗୁଡ଼ିକ ଯମଦ୍ୱାର ପରି ନିରାଟ ନିର୍ମମ ସ୍ୱାର୍ଥର ସ୍ଥାନ । ସେଠାରେ କେହି କାହାର ନୁହେ ସମସ୍ତେ ନିଜ ପାଇଁ ବ୍ୟସ୍ତ । ଯାତ୍ରୀ ଗହଳରେ ଗୋଟାଏ ତୁମୁଳ କୋଳାହଳ ଜାଗ୍ରତ ହୋଇଉଠିଲା । ‘‘ଗରମ୍ ଦୁଧ, ଗରମ୍ ଚା, ଗରମାଗରମ୍ ଜିଲେପି’’ ଶବ୍ଦରେ ସେ କୋଳାହଳ ଆହୁରି ପୃଥୁଳ ହୋଇଉଠିଲା । ସବୁ ଦୋକାନୀ ଗରମ୍ ଗରମ୍ ରଡ଼ି ଛାଡ଼ିଥାଆନ୍ତି; କେବଳ କଦଳୀ ବିକାଳିମାନେ କଥାଟା ଅସଙ୍ଗତ ହେବ ବୋଲି ଗରମ୍ କଦଳୀ ନ କହି ‘କେଲା କେଲା’ ବୋଲି ଚିତ୍କାର ଛାଡ଼ିଥାଆନ୍ତି । ସେଠାରେ ସବୁବେଳେ ମହଙ୍ଗା କାଳ, ପଇସାକର ପଦାର୍ଥ ତିନି ପଇସାରେ, ସମୟବିଶେଷରେ ତତୋଽଧିକ ମୂଲ୍ୟରେ ବିକ୍ରୟ ହୁଏ । ବେପାରୀମାନେ ଆଞ୍ଜୁଳା ଆଞ୍ଜୁଳା ଟଙ୍କା ରେଲ କୋମ୍ପାନୀକୁ କର ଦେଇ ଶସ୍ତାରେ କିପରି ବିକିବେ । ସେଥିରେ କୋମ୍ପାନୀର ଦୋଷ ନାହିଁ କି ବିକ୍ରେତାର ଦୋଷ ନାହିଁ–ସବୁ ଦୋଷ ସେହି ହତଭାଗ୍ୟ ନନ୍ଦିଘୋଷ ଯାତ୍ରୀମାନଙ୍କର । ସେମାନେ ନାନା ପ୍ରକାରରେ କୋମ୍ପାନୀର ଧନଭଣ୍ଡାର ବଢ଼ାଇବା ପାଇଁ ଜନ୍ମ ହୋଇଅଛନ୍ତି । ପେଟ ରୂପ ଦୁର୍ଦ୍ଦାନ୍ତ, ଅତୃପ୍ତ ରାକ୍ଷସଟିକୁ ତ ପୋଷିଅଛନ୍ତି, ତାକୁ ସନ୍ତୋଷ ନ କଲେ କି ଚାରା ଅଛି ? କାନ ମୁଣ୍ଡ ଆଉଁସି ଝକ୍‌ମାରି ଝାଳବୁହା ଧନର ଅପବ୍ୟୟ କରିବାକୁ ସେମାନେ ଏକାନ୍ତ ବାଧ୍ୟ । ତାହା ସେମାନଙ୍କର କପାଳଲେଖା ଅବ୍ୟର୍ଥ ଶାସ୍ତି ।

 

ରେଲ ଛାଡ଼ିବାକୁ ପ୍ରାୟ ତିନି ମିନିଟ୍ ଅଛି, ଏହି ସମୟରେ ମୋର ନାତୁଣୀ ଉଷା ନରବାହନରେ ଆସି ଉପସ୍ଥିତ । ଆମ୍ଭେମାନେ ଘରୁ ବାହାରିଆସିଲା ପରେ ସେ ବଡ଼ ଉପଦ୍ରବ କଲା । ସେହି ହେତୁ ତାକୁ ଷ୍ଟେସନକୁ ପଠାଇଦିଆହୋଇଥିଲା । ଉଷା ଆସି ରେଲରେ ବସିଲା, ତେତିକିବେଳୁ ମୋର ସ୍ୱାଧୀନତା ଅଧେ ଚୂର୍ଣ୍ଣ ହେଲା । ସର୍ବଦା ତାହା ପ୍ରତି ସତର୍କ ଦୃଷ୍ଟି ରଖିବାକୁ ହେଲା । ତାହାର ବାପ ଓ ସୋମନାଥ ଦୁହେଁ ଉପସ୍ଥିତ ଅଛନ୍ତି, ମୁଁ ଅବା ସେମାନଙ୍କଠାରୁ ଅଧିକ କଅଣ କରିପାରିବି ? ତଥାପି ମାୟା ମୋତେ ସେହି ଆଡ଼କୁ ଆକର୍ଷଣ କରିନେଲା । ରେଲଗାଡ଼ି ଚାଲିଲା, ଆଉ ଉଷାକୁ ସମ୍ଭାଳେ କିଏ ? ତିନିବର୍ଷର ଶିଶୁ, ସେ କି କଥା ମାନିବ ? ଗାଡ଼ି ଭିତରେ ମଲ୍ଲିଫୁଲ ପରି ଫକ୍ ଫକ୍ ହୋଇ ନାଚି ବୁଲିଲା, କରତାଳିବାଦ୍ୟ, ସଙ୍ଗୀତ ବି ଆରମ୍ଭ ହେଲା; ଗାଡ଼ି ଝରକା ଉପରେ ଠିଆହୋଇ ନାଚିବାକୁ ଉଦ୍ୟତ ହେଲା । ଚଳନ୍ତା ଗାଡ଼ିରେ ତାହାର ଉଗୁରି ଦେଖି ମୋତେ ବଡ଼ ଭୟ ବୋଧହେଲା । ଷ୍ଟେସନମାନଙ୍କରେ ଯାହା ଯାହା ବିକ୍ରି ହେଉଥାଏ–ଯେତେ ଫୁଲ ଫୁଟିଥାଏ, ସବୁ ସେ ନେବାକୁ ଇଚ୍ଛାକଲା । ସାହେବ ଦେଖି ଭାରି ଖୁସି ! ଏଇ ସାଇବ, ଏଇ ସାଇବ କହି ତାଳି ମାରିବାକୁ ଲାଗିଲା । ମୋତେ ପଚାରିଲା- ସାଇବ କଅଣ ବାପା ? ମୁଁ କହିଲି, ମଣିଷ । ପୁଣି ପ୍ରଶ୍ନ ହେଲା–ମଣିଷ କଅଣ ? ଏ ପ୍ରଶ୍ନର ଉତ୍ତର କଅଣ ଅଛି ? ଏହିପରି ଅସଙ୍ଗତ ଅଡ଼ୁଆ ପ୍ରଶ୍ନରେ ମୋତେ ବ୍ୟତିବ୍ୟସ୍ତ କରିପକାଇଲା । ଘରର କାହାରି କଥା ଆଉ ତା ମନରେ ରହିଲା ନାହିଁ । କଦଳୀ, ପୁରୀ, ରସଗୋଲା ପ୍ରଭୃତିର ସଦ୍‌ବ୍ୟବହାରରେ ଲାଗିରହି ସେ କାହାରି କଥା ମନେ କରିବାକୁ ଅବସର ପାଇଲା ନାହିଁ । ଷ୍ଟେସନ ପରେ ଷ୍ଟେସନ ଅତିକ୍ରମ କରି ରେଲଗାଡ଼ି ରାଜବିଜେ ଛବି ଅନୁକରଣ କରି ଚାଲିଥାଏ । ଦୁଇପାଖର ବୃକ୍ଷଶ୍ରେଣୀ ଖରଗତିରେ ଆସି ରାଜଭକ୍ତ ପ୍ରଜା ପରି ଶାଖା-କର ଯୋଡ଼ି, ଶିର ନୁଆଇଁ ନମସ୍କାର କରି ଚାଲି ଯାଉଥାଆନ୍ତି । ରାଜା ଉଦାର, ସେ କେଉଁ ଆଡ଼କୁ ନ ଚାହିଁ ଗମ୍ଭୀର ହୋଇ ଚାଲିଥାଏ । ପକ୍ଷୀମାନେ ରେଲଗାଡ଼ି ସଙ୍ଗରେ ପ୍ରତିଯୋଗିତା କରିବାକୁ ଆସି ଖଣ୍ଡେ ଦୂରରୁ ପରାସ୍ତ ହୋଇ ଫେରିଯାଉଥାଆନ୍ତି ; କେତେକ କ୍ଳାନ୍ତ ହୋଇ ଗଛ ଉପରେ ବସିପଡ଼ୁଥାଆନ୍ତି । ଶ୍ୟାମକାନ୍ତ ଧାନ୍ୟକ୍ଷେତ୍ର ଧରଣୀ ମସ୍ତକରେ କେଶ ପ୍ରାୟ ଶୋଭା ପାଉଥାଏ । ମଧ୍ୟରେ ମଧ୍ୟରେ ଲଘୁଧାନ କଟାସରିଥିବାରୁ କିଆରିଗୁଡ଼ିକ ବୃଥା ଅବନୀ ମସ୍ତକରେ ଚାନ୍ଦୁଆ ପଡ଼ିଲା ପରି ଦିଶୁଥାଏ । ବହୁସ୍ତରଯୁକ୍ତ ଦୂର ପର୍ବତଶେଣୀ ସୁଦ୍ଧାଥୀ ଦାନବ ପ୍ରାୟ ଧାଇଁଥାଆନ୍ତି । ସତେ ଯେପରି କଳିଯୁଗର ହନୁମାନ ପର୍ବତମାଳ କୁଣ୍ଢେଇ ମୁଣ୍ଡେଇ ସମୁଦ୍ର ପୋତିବାକୁ ଧାଇଁଅଛି । ପର୍ବତଚାରୀ ଗୋଯୂଥ ନୀଳ ହ୍ରଦରେ ରାଜହଂସ ସନ୍ତରଣ କଲା ପ୍ରାୟ ସୁନ୍ଦର ଦିଶୁଥାଏ । ହର୍ଷବିଷାଦର କ୍ରୀଡ଼ା ପରି ପର୍ବତ ଉପରେ ରୌଦ୍ର ଓ ଛାୟାର ମହାକ୍ରୀଡ଼ା ଲାଗିଥାଏ । କେବେ ହର୍ଷ ବିଷାଦକୁ ଗିଳିଦେଉଅଛି, କେବେ ବିଷାଦ ହର୍ଷକୁ ଗିଳିଦେଉଅଛି, ପୁଣି ଦୁହେଁ ଦୁହିଙ୍କୁ ଉଦ୍‌ଗାର କରି ପକାଉଥାଆନ୍ତି–ଏହିପରି ଅଦ୍ଭୁତ ଚିତ୍ତହର କୁହୁକ ସର୍ବଦା ଲାଗିଥାଏ । ଗିରିଚୂଡ଼ାରେ ଶୁଷ୍କ ମେଘ ଲାଗିରହି ଧ୍ୟାନ ସମାଧିମଘ୍ନ ଯୋଗୀ କପାଳରେ ଊର୍ଦ୍ଧ୍ୱପୁଣ୍ଡ୍ର ଚିତା ପ୍ରାୟ ସୁନ୍ଦର ଦିଶୁଥାଏ । ଛାୟା ଆଲୋକର କ୍ରୀଡ଼ା କି ସୁନ୍ଦର ଦୃଶ୍ୟ ! ସତେ ଯେପରି ମହାଯୋଗୀ ଗିରି କ୍ଷଣ କ୍ଷଣକେ ଆଖି ବୁଜି କ୍ଷଣ କ୍ଷଣକେ ଚାହିଁ ଦେଉଅଛି ଅଥବା ହସିଦେଇ କି ଅଜ୍ଞାତ କାରଣରୁ ମୁହଁ କୁସୁଣ୍ଡା କରି ବସୁଥାଏ । ଲୀଳାମୟୀ ପକୃତିର ଏ ବିଚିତ୍ର ଲୀଳା କୌତୁକ ବଡ଼ ସୁନ୍ଦର, ବଡ଼ ମଧୁର ଏବଂ ଗଭୀର ଭାବପ୍ରଦ । ତାହା ଭାବୁକର ଅମୂଲ୍ୟ ସମ୍ପଦ ଏବଂ ଦର୍ଶକର ଉଲ୍ଲାସର ଉପାଦାନ । ଛବିଳା ପ୍ରକୃତି କ୍ଷଣ ପରିବର୍ତ୍ତନଶୀଳା ! ତାହା ହୋଇ ନ ଥିଲେ ଏ ଜ୍ୱାଳାମୟ ସଂସାର ମରୁଭୂମିରେ ମାନବର ଦଗ୍‌ଧ ପ୍ରାଣ ତିଷ୍ଠି ପାରନ୍ତା ନାହିଁ । ବିଧାତା ତାଙ୍କ ସୃଷ୍ଟ ଜୀବକୁ ଆନନ୍ଦ ଦେବା ସକାଶେ ସୃଷ୍ଟିକୁ ବୈଚିତ୍ର୍ୟମୟ କରିଅଛନ୍ତି । ବୈଚିତ୍ର୍ୟ ନ ଥିଲେ ସୃଷ୍ଟି ଏକବାଗିଆ ଶୋଭାରେ ଆନନ୍ଦ ଜାତ କରିପାରନ୍ତା ନାହିଁ । ଯେଉଁ ସୌନ୍ଦର୍ଯ୍ୟରେ ବୈଚିତ୍ର୍ୟର ଲୀଳା-ବିଳାସ ତରଙ୍ଗ ନ ଉଠେ, ସେ ସୌନ୍ଦର୍ଯ୍ୟ ଦୃଷ୍ଟିକଟୁ । ଏହା ସୃଷ୍ଟିର ବାହାର ସୌନ୍ଦର୍ଯ୍ୟର କଥା, ଅନ୍ତର ସୌନ୍ଦର୍ଯ୍ୟ ଭାବୁକ ଛଡ଼ା ଅନ୍ୟର ନିରୁପଭୋଗ୍ୟ ।

 

ବ୍ରାହ୍ମଣୀ ପୋଲ ଉପରେ ରେଲ ଗାଡ଼ି ଶଙ୍ଖ ବଜାଇ ବଜାଇ ଅଗ୍ରସର ହେଲା । ସେଦିନ ବ୍ରାହ୍ମଣୀରେ ପ୍ରବଳ ବନ୍ୟା ମାଡ଼ି ଆସୁଥାଏ । ଜଳସ୍ରୋତ ସଚଳ ଲତା ପରି ବହୁ ଶାଖା ପ୍ରଶାଖା ବିସ୍ତାର କରି ଦ୍ରୁତଗତିରେ ଚାଲିଥାଏ । ଜଳଭଉଁରୀ ସେ ଲତାରେ ଅସଂଖ୍ୟ ଫୁଲ ଫୁଟାଇଦେଇ ବିଲୀନ ହୋଇଯାଉଥାଏ । ଯେଉଁଠାରେ ଗଭୀର ଜଳ, ସେଠାରେ ଶବ୍ଦ ନାହିଁ । ସ୍ୱଳ୍ପ ବିଦ୍ୟା ଭୟଙ୍କରୀ ପରି ଅଳ୍ପ ଜଳର ଗର୍ଜନ ଭାରୀ । ପୋଲ ତଳର ଦୃଶ୍ୟ ଯେଉଁପରି ସୁନ୍ଦର, ସେହିପରି ଭୟଙ୍କର । ପାଣି ଭିତରେ କିଏ କଅଣ ଅଧୀର ଉଦ୍‌ବେଗରେ ଦରାଣ୍ଡି ଖୋଜିଲା ପରି ତଳପାଣି ଉପରକୁ ଏବଂ ଉପର ପାଣି ତଳକୁ ଗତି କରି ଭୀଷଣ ଜଳଚକ୍ର ସୃଷ୍ଟି କରୁଥାଏ । ସତେ ଯେପରି ଗଙ୍ଗାଦେବୀ ଅତି ଆତୁରରେ ଭାଗୀରଥୀକୁ ଖୋଜି ବୁଲୁଅଛନ୍ତି । ଜୀବନ ସ୍ରୋତରେ ଘଟଣାରାଶି ପରି କେତେ ଆବର୍ଜନା ଭାସି ଆସୁଥାଏ । ବ୍ରାହ୍ମଣୀ ବିକଟ ଫେନହାସ୍ୟ ବିସ୍ତାର କରି ରଣରଙ୍ଗିଣୀ ବେଶରେ ଗର୍ଜି ଗର୍ଜି ଧାଇଁଅଛି । କେଉଁଠାରେ ମଧୁର କୁଳୁ କୁଳୁ ଶବ୍ଦରେ ହୁଳହୁଳି ଦେଉଅଛି, କେଉଁଠାରେ ଗଭୀର ଘୋ ଘୋ ଶବ୍ଦରେ ପ୍ରଳୟ ଶଙ୍ଖ ବଜାଉଅଛି, କେଉଁଠାରେ ବା ଧୁ ଧୁ ଶବ୍ଦରେ ଦିଗ ପ୍ରତିଧ୍ୱନିତ କରୁଅଛି । ବେଳେ ବେଳେ ପବନ ହୁ-ହୁ ଶବ୍ଦରେ ଧାଇଁ ଆସି କି ପ୍ରେମବାଣୀ ତାହା କାନରେ କହିଦେଇ ଚୋର ପରି ତୀର ବେଗରେ ତୀର ଆଡ଼କୁ ଛୁଟି ପଳାଇଯାଉଅଛି । ତରଙ୍ଗିଣୀ ସେ ଗୁପ୍ତ କଥା ଶୁଣି କର୍ କର୍‍ ହୋଇ ହସି ହସି ଆହ୍ଲାଦରେ ଖଣ୍ଡ ଖଣ୍ଡ ହୋଇ ଫାଟିପଡ଼ୁଅଛି । ସେ ପ୍ରେମିକ ପ୍ରେମିକାଙ୍କର ସଙ୍କେତ ବାଣୀ ଅନ୍ୟର ଅବୋଧ୍ୟ । ତାହା ପ୍ରେମ-ରାଜ୍ୟର ସ୍ୱତନ୍ତ୍ର ଭାଷା, ଅପ୍ରେମୀ ମାନବର ସେ ଭାଷା ବୁଝିବା ସାଧ୍ୟାତୀତ । ଉତ୍କୂଳା ତଟିନୀ ଏହିପରି ରୁଦ୍ର, ସୁନ୍ଦର, ମଧୁର ତାଣ୍ଡବ ଲୀଳା ସୃଷ୍ଟି କରି ଚାଲିଅଛି, ଥରେ ହେଲେ ପଛକୁ ଲେଉଟି ଚାହିଁବାକୁ ନାହିଁ । ତାହା ମହାଜନର ସ୍ୱଭାବ-ସୁଲଭଧାରୀ, ଲକ୍ଷ୍ୟ ଦିଗ ଛଡ଼ା ସେମାନେ ଅନ୍ୟ ଦିଗକୁ ଚାହାନ୍ତି ନାହିଁ । ଶୀତଶୀର୍ଣ୍ଣା ନାଗୁଣୀ ସୂକ୍ଷ୍ମସୂତ୍ର ପ୍ରାୟ ନିର୍ଜୀବ ଅବସ୍ଥାରେ ପଡ଼ିରହିଥାଏ; ମାତ୍ର ବସନ୍ତର ମଳୟ ଅମୃତ ପାନ କରି ଶରୀର ଫୁଲାଇ ଫଣା ଟେକି ଗର୍ଜିଉଠେ । ବ୍ରାହ୍ମୀ ସେହିପରି ଅତି ଶୀର୍ଣ୍ଣ ହୋଇ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା; ମାତ୍ର ବର୍ତ୍ତମାନ ତାହାର ରୁଦ୍ର ପ୍ରତାପରେ ତୀରଭୂମି ପ୍ରକମ୍ପିତ । ଅପ୍ରତିହତପ୍ରଭାବ କାଳ କଅଣ ନ କରେ ? ତାହାର ଜଟିଳ କୁଟିଳ ଗତିରେ ପ୍ରବଳ ପରିସିଷ୍ଟ ହୋଇ ମରେ ଏବଂ ମୃତକଳ୍ପ ଦୁର୍ବଳ ନବଜୀବନ ପାଇ ପ୍ରତାପବନ୍ତ ଦୁର୍ଦ୍ଧର୍ଷ ହୋଇଉଠେ । ଉତ୍‌ଥାନ ପତନ ସମସ୍ତଙ୍କ ଜୀବନରେ ଲାଗି ରହିଅଛି । ଏପରି ଦୃଶ୍ୟମାନ ସୃଷ୍ଟି ଉତ୍‌ଥାନ ପତନରେ ଗଢ଼ା । ମନୁଷ୍ୟ ନିଜ ଅବସ୍ଥାର ଅସ୍ଥାୟିତ୍ୱ ଜାଣି ସୁଦ୍ଧା ଦୁର୍ବଳ ଉପରେ ହସ୍ତୋତ୍ତୋଳନ କରିବାକୁ ସଙ୍କୁଚିତ ବା ଲଜ୍ଜିତ ହୁଏ ନାହିଁ–ଏହାହିଁ ଆଶ୍ଚର୍ଯ୍ୟ । ଏ ଭଙ୍ଗୁର ଦଗଧ ସଂସାର କି ଅଦ୍ଭୁତ ଭୋଳା ମହେଶ୍ୱର ! ତାହାର ଏ ଘଡ଼ିର କଥା ଆର ଘଡ଼ିକୁ ମନରେ ଥାଏ ନାହିଁ ।

 

ଗାଡ଼ି ଯାଇ ଜେନାପୁର ଷ୍ଟେସନରେ ବିଶ୍ରାମ ନେଲା । ବାଷ୍ପୀୟରଅ ସେଠାରେ ଅପେକ୍ଷାକୃତ ଅଧିକ ସମୟ ରହେ । ସେଠାରେ ପ୍ରବଳ ବର୍ଷା ଆରମ୍ଭ ହେଲା । ମୂଷଳଧାରାରେ ପାଣି ଢାଳି ପକାଇଲା । ସେହିଠାରୁ ଧାନଚାଷ ଭଲ ହୋଇଥିବାର ଦେଖାଗଲା । ଭଦ୍ରଖଠାରୁ ସେ ପର୍ଯ୍ୟନ୍ତ ଧାନଗଛ ଉଧାଇପାରି ନାହିଁ । ସ୍ଥାନେ ସ୍ଥାନେ ହିଡ଼ଠାରୁ ଧାନଗଛ ଉଚ୍ଚ ହୋଇପାରି ନାହିଁ । ଏବର୍ଷ ଏହିପରି ଖଣ୍ଡପାଳକ । ପ୍ରକୃତିର ମୁକ୍ତ ଅବିନ୍ୟସ୍ତ କେଶ ପରି ମଧ୍ୟରେ ମଧ୍ୟରେ ଆଖୁକ୍ଷେତ୍ର ଫର୍ ଫର୍ ହୋଇ ଉଡ଼ୁଅଛି । ତାହା ଚାରି ପାଖରେ ଧାନ୍ୟକ୍ଷେତ୍ର ଚୂର୍ଣ୍ଣକୁନ୍ତଳର ଶୋଭା ଧାରଣ କରିଅଛି । ରେଲସଡ଼କର ଦୁଇପାଖ ନାଳରେ ପଦ୍ମ, କୁମୁଦ, କହ୍ଲାରର ବିସ୍ତୃତ ବନ; ତାହା ପୁଷ୍ପରେ ପୂର୍ଣ୍ଣହୋଇ ରହିଅଛି । ପବନ ତାହାର ମଧୁର ଆମୋଦ ବହିଆଣି ରେଳଯାତ୍ରୀମାନଙ୍କୁ ବିତରଣ କରୁଅଛି । ପର ପଦାର୍ଥରେ ଦାତାଷଣ୍ଢ ବୋଲାଇବା ପବନର ସ୍ୱଭାବସିଦ୍ଧ ଧର୍ମ; ତେଣୁ ଦାନରେ କୃପଣତା ନାହିଁ । ରାଜସୂୟଯଜ୍ଞରେ ମହାରାଜ ଯୁଧିଷ୍ଠିରଙ୍କର ଧନଭଣ୍ଡାର ଈର୍ଷାଳୁ କୁଟିଳ ଦୁର୍ଯ୍ୟୋଧନ ଯଥେଷ୍ଟ ଦାନ କଲା ପରି ସେ ବହୁହସ୍ତରେ ଅନର୍ଗଳ ସୁରଭିସମ୍ପଦ ଦାନ କରୁଅଛି । ଦୁଇ ପାଖରେ ଚକ୍ରବାଳବ୍ୟାପୀ ବିସ୍ତୃତ ଧାନ୍ୟକ୍ଷେତ୍ର, ପଦ୍ମବନର ଶୋଭା-ସୌରଭ ଉପଭୋଗ କରିବାକୁ ସେଠାରେ କେହି ନାହିଁ, ତାହା ଶୂନ୍ୟରେ ମିଳାଇଯାଉଅଛି । ଅସ୍ଥାନରେ ଗୁଣୀର ପ୍ରତିଭାର ଆଦର ବ୍ୟର୍ଥ ହେଲା ପରି ଉପଯୁକ୍ତ ଗ୍ରାହକ ଅଭାବରେ ସେ ମୋହନ ମାଧୁରୀ, ସେ ମଧୁର କୋମଳ ଆମୋଦ ନୀରବଭାବରେ ହାହାକାର କରି ବ୍ୟଥାର ଅଶ୍ରୁ ବିସର୍ଜନ କରୁଅଛି । ପ୍ରାନ୍ତରବିହାରୀ ପଶୁପକ୍ଷକୁଳ ଭାଗ୍ୟବାନ୍ । ସେହିମାନେ ସେ ଦୁର୍ଲଭ ସ୍ୱର୍ଗୀୟ ସମ୍ପଦ କିଛି କିଛି ଉପଭୋଗ କରୁଅଛନ୍ତି; କିନ୍ତୁ ସେ ସମ୍ପଦର ମୂଲ୍ୟ ବୁଝିପାରୁଛନ୍ତି କି ନାହିଁ, ତାହା କିଏ କହିପାରିବ-? ଯାହା ହେଉ, ମନୁଷ୍ୟଠାରୁ ସେମାନଙ୍କର ଆସନ ବହୁ ଊର୍ଦ୍ଧ୍ୱରେ । ଯେହେତୁ ଦେବଭୋଗ୍ୟ ପଦାର୍ଥର ଅପ୍ରତିଦ୍ୱନ୍ଦୀ ଅଧିକାରୀ ସେହିମାନେ । ଦେବତା ଅଭାବରେ ମହାର୍ହ ମଣିରତ୍ନଖଚୀ ସୁବର୍ଣ୍ଣଦେଉଳ ଆଲୋକବୈରୀ ଦୂରନ୍ତ ଚିମଣୀ ଓ ବୁଢ଼ୀଆଣି ପ୍ରଭୃତି ଇତର କୀଟପତଙ୍ଗଙ୍କର ଉପଭୋଗ୍ୟ ହୁଏ–ହାୟ, ଏହାହିଁ ବିଧାତାର ବିଚିତ୍ର ବିଧାନ । ପଦ୍ମବନ ସରୋଜାସୁନ୍ଦରୀର ସ୍ୱୟସ୍ୱରସଭା; ବିବାହାର୍ଥୀ ରାଜପୁତ୍ର ତୁଲ୍ୟ ବହୁଭ୍ରମର ସେଠାରେ ସମବେତ ହୋଇଅଛନ୍ତି; ମାତ୍ର ସମସ୍ତେ କୁରୂପ, ତେଣୁ ରାଜନନ୍ଦିନୀର କେହି ମନୋମତ ହେଉ ନାହାନ୍ତି–ସେ ବାୟୁ ସଞ୍ଚାଳନ ଛଳରେ ନାହିଁ ନାହିଁ କହି ମୁଣ୍ଡ ହଲାଉଅଛି । ତଥାପି ନିର୍ଲଜ୍ଜ ଭ୍ରମର ଗୁଣୁ ଗୁଣୁ ସ୍ୱରରେ ସାଧ୍ୟ ସାଧନାରେ ନିଯୁକ୍ତ । ତାହା ଦେଖି ସଭାର ଦ୍ୱାରପାଳ ପବନ ‘ଦୂର ଦୂର’ କହି ଗର୍ଜି ଗର୍ଜି ସେମାନଙ୍କୁ ଗଳଥା ଦେଇ ଘଉଡ଼ାଇ ଦେଉଅଛି । ଭ୍ରମର ଶିଶୁପାଳର ଦଶା ଲାଭ କରି କ୍ଷୁଣ୍ଣମନରେ ପତ୍ର ଉପରେ ବସିପଡ଼ୁଅଛି; କିନ୍ତୁ କୁରୂପ ହେଲେ କଅଣ ହେବ, ସେ ତ ରସିକଶେଖର ରସଟୋପାକ ଭୋଭରେ ସେ ସବୁ ଲାଞ୍ଛନା-ଅପମାନ ଭୁଲିଯାଇ ଟାକିବସିଅଛି । ତାହାର ଅଭିମାନ ନାହିଁ, ଅପମାନ ତିରସ୍କାର ତାହା ପକ୍ଷରେ ମଧୁର ପୁରସ୍କାର । ‘‘ସୁରସିକ ବୁଝେ ରସର ସମ୍ମାନ, ମାନ ଅପମାନ ତାଠାରେ ସମାନ’’–ଇତି ସ୍ୱୟମ୍ବର ଅଧ୍ୟାୟ ।

 

ଗଡ଼ ମଧୁପୁର ଷ୍ଟେସନ ପାରହୋଇ ରେଲଶକଟ ଅଗ୍ରସର ହେଲା । ଦୂରରୁ ମଧୁପୁରଦୁର୍ଗ ଗରିସୁନ୍ଦରୀର ହୀରକମେଖଳା ପ୍ରାୟ ସୁନ୍ଦର ଦିଶୁଥାଏ । ମଧୁପୁରରାଜ୍ୟର ଭୂମି ଖୁବ୍ ଉର୍ବରା । ସରଯୂତୀରରେ ଅଯୋଧ୍ୟା ପ୍ରାୟ ବ୍ରାହ୍ମଣୀତୀରରେ ମଧୁପୁର ଦୁର୍ଗ ରମଣୀୟ ସୁଷମାମଣ୍ଡିତ ବୋଲି ଶୁଣିଅଛି । ମୁଁ ମଧୁପୁର ରାଜଧାନୀ ଦେଖି ନାହିଁ । ରେଲଗାଡ଼ିରେ ବସି ଦୁର୍ଗର ଅସ୍ପଷ୍ଟ ଦୂରଶୋଭା ଦେଖିଅଛିମାତ୍ର । ଇତିମଧ୍ୟରେ ରେଲଗାଡ଼ି ମହାବିନାୟକ ପର୍ବତର ପାଦମୂଳରେ ଚାଲିଲା । ପର୍ବତଟି ଦର୍ପଣରାଜ୍ୟର ମାରାଗ ମହୁଡ଼ ପ୍ରାୟ ତିର୍ଯ୍ୟକ୍ ଭାବରେ ଉଠିଯାଇଅଛି । ତାହା ଯେପରି ଦୂରାରୋହ, ସେହିପରି ନିଘଞ୍ଚ ଅରଣ୍ୟାନୀ ଭୀଷଣ । ବିନାୟକ ପର୍ବତ ଉତ୍କଳର ପ୍ରସିଦ୍ଧ ଗାଣପତ୍ୟ କ୍ଷେତ୍ର; ଶିବରାତ୍ରିରେ ସେଠାରେ ବିରାଟ ମେଳା ବସେ । ହରିଦାସପୁର ଷ୍ଟେସନ ପାଖରୁ ପର୍ବତ ମୂଳଯାଏ ସଡ଼କ ଅଛି । ଉତ୍ସବ ସମୟରେ ସେଠାରୁ ମୋଟର ଯାତାୟାତ କରେ । ବହୁଦୂରରୁ ଯାତ୍ରୀମାନେ ଆସନ୍ତି । ପର୍ବତ ଉପରକୁ ଉଠିବା ସକାଶେ ପାବଚ୍ଛ ବନ୍ଧାହୋଇଅଛି । ରେଲ ଯାଇ କପିଳାସ ରୋଡ଼ ଷ୍ଟେସନରେ ପହଞ୍ଚିଲା । ତାହାର ଅନତିଦୂରରୁ ତାଳଚେରକୁ ଶାଖା ରେଲ ସଡ଼କ ଯାଇଅଛି । ଏହି ରେଲପଥ ଯୋଗୁଁ ମୋଗଲବନ୍ଦି ଓ ଗଡ଼ଜାତ ମଧ୍ୟରେ ବାଣିଜ୍ୟର ବିଶେଷ ସୁବିଧା ହୋଇଅଛି । କପିଳାସ ପର୍ବତ ଉତ୍କଳର ସୁପ୍ରସିଦ୍ଧ ଶୈବପୀଠ । ସେଠାର ଜଳବାୟୁ ଅତି ସ୍ୱାସ୍ଥ୍ୟପ୍ରଦ । ଝର ଜଳ ସୁପ୍ରାଚ୍ୟ । କପିଳାସ ଉତ୍କଳର ଦାର୍ଜଲିଙ୍ଗ ଆଖ୍ୟାପ୍ରାପ୍ତ ହେବା ଉଚିତ ।

 

ଜେନାପୁରରେ ଯେଉଁ ପ୍ରବଳ ବର୍ଷା ହୋଇଥିଲା, ତାହା ବହୁଦୂରବ୍ୟାପୀ ନୁହେ । ଖଣ୍ଡେଦୂରଯାଏ ନବାର୍ଣ୍ଣବ ସୃଷ୍ଟି କରିଗଲା । ବିଲ, ଖାଲ, ପ୍ରାନ୍ତରସବୁ ଜଳମୟ । ଧାନ କିଆରୀରେ ହିଡ଼ ବୁଡ଼ି ପାଣି ଚାଲିଥାଏ; କିନ୍ତୁ ତେଣିକି ଶୁଖିଲା ଠକ୍ ଠକ୍ । ପ୍ରଚଣ୍ଡ ଖରାରେ ମୁଣ୍ଡ ଫାଟିଯାଉଥାଏ । ରେଲଗାଡ଼ି ଗ୍ରାମପ୍ରାନ୍ତର, ଶସ୍ୟକ୍ଷେତ୍ର ପାରହୋଇ ମହାନଦୀ ପୋଲ ଉପରେ ଚାଲିଲା । ନଦୀରେ ବନ୍ୟା ଛାଡ଼ିଯାଇଥାଏ । ପଠା ତଣ୍ଡିବୁଦାରେ ଫୁଲ ଫୁଟି ବଡ଼ ବାହାର ଦେଖାଯାଉଥାଏ । ସତେ ଯେପରି ଜରତୀ ତପସ୍ୱିନୀ ଚିତ୍ରୋତ୍ପଳାର ଶୁଷ୍କକେଶଗୁଚ୍ଛ ଫର ଫର ହୋଇ ଉଡ଼ୁଅଛି । ଜୁଣ ବୁଦାଗୁଡ଼ିକ ଶ୍ୟାମଗୁମର ଢାଳି ତପଃକ୍ଳିଷ୍ଟା ମହାନଦୀର ଶରୀର ଶୀତଳ କରୁଥାଏ । ଜଳରାଶି ଆନିକଟ ଡେଇଁ ଅପୂର୍ବକ୍ରୀଡ଼ାରେ ମାତିଥାଏ । ତାହାର ଝର୍ଝର ଶବ୍ଦ, ପୋଲର ଘୋ ଘୋ ଶବ୍ଦ ମିଶି ହାଟବଜାରର କୋଳାହଳ ସୃଷ୍ଟି କରୁଥାଏ । ପଠାଚାରୀ ଗୋରୁପଲ ମଧ୍ୟରୁ ଯେଉଁମାନେ ନିର୍ଭୟ, ସେମାନେ କେଉଁଆଡ଼କୁ ନ ଚାହିଁ ଉଦର ସେବାରେ ନିଯୁକ୍ତ ଥାଆନ୍ତି; ଅର୍ଦ୍ଧଭୀତଗୁଡ଼ିକ ତୃଣାହାର ଛାଡ଼ି ଏକଧ୍ୟାନରେ ରେଲଗାଡ଼ି ଆଡ଼କୁ ଚାହିଁ ରହିଥାଆନ୍ତି । କେତେ ତରକା ଗୋରୁ ଭୟରେ ପୁଚ୍ଛ ଟେକି ଇତସ୍ତତଃ ଧାବମାନ ହେଉଥାଆନ୍ତି; ଖଣ୍ଡେ ଦୂର ଯାଇ ପଛକୁ ନେଉଟି ଚାହିଁ ବିକଟ କରୁଣ ଚିତ୍କାର ଛାଡ଼ି ପୁଣି ଧାଇଁଥାଆନ୍ତି । ସତେ ଯେପରି ରେଲଗାଡ଼ି ସେମାନଙ୍କୁ ଗିଳିପକାଉଛି । ରେଲଗାଡ଼ି କୃଷ୍ଣଧୂମ୍ରରାଶି ଉଦ୍‌ଗାର କରି ରାଜେନ୍ଦ୍ର ଗମନରେ ଅଗ୍ରସର ହେଉଥାଏ; ବେଳେ ବେଳେ କୋଇଲାଗୁଣ୍ଡରେ ଫଗୁଖେଳ ଖେଳୁଥାଏ । ଦୁଇ ପାଖକୁ ଚାହିଁବାର ଉପାୟ ନାହିଁ । କୋଇଲାଗୁଣ୍ଡ ଚକ୍ଷୁର ପୀଡ଼ା ଉତ୍ପାଦନ କରୁଥାଏ । ଆରୋହୀମାନଙ୍କର ନେତ୍ର ବିନା ଶୋକଦୁଃଖରେ ଅଶ୍ରୁସଜଳ ହୋଇ ଉଠୁଥାଏ ।

 

ଗାଡ଼ି ଯାଇ ଫଁକରି ଦୀର୍ଘନିଃଶ୍ୱାସଟାଏ ଛାଡ଼ି କଟକ ଷ୍ଟେସନରେ ଠିଆହେଲା । ସେଦିନ ଶୁକ୍ରବାର, ମୋ ରାଶିର ଘାତବାର; କିନ୍ତୁ ମୁଁ ଅକ୍ଷତ ଶରୀରରେ ନିରାପଦ ଭାବରେ ଯାଇ କଟକରେ ପହଞ୍ଚିଲି । ଘାତବାର କିଛି ଆଘାତ କରିପାରିଲା ନାହିଁ । ମୁଁ ଚିରକାଳ ଏହିପରି ଚୋର ହାତରେ କଞ୍ଚିକାଠି ସମର୍ପଣ କରି ନିଶ୍ଚିନ୍ତ ହୁଏ । ଘାତବାର, ଘାତତିଥି, ଘାତନକ୍ଷତ୍ର, ଘାତଚନ୍ଦ୍ରରେ ମୁଁ ଯାତ୍ରା କରେ । ମୋର ବିଶ୍ୱାସ- ଚୋର ହାତରେ ଚାବିକାଠି ଦେଲେ ସେ ଚୋରି କରିବାର ସୁବିଧା ପାଇବ ନାହିଁ, କଲେ ଦାୟିତ୍ୱ ତାହାରି ମୁଣ୍ଡରେ ପଡ଼ିବ, ସୁତରାଂ ସେ ଚୋରି କରିବ କେଉଁ ସାହସରେ ? ଭଗବାନ ମଙ୍ଗଳମୟ, ତାଙ୍କ ମଙ୍ଗଳନାମ ସ୍ମରଣ କଲେ ଅମଙ୍ଗଳ ଭୟରେ ଦୂରରୁ ଜୁହାର ହୋଇ ବାଟ ଛାଡ଼ି ପଳାଇଯିବ । ଭଗବାନଙ୍କର ନାମ ଜ୍ୱଳନ୍ତ ଅଗ୍ନି । ସେଥିରେ ତୁଳାକୁଢ଼ା ପରି ମହା ଅମଙ୍ଗଳ ବି ଭସ୍ମ ହୋଇ ଉଡ଼ିଯିବ । ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି ଘରୁ ବାହାରିପଡ଼ିଲେ ଦୂର୍ବାର ଅମଙ୍ଗଳ ସୁଦ୍ଧା ମଙ୍ଗଳ ପାଲଟିଯିବ–ଏହା ମୋର ମୂଢ଼ ବିଶ୍ୱାସ ବୋଲି କେହି କେହି କହିପାରନ୍ତି; ମାତ୍ର ସେହି ମୂଢ଼ ବିଶ୍ୱାସ ମୋତେ ଯଥେଷ୍ଟ ମଙ୍ଗଳ ଆଣିଦିଏ–ଏହା ମୋର ଅନୁଭୂତିର କଥା । ଯାହାକୁ ଡରିବ, ସେ ଦୁର୍ବଳ ମଣି ନିଶ୍ଚୟ ଡରାଇବ; ମାତ୍ର ନ ଡରିଲେ ଭୀମ ପରି ପ୍ରବଳ ସୁଦ୍ଧା ପାଖ ପଶିବାକୁ ସାହସୀ ହେବ ନାହିଁ । ବିପଦକୁ ନ ଡରି ତାହା ଆଗରେ ଛାତି ପତାଇଦେବା ସିନା ବୀରର କାର୍ଯ୍ୟ । ମୁଁ ତାହାହିଁ କରି କ୍ଷୀଣ ଦୁର୍ବଳ ହୋଇ ସୁଦ୍ଧା ବୀରର ଗୌରବ ଉପଭୋଗ କରେ । ପାଞ୍ଜିର ପୃଷ୍ଠା ଘାଣ୍ଟି ଯାତ୍ରାଦିନ ଖୋଜିବସିଲେ ଜୀବନରେ ଯାତ୍ରାର ପୂର୍ଣ୍ଣ ଅନୁକୂଳ ଦିନ ଦୁଇ ଚାରିଟା ମିଳିବ କି ନାହିଁ ସନ୍ଦେହ । କାର୍ଯ୍ୟ କରିବା ଦୂରେ ଥାଉ, ଯାତ୍ରାର ଶୁଭଦିନ ଖୋଜୁଁ ଖୋଜୁଁ ପରମାୟୁ ଶେଷ ହୋଇଯିବ । ଶୁଭଦିନକୁ ଅପେକ୍ଷା କରୁ କରୁ ଜୀବନର ସନ୍ଧ୍ୟା ଆସିଯିବ । ମୁନିଋଷି ବନରେ ବାସ କରନ୍ତି । ସେମାନେ ହିଂସ୍ରଜନ୍ତୁଙ୍କୁ ଡରନ୍ତି ନାହିଁ ବୋଲି ହିଂସ୍ରଜନ୍ତୁ ତାଙ୍କର କିଛି ଅନିଷ୍ଟ କରିପାରନ୍ତି ନାହିଁ; ଅଧିକନ୍ତୁ ଦେଖିଲେ ପଳାଇଯାଆନ୍ତି । ଶାରୀରିକ ବଳ ପ୍ରଧାନ ବଳ ନୁହେ–ସାହସହିଁ ପ୍ରଧାନ ବଳ; ସାହସ ଅଭାବରେ ବାହୁବଳ କ୍ଳୀବତ୍ୱ ପ୍ରାପ୍ତହୁଏ । ସାହସ ଦୈହିକ ଶକ୍ତିର ପ୍ରାଣ, ସାହସହିଁ ମହା ଦୁର୍ବଳକୁ ବଳବାନ୍ କରେ–ଭୀରୁକୁ ମହାବୀର ଆଖ୍ୟାରେ ମଣ୍ଡିତ କରେ । କବି ଯଥାର୍ଥ ଗାଇଛନ୍ତି–‘‘ଯାହା ଥାଉ ଭାଗ୍ୟେ କେବଳ ସାହସ ମୋର ସମ୍ବଳ, ସାହସୀକୁ ଦେବେ ଅନୁକୂଳ ହୋଇ ଦିଅନ୍ତି ବଳ ।’’ କବିଙ୍କର ଏ ଅମର ସତ୍ୟ ବୀରବାଣୀ ଦୁର୍ବଳର ଶକ୍ତି । ଏହି ମହାବାଣୀ ଦୁର୍ବଳ ଶରୀରରେ ଗୋଟାଏ ଦୁର୍ଜୟ ଶକ୍ତି ଆଣି ପୂରାଇଦିଏ ।

 

ଗାଡ଼ି ଷ୍ଟେସନରେ ପହଞ୍ଚିଲାକ୍ଷଣି ଜଣେ ରେଲପାଇକ ତାରକମନ୍ତ୍ର ଜପ କଲା ପରି ‘କଟକ, କଟକ, କଟକ’ ସ୍ୱର ଧରି ଘୋଷିହେଲା । ଓହ୍ଲାଇବା ଯାତ୍ରୀମାନେ ତାହା ଶୁଣି ବ୍ୟସ୍ତ, ଚଞ୍ଚଳ ହୋଇଉଠିଲେ । କିଏ ସୁଖନିଦ୍ରା ଭୋଗ କରୁଥିଲା, କିଏ ବସିଥିଲା, କିଏ ଖୁସି ଗପ କରୁଥିଲା, ସମସ୍ତେ ସେହି ଶବ୍ଦରେ ଜାଗ୍ରତ ହୋଇ ଠିଆହେଲେ । ସଂସାରରେ ମନୁଷ୍ୟ ମାୟାମୋହରେ ଜଡ଼ିତ ହୋଇ ଆତ୍ମବିସ୍ମୃତି ଗର୍ଭରେ ନିଶ୍ଚିନ୍ତରେ ସୁଖ-ସ୍ୱପ୍ନ ଦେଖୁଥାଏ । ଆର ପାଖରୁ ମହାଦରବାରର ଅବ୍ୟର୍ଥ ଡାକରା ଶୁଣିଲେ ତାହାର ବିସ୍ମୃତ ବିଭୋର ନିଦ୍ରା ହଠାତ୍ ଭାଙ୍ଗିଯାଏ । ସେ ଚେଇଁ ଉଠି ଅଧୀର ବ୍ୟାକୁଳ ହୃଦୟରେ ଦରବାରରେ କଲମୀଇଜାହାର ଦେବା ପାଇଁ ପ୍ରସ୍ତୁତ ହୁଏ । ତହୁଁ ଅଣ୍ଡାଳି ସାଉଣ୍ଟି ପାଥେୟ ଯାହା ପାଏ, ତାହା ଘେନି ଧାଏଁ । ଯାହାର ପାଥେୟ କିଛି ନ ଥାଏ, ସେ ଖାଲିହାତରେ ଯାଏ । ଓହ୍ଲାଇବା ଲୋକମାନେ ସେହିପରି ଖରହସ୍ତରେ ବୁଜୁଳା ବୁଜୁଳି ଧରି ଗାଡ଼ିରୁ ଓହ୍ଲାଇପଡ଼ିଲେ । ଯାହାର କିଛି ନ ଥିଲା, ସେ ତୁଛା ଶୂନ୍ୟହସ୍ତରେ ଓହ୍ଲାଇଗଲା । ଓହ୍ଲାଇଲାକ୍ଷଣି ତପ୍ତବୈତରଣୀ ପାର କରିଦେବା ପାଇଁ କର୍ଣ୍ଣଧାରରୂପୀ ଗାଡ଼ିଆଳମାନେ ଆସି ଶିକାର ଧରିବାରେ ଲାଗିଗଲେ । ‘ବାବୁ ସିକିନ୍ କ୍ଲାସ ଗାଡ଼ି ବାବୁ ସିକିନ୍ କ୍ଲାସ ଗାଡ଼ି’ କହି ଉତ୍ତରକୁ ପ୍ରତୀକ୍ଷା ନ କରି ଟ୍ରଙ୍କ, ବୁଜୁଳା ପ୍ରଭୃତି ହାତରୁ ଜବରଦସ୍ତି ଛଡ଼ାଇନେଇ ଗାଡ଼ିରେ ରଖିଦେଲେ । ବାବୁମାନେ ତାହା ପଛେ ପଛେ ଧାଇଁଲେ । ଗାଡ଼ି ପାଖରେ ପହଞ୍ଚିଲାକ୍ଷଣି ବାବୁ ବିଷ୍ଣୁଲୋକକୁ ଯିବେ କି ଶିବଲୋକକୁ ଯିବେ କିମ୍ବା ଗୌରବ-କୁମ୍ଭୀପାକ ସ୍ୱର୍ଗକୁ ଯିବେ, ତାହା ପଚାରିନେଇ ବାବୁଙ୍କୁ ଗାଡ଼ିରେ ବସାଇ ଅଶ୍ୱିନୀକୁମାରଙ୍କ ପୃଷ୍ଠରେ ସପାସପ୍ ପୁରସ୍କାର ଦେବାକୁ ଲାଗିଲେ । ସେମାନେ ହ୍ରେଷାରବ କରି ଧାବିତ ହେଲେ । ଓଜର ଆପତ୍ତି କଲେ ଅତିରିକ୍ତ ପୁରସ୍କାର ମିଳିବ, ସୁତରାଂ ବିନା ଆପତ୍ତିରେ ଅଶ୍ୱ ଭାଷାରେ ‘ଯେ ଆଜ୍ଞା ହଜୁର’ କହି ବିକୃତ ମୁଖରେ ଖଳିନ ଚର୍ବଣ କରି କରି ଦୌଡ଼ିବାକୁ ଲାଗିଲେ ଏବଂ ମନେ ମନେ ନିଜର ପ୍ରଭୁଙ୍କୁ ଆଶୀର୍ବାଦ କରିବାକୁ ଭୁଲିଲେ ନାହିଁ । ବୋଧହୁଏ କହିଲେ–‘‘ହେ ଧର୍ମାବତାର ପ୍ରଭୁ, ଜନ୍ମାନ୍ତରରେ ତୁମ୍ଭେ ଆମ୍ଭ ଜାତି ହୁଅ, ଆଉ ଆମ୍ଭେ ତୁମ୍ଭ ଜାତି ହେଉଁ ।’’ ସିକିନ୍‌କ୍ଲାସ ଉପାଧିଧାରୀ ଗାଡ଼ି ଧଡ଼ଧଡ଼ ଖଡ଼ଖଡ଼ ଶବ୍ଦରେ ମନଫୁଲଣା ସଙ୍ଗୀତ ଆବୃତ୍ତି କରି କରି ଅଗ୍ରସର ହେଲା । ଯାହାର ପାଥେୟ ନାହିଁ, ସେ ପାଦ ବାହନରେ ଧୀରେ ଧୀରେ ଚାଲିଲା । ଦେବଦୁର୍ଲ୍ଲଭ ବାବୁ ଉପାଧି ତାହା ଭାଗ୍ୟରେ ଘଟିଲା ନାହିଁ । ଭାଗ୍ୟଂ ଫଳତି ସର୍ବତ୍ର, ନତୁବା ଅର୍ଥଂ ଫଳତି ସର୍ବତ୍ର । ମୁଁ ରେଳଗାଡ଼ିରେ ବସି ଏ ଦୃଶ୍ୟ ଦେଖୁଥାଏ । ସମସ୍ତେ ଓହ୍ଲାଇଗଲା ପରେ ଗହଳି ଭାଙ୍ଗିଲେ ମୁଁ ପଛରେ ଓହ୍ଲାଇବି, ଏହାହିଁ ମୋର ଉଦ୍ଦେଶ୍ୟ । ରେଲ ଗାଡ଼ିରେ ଆଗରେ ଚଢ଼ି ପଛରେ ଓହ୍ଲାଇବା ନୀତିଶାସ୍ତ୍ରର ଧାରା । ଯୁବକମାନେ ଏ ଧାରା ମାନନ୍ତୁ ବା ନ ମାନନ୍ତୁ; ମାତ୍ର ବୃଦ୍ଧମାନେ ମାନିବାକୁ ବାଧ୍ୟ, ନଚେତ୍ ବିପଦ ଅନିବାର୍ଯ୍ୟ । ପ୍ଲାଟଫର୍ମରେ ସାଇନବୋର୍ଡ଼ଧାରୀମାନେ ଦଳ ଦଳ ହୋଇ ଟହଲୁଥାନ୍ତି । ରେଲ କୋମ୍ପାନୀ ବାହାଦୁରଙ୍କ ପ୍ରସାଦରୁ କୁଲି, ବେପାରୀ, କର୍ମଚାରୀ ଓ କାନ୍ଥବାଡ଼ ପର୍ଯ୍ୟନ୍ତ ସମସ୍ତ ସାଇନ୍‌ବୋର୍ଡ଼ ଅଳଙ୍କାରରେ ଅଳଙ୍କୃତ । କାହା ମସ୍ତକରେ ମୁକୁଟରୂପେ, କାହା ବକ୍ଷରେ କୌସ୍ତୁଭ ପଦକରୂପେ, କାହା ବାହୁରେ ବାଜୁରୂପେ ସାଇନବୋର୍ଡ଼ ଶୋଭା ପାଉଅଛି ।

 

ସୋମନାଥ କୁଲି ଡାକି ମାଲପତ୍ର ଓହ୍ଲାଇନେଇ ଶେଷ ମାଲ ମୋତେ ଓହ୍ଲାଇନେବାକୁ ଆସିଲା । ତେତେବେଳେ ପ୍ରାୟ ଦେଢ଼ଟା ସମୟ । ପ୍ରଚଣ୍ଡ ମୁଣ୍ଡଫଟା ଖରା । ଛଳନାମୟୀ ମରୀଚିକା ଚାରିଆଡ଼େ ବିଭୀଷିକା ବିସ୍ତାର କରି ଖେଳୁଅଛି । ଦୂରକୁ ଚାହିଁଲେ ଆଖି ବୁଜିପଡ଼ୁଅଛି, ସେଥିପ୍ରତି ଭ୍ରୂକ୍ଷେପ ନ କରି ସେ ପ୍ରଖର ଖରା-ସ୍ରୋତ ସନ୍ତରଣ କରି ସାହିତ୍ୟ-ସମାଜର ସମ୍ପାଦକ ବନ୍ଧୁବର ଶ୍ରୀଯୁକ୍ତ ଶଶିଭୂଷଣ ରାୟ, ସହକାରୀ ସମ୍ପାଦକ ଶ୍ରୀଯୁକ୍ତ ଶରତ୍‌ଚନ୍ଦ୍ର ମୁଖର୍ଜି ଓ କେତେ ଜଣ ପ୍ରବୀଣ ସାହିତ୍ୟକ ଆସି ପୂର୍ବରୁ ଷ୍ଟେସନରେ ଅପେକ୍ଷା କରିଥିଲେ । ମୋର ଓହ୍ଲାଇବା ପୂର୍ବରୁ ସେମାନେ ଆସି ଗାଡ଼ିଦ୍ୱାରରେ ଉପସ୍ଥିତ । ଓହ୍ଲାଇବାକ୍ଷଣି ଶଶୀବାବୁ ଗୋଟାଏ ଫୁଲହାର ଗଳାରେ ପିନ୍ଧାଇଦେଲେ । ଶଶୀବାବୁ କବିପୁତ୍ର, ନିଜେ ମଧ୍ୟ କବି, ଫୁଲହାରଟି ସୁଦ୍ଧା କବିଚାତୁରୀରେ ରଚିତ ହୋଇଥିଲା । ତାହା ନୀରବ କବିତା କଳା-କୌଶଳରେ ପୂର୍ଣ୍ଣ । ତହିଁପରେ ସ୍ୱାଗତ ସମ୍ଭାଷଣ, ନମସ୍କାର ଆଦାନ ପ୍ରଦାନ ଲାଗିଲା । ଖରାରେ କଷ୍ଟ ସହି ତାଙ୍କର ଆସିବାର ଆବଶ୍ୟକତା ନ ଥିଲା ବୋଲି ମୁଁ କହିବାରୁ ଶଶୀବାବୁ ହସି ହସି କହିଲେ- ‘‘ଆପଣ ଶିଷ୍ଟାଚାର ଦେଖାଉଅଛନ୍ତି କି ? ତାହା ମୋର କର୍ତ୍ତବ୍ୟ; ମୁଁ କର୍ତ୍ତବ୍ୟ ପାଳନ କରିବାକୁ ଆସିଅଛି ।’’ ଏହା ଶୁଣି ମୋର ମୁଖ ବନ୍ଦ ହୋଇଗଲା । ଏହା ହେଲା ମୁଖ ବନ୍ଦ ମନ୍ତ୍ର । କର୍ତ୍ତବ୍ୟର ନାମ ଧରିଲାରୁ ଆଉ ଉତ୍ତର ବା କଅଣ ଅଛି ? ବୁଢ଼ାକାଳରେ ଫୁଲମାଳ ବେକରେ ପକାଇବାକୁ ବାସ୍ତବରେ ମୋତେ ବଡ଼ ଲଜ୍ଜା ବୋଧହେଲା । ମାଳଟି ବାହାର କରି ପଳାଇବାକୁ ସାହସ ମଧ୍ୟ କୁଳାଇଲା ନାହିଁ । ତାହା ହେଲେ ବନ୍ଧୁବରଙ୍କୁ ଅପମାନ ହେବ । କଅଣ କରିବି, ବାଧ୍ୟ ହୋଇ ସେଥିରୁ କ୍ଷାନ୍ତ ହେବାକୁ ପଡ଼ିଲା । ଉଷା ପାଖରେ ଥିଲେ ତାକୁ ପିନ୍ଧାଇଦେଇଥାନ୍ତି, ମାତ୍ର ସେ ଯାଇ ଷ୍ଟେସନର ଫୁଲଗଛର ପତ୍ର ଓ ଫୁଲ ଛିଣ୍ଡାଇବାରେ ବ୍ୟସ୍ତ ଥାଏ । ମୁଁ ତାହା କଥା ଭାବୁଥାଏ; କିନ୍ତୁ ସେ ମୋତେ ଭୁଲିଯାଇଥାଏ । ସେ ତାହାର ପିତା, ପିତୃବ୍ୟ ଓ ସାନ ପିତାମହଙ୍କ ସ୍ନେହର ତ୍ରିବେଣୀଧାରାରେ ମଗ୍ନ । ମୋତେ ବା ଖୋଜିବ କାହିଁକି ? ମୋର ବି ଗୋଟାଏ ଶିକ୍ଷା ହେଲା, ମୁଁ ଶ୍ମଶାନ ପଥର ଯାତ୍ରୀ, ତଥାପି ସଂସାର ମାୟାରୁ ମୁକ୍ତ ନୁହେ । ସେ ତ ଅଜ୍ଞାନ ଶିଶୁ, ମାୟା ଛୁଇଁବ କାହିଁକି ? ତାହାର ଶିଶୁବୁଦ୍ଧି ମୋ ଭଳି ବୃଦ୍ଧର ପାଗଳ ବୁଦ୍ଧିକୁ ଜିଣିଗଲା । ପରିପକ୍ୱ ଜ୍ଞାନ କାହାର, ମୋର ନା ଉଷାର–ତାହା ମନେ ମନେ ବୁଝିପାରିଲି । ତାହା ନ ହେଲେ ସଂସାର ମୋତେ ଭ୍ରୁକୁଟି ଦେଖାନ୍ତା କାହିଁକି ? ମାୟାବଦ୍ଧ ମୋହାନ୍ଧ ଉପରେ ତ ତାହାର ଅଧିକାର ଷୋଳପଣ । ମନୁଷ୍ୟ ଚିତାନଳରେ ଭସ୍ମ ନ ହେବାଯାଏ ମୋହମାୟା ଛାଡ଼ିପାରେ ନାହିଁ । ମୂର୍ଖ ହେଉ ବା ପାଠୁଆ ହେଉ, ସମସ୍ତଙ୍କର ଏକଦଶା । ତେବେ ପ୍ରଭେଦ ଏତିକି ଯେ, ପାଠୁଆ ସଂସାରର ମୋହମାୟାକୁ କଥାରେ ଛାଡ଼ିପାରେ । ବଚନେ କା ଦରିଦ୍ରତା ? ମାତ୍ର କାର୍ଯ୍ୟରେ ଛାଡ଼ିପାରେ ନାହିଁ–ତାହା ଯେ କାଠିକର ପାଠ । ଆଉ ଅପାଠୁଆ କଥା, କାର୍ଯ୍ୟ କାହିଁରେ ଛାଡ଼ିପାରେ ନାହିଁ । କଥାରେ ଛାଡ଼ିବା ଯେ ଗୋଟାଏ ଭାନ୍ ବା ଲୋକଦେଖା ବ୍ୟବହାର; ମାତ୍ର ମୂର୍ଖ ହେଲେ କଅଣ ହେବ ସେ ତାହା ଜାଣେ । ମୂର୍ଖଠାରୁ ପଣ୍ଡିତ କେବଳ କୂଟବୁଦ୍ଧିରେ ହିଁ ଶ୍ରେଷ୍ଠ । କେଉଁ କଥା ଆସି କେଉଁଠି ଉଠିଲାଣି, ସେ ଜ୍ଞାନର ଗୁମାନ ଦେଖାଇବା ଏତିକିରେ ଥାଉ ।

 

ଶରତ୍‌ବାବୁ ସନ୍ଧ୍ୟାବେଳେ ବସାକୁ ଆସିବେ ବୋଲି କହି ବିଦାୟ ନେଲେ । ଶଶୀବାବୁ ଓ ମୁଁ ଗୋଟାଏ ଅଶ୍ୱରଥରେ ବସି ସହର ଅଭିମୁଖରେ ଆସିଲୁଁ । ସାରଥି କେବେ ଧୀରଗତିରେ, କେବେ ବା ବ୍ୟଗ୍ରଗତିରେ ରହୁବର ବାହିବାକୁ ଲାଗିଲା । ଆଉ ସମସ୍ତେ ମାଲପତ୍ର ସହ ଆଉ ଖଣ୍ଡେ ଗାଡ଼ିରେ ପଛରେ ଆସିଲେ । ବାଟରେ ସୁଖଦୁଃଖର କଥା, ସାହିତ୍ୟସମାଜର କଥା ଓ ଅନ୍ୟାନ୍ୟ କଥାବାର୍ତ୍ତା ଆମ୍ଭ ଦୁହିଙ୍କ ମଧ୍ୟରେ ଲାଗିଥାଏ । ଏ ବର୍ଷ ସାହିତ୍ୟସମାଜର ବିଶେଷ ପରିବର୍ତ୍ତନ ଘଟିଛି । ପୁରୁଣା କର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ଅବସର ନେଇଅଛନ୍ତି, ସେମାନଙ୍କ ସ୍ଥାନରେ ନୂତନ ତରୁଣ କର୍ମୀମାନେ ପ୍ରବେଶ କରିଅଛନ୍ତି । ଶଶୀ ବାବୁ ସମ୍ପାଦକ ପଦ ଛାଡ଼ି ଦେଇଅଛନ୍ତି । ଏଣିକି ସେ ସାହିତ୍ୟସମାଜର ସଭାପତି । ଶଶୀବାବୁ ଏକାଦିକ୍ରମେ ଅଠର ବର୍ଷ ହେଲା ସମ୍ପାଦକ-ଦାୟିତ୍ୱ ନିର୍ବାହ କରି ଆସୁଥିଲେ, ଏଣିକି ସେ ଦାରୁଣ ଶୂଳରୋଗରେ ଭାଙ୍ଗିପଡ଼ିଅଛନ୍ତି । ଏହି ଦୁଃସହ ରୋଗ ତାଙ୍କୁ ସୁଦୀର୍ଘ ବାରବର୍ଷ ହେଲା ବଡ଼ କଷ୍ଟ ଦେଉଅଛି । ଶୁଣିଲି, ତାହାହିଁ ତାଙ୍କର ସମ୍ପାଦକପଦତ୍ୟାଗର କାରଣ । କେତେ ବର୍ଷ ହେଲା ପ୍ରୌଢ଼ ତରୁଣ ମଧ୍ୟରେ ସାହିତ୍ୟସମାଜ ପାଇଁ ଗୋଟାଏ ପ୍ରବଳ ଘର୍ଷଣ ଚାଲିଥିଲା । ସମ୍ବାଦପତ୍ରରେ ବି ଆନ୍ଦୋଳନ ଲାଗିଥିଲା । ଯାହାହେଉ ଏବର୍ଷ ସବୁ ଛିଡ଼ିଗଲା । ଯୁବକମାନେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ସ୍ଥଳେ ସେମାନଙ୍କୁ କ୍ଷେତ୍ର ଛାଡ଼ିଦେବା ପ୍ରୌଢ଼ଚିତ କାର୍ଯ୍ୟ ହୋଇଅଛି । ବର୍ତ୍ତମାନ ଯୁବକର ଯୁଗ । ଯେଉଁ ଆଡ଼କୁ ଚାହିଁଲେ ଯୁବକଶକ୍ତିର କର୍ମପଟୁତା ଦେଖାଯାଉଅଛି । ଅନେକ ଦେଶର ଅନେକ ମହତ୍ ସଦନୁଷ୍ଠାନର ସାଫଲ୍ୟ ଯୁବକଶକ୍ତିରେ ଘଟିଥିବା ଓ ଘଟୁଥିବା କେହି ଅସ୍ୱୀକାର କରିବେ ନାହିଁ । ଦେଶରେ ଭବିଷ୍ୟତ୍ କର୍ମୀ ପ୍ରସ୍ତୁତ କରିଯିବା ପ୍ରୌଢ଼ମାନଙ୍କର ଉଚିତ । ଯୁବକ ଯେବେ ସ୍ୱୀୟ ଦୁର୍ବାର ଶକ୍ତିରେ ପ୍ରୌଢ଼ର ପରିପକ୍ୱ ଜ୍ଞାନ ମିଶାଇ କାର୍ଯ୍ୟ କରେ, ତେବେ ତାହାର ଅସାଧ୍ୟ କ’ଣ ? ଯୁବକକୁ ହାତରେ, କଲମରେ ଶିକ୍ଷା ଦେବା ପ୍ରୌଢ଼ର ଗୁରୁତର ଦାୟିତ୍ୱ । ଯୁବକର ପ୍ରବଳ ଶକ୍ତି, ବୃଦ୍ଧର ପରିପୁଷ୍ଟ ଜ୍ଞାନୋପଦେଶ ଏ ଦୁହିଁଙ୍କର ଶୁଭ ସମ୍ମିଳନ ମଣିକାଞ୍ଚନର ସଂଯୋଗ ତୁଲ୍ୟ । ନିଜେ ଥାଉଁ ଥାଉଁ ନିଜର ଭବିଷ୍ୟତ୍ କର୍ମୀଙ୍କୁ ଉପଯୁକ୍ତ ଦେଖିବା କମ୍ ଆଶା-ଆନନ୍ଦ-ସୌଭାଗ୍ୟର କଥା ନୁହେ । ଯୁବକର କାର୍ଯ୍ୟକଳାପ ପର୍ଯ୍ୟବେକ୍ଷଣ ଓ ସଂଶୋଧନ କରି ତାକୁ ସର୍ବାଙ୍ଗସୁନ୍ଦର କରିବା ପ୍ରୌଢ଼ର ଅବଶ୍ୟ କର୍ତ୍ତବ୍ୟ । ନିଜ ଆଖିରେ ନିଜ ମାତୃଭୂମିର ଭବିଷ୍ୟତ ଉଜ୍ଜ୍ୱଳ ଆଲେଖ୍ୟର ମଙ୍ଗଳ ଲକ୍ଷଣ ଯେ ଦେଖି ଯାଏ, ତାହାର ଆଖି ସାର୍ଥକ, ସେ ଭାଗ୍ୟଧର, ତାହାର ଗର୍ବ କରିବା ଉଚିତ । ମୋ ପଛକୁ ମୁଁ କର୍ମୀ ପ୍ରସ୍ତୁତ କରି ଯାଉଅଛି ବୋଲି ଗୋଟାଏ ଆତ୍ମଶ୍ଳାଘା ମନକୁ ଆଚ୍ଛନ୍ନ କରିପକାଏ । ତାହାର ମୂଲ୍ୟ ଓ ମାଧୁରୀ ଊଣା ନୁହେ । ଯେ ସେହି ଅମୃତ ଆସ୍ୱାଦନ କରେ, ତାହା ସେହି ଏକା ଜାଣେ । ଜୀବିତ କାଳରେ ତାହାର ଚିତ୍ତ ଉତ୍ସବମୟ, ସେ ସ୍ୱର୍ଗ ସୁଖ ଭୋଗ କଲା ପରି ମଣେ । ଶକ୍ତି ନ ଥିଲେ କେହି ଦୂରୁହ କାର୍ଯ୍ୟ କରିବାକୁ ମନ ବଳାଏ ନାହିଁ । ଯୁବକମାନଙ୍କର ଶକ୍ତି ଅଛି, ଶିକ୍ଷା ଅଛି, ଯୋଗ୍ୟତା ଅଛି, ମନ ବି ଅଛି । ସେଥିର ସଦ୍‌ବ୍ୟବହାର ଉତ୍ସାହ, ଆଗ୍ରହ ଓ ନିଷ୍ଠା ସହ ଏହିପରି ଦେଶର ସଦନୁଷ୍ଠାନମାନଙ୍କରେ ପ୍ରବେଶ କଲେ ବୃଦ୍ଧମାନଙ୍କର କର୍ତ୍ତବ୍ୟର ଭାର ଲଘୁ ହୋଇ ଆସିବ । ଦେଶ ଯୁବକର, ବୃଦ୍ଧର ନୁହେ । ବୃଦ୍ଧ ଆଜି ଅଛି, କାଲି ନାହିଁ, ଯୁବକ ସଂସାରରେ ଘରକରଣା କରିବ । ଉତ୍କଳ-ଯୁବକ କର୍ମରେ ଜୟଯୁକ୍ତ ହେଉ, ମଙ୍ଗଳମୟଙ୍କର ଆଶୀର୍ବାଦ ଲାଭ କରୁ–ଏହା କାହାର କାମନୀୟ ନୁହେ ।

 

ଅଶ୍ୱରଥଖଣ୍ଡି ବାର ବାଙ୍କ ତେର ବଜାର ଅତିକ୍ରମ କରି ଚାଲିଥାଏ । ସାରଥି ଅର୍ଦ୍ଧ ନିମୀଳିତ ନେତ୍ରରେ ଯୋଗମଗ୍ନ । ଦୈବାତ୍ ଧ୍ୟାନ ଭାଙ୍ଗିଗଲେ ଅଶ୍ୱପୃଷ୍ଠରେ ସପାସପ୍ ଦୁଇଛାଟ ବସିଯାଏ । ତହୁଁ ସେ ମୁଖ ବିକୃତ କରି ବକ୍ରଗ୍ରୀବ ହୋଇ ଗତିର ବେଗ ଟିକିଏ ବଢ଼ାଇଦିଏ । ଉଗ୍ର ଯୋଗୀ ବାମଦେବଙ୍କର ଯୋଗଭଙ୍ଗ କରି କାମଦେବ ଭସ୍ମ ହୋଇଥିଲେ; ମାତ୍ର ଏ ଶୀତଳ ଯୋଗୀ ହେତୁ ସେଭଳି କଠୋର ଶାସ୍ତି ବିଧାନ ନ କରି ସାମାନ୍ୟ ଦଣ୍ଡ ଦିଏ । ଏତିକି ପରମ ଦୟା । ବିଦେଶୀୟ ପଦାର୍ଥରେ ବଜାରମାନ ଆଲୋକମୟ । ମନୋହର ଦୋକାନଗୁଡ଼ିକ ବିଶ୍ୱକର୍ମାଙ୍କର ସୁସଜ୍ଜିତ ଜ୍ୟୋତିର୍ମୟ ବୈଠକଖାନା । ବିକାକିଣାର ବିରାମ ନାହିଁ, କର୍ମର ସ୍ରୋତ ବହୁ ଧାରାରେ ପ୍ରବାହିତ । ବଡ଼ଠାରୁ ସାନଯାଏ ସମସ୍ତ ଦୋକାନୀ କର୍ମନିରତ । ଯେଉଁମାନେ ଲକ୍ଷ୍ମୀଙ୍କର ଅତି ଭାଗ୍ୟଧର ପ୍ରିୟପୁତ୍ର, ସେମାନଙ୍କର ନିଃଶ୍ୱାସ ମାରିବାକୁ ଅବସର ନାହିଁ । ସହସ୍ର ହସ୍ତରେ କର୍ମଦେବତାଙ୍କର ପୂଜା ଲାଗିଅଛି । ଟଙ୍କା ପଇସାର ଅଜସ୍ର ଝଣଝଣ ଶବ୍ଦ ‘ବାଣିଜ୍ୟେ ବସତେ ଲକ୍ଷ୍ମୀ’ ଏହି ସତ୍ୟ ସଦୁକ୍ତିର ଜୀବନ୍ତ ଚିତ୍ର ଦେଖାଇଦେଉଅଛି । ମାରବାଡ଼ିଙ୍କ ଦୋକାନ ସବୁଠାରୁ ଅଧିକ । ଏକା କଟକ କାହିଁକି, ଉତ୍କଳର ସର୍ବତ୍ର ସେମାନଙ୍କ ଗାଦୀର ପ୍ରଭାବ ଅବ୍ୟାହତ । ବୋଧହୁଏ କିଛିକାଳ ପରେ ଓଡ଼ିଶା ମାରବାଡ଼ି ମୁଲକ ହୋଇଯିବ । ଦକ୍ଷିଣରେ କୁମୁଟି ଜାତି ପରି ଏ ଜାତି ବ୍ୟବସାୟ ବିଦ୍ୟାରେ ଅତି ଧୂରନ୍ଧର । ଏ ବିଦ୍ୟାରେ ମାରବାଡ଼ିମାନେ ଭାରତୀୟ ସମସ୍ତ ଜାତିର ଗୁରୁସ୍ଥାନୀୟ । ବାଣିଜ୍ୟରେ ଏତେ ଆଶୁ ବୃଦ୍ଧି ଅନ୍ୟ କୌଣସି ଜାତିର ଭାଗ୍ୟରେ ଘଟେ ନାହିଁ । କବି ଗାଇଅଛନ୍ତି- ବାଣିଜ୍ୟରେ ଲକ୍ଷ୍ମୀଙ୍କର ବାସ, ତାର ଅଧ ଚାଷ, ତାର ଅଧ ବି. ଏଲ. ପାସ । ତାର ଅଧ ଆଉ ଲେଖି ନାହାନ୍ତି । ଲେଖିଥିଲେ ବୋଧହୁଏ, ‘‘ତାର ଅଧ ପର ପାଦରେ ଦାସ’’ ବୋଲି ଲେଖିଥାଆନ୍ତେ । ଆମ ଦେଶର ଭାଗ୍ୟ ଠିକ୍‌ ଶେଷୋକ୍ତ ପଙ୍‌କ୍ତି ସଙ୍ଗରେ ସମ୍ପୃକ୍ତ । ତାହା ଛଡ଼ା ଆଉ କାହାରି ଇଚ୍ଛା କେଉଁ ଆଡ଼କୁ ଯିବାକୁ ଏକାନ୍ତ ନାରାଜ । ଅଳ୍ପଦିନ ପୂର୍ବରେ ସମ୍ବାଦପତ୍ରରେ ଗୋଟିଏ ଶୁଭସମ୍ବାଦ ବାହାରିଥିଲା- ମାନ୍ଦ୍ରାଜରେ ଖଣ୍ଡିଏ ତେଲଶଟଙ୍କା ବେତନର କିରାଣୀ କାର୍ଯ୍ୟ ସକାଶେ ତିନିଶତାଧିକ ଦରଖାସ୍ତ ପଡ଼ିଥିଲା । ପ୍ରାର୍ଥୀ ମଧ୍ୟରେ ଆଇ. ଏ., ବି. ଏ., ଏମ. ଏ., ବି. ଏଲ. ପ୍ରଭୃତି ଉଚ୍ଚଶିକ୍ଷିତଙ୍କ ସଂଖ୍ୟା ଅଧିକ । ଶେଷରେ ଚାକିରୀଖଣ୍ଡି ଜଣେ ମାଟ୍ରିକ୍ ପାଇଲା । ବଙ୍ଗ ଦେଶରେ ଡାକମୁଣିବୁହା ହରକରା କାମ ସକାଶେ ଜଣେ ମାଟ୍ରିକ୍ୟୁଲେସନ ପାସବାଲା ପ୍ରାର୍ଥୀ ହୋଇଥିବାର ଶୁଣାହୋଇଥିଲା; କିନ୍ତୁ ହାକିମ ତାକୁ ସେ ଚାକିରୀ ଦେଲେ ନାହିଁ; ଅଧିକନ୍ତୁ କହିଥିଲେ–ସମୟରେ ଏହି ହରକରା ଚାକିରୀ ପାଇଁ ମାଟ୍ରିକ୍ୟୁଲେସନ ପାସ୍‌ବାଲା ପ୍ରାର୍ଥୀ ହୋଇପାରନ୍ତି; ମାତ୍ର ବର୍ତ୍ତମାନ ସେଭଳି ଅଧୋଗତି ଘଟିନାହିଁ । ବର୍ତ୍ତମାନ ଚାକିରୀବଜାରର ଅବସ୍ଥା ଏହିପରି; ଅପରେ କିଂ ଭବିଷ୍ୟତି, ତାହା ସେହି ଭବିଷ୍ୟତ୍ ଦେବତା ଜାଣନ୍ତି, ନଚେତ୍ ଭବିଷ୍ୟତ୍ ପୁରାଣ ଖୋଜିଲେ ମିଳିପାରେ । ମାରବାଡ଼ିମାନଙ୍କର ଉନ୍ନତି ପ୍ରତ୍ୟକ୍ଷରେ ଦେଖି ସୁଦ୍ଧା ସେମାନଙ୍କଠାରୁ ଏ ଶୁଭବିଦ୍ୟା କେହି ଶିଖିବାକୁ ଚେଷ୍ଟା କରୁ ନ ଥିବା କେଉଁ ଅପଦେବତାର ଦୁଷ୍ଟ ପ୍ରେରଣା, ତାହା କିଏ କହିପାରେ ? ମୂଳଧନ ଅଭାବର ଦ୍ୱାହି ଦେଇ କେହି କେହି ଦୋଷମୁକ୍ତ ହୋଇ ବସନ୍ତି; ମାତ୍ର ସେମାନେ ବଡ଼ ଭ୍ରାନ୍ତ । ମାରବାଡ଼ିମାନେ କଅଣ ଘରୁ ହଜାର ହଜାର ଟଙ୍କା ଧରି ଆସି ଏ ଦେଶରେ ବ୍ୟବସାୟ କରନ୍ତି ? ଅନେକେ ନୋଟା କମ୍ବଳମାତ୍ର ସମ୍ବଳ ଘେନି ଏ ଦେଶକୁ ଆସି ଦଶବର୍ଷ ମଧ୍ୟରେ କୋଠା ତୋଳି ଲକ୍ଷପତି ହୋଇ ବସନ୍ତି । ସେମାନଙ୍କର ବିଳାସଶୂନ୍ୟ ମିତବ୍ୟୟିତା, ନିଷ୍ଠା, ଧୈର୍ଯ୍ୟ, କଷ୍ଟସହିଷ୍ଣୁତା, ଅଦମ୍ୟ ଅଧ୍ୟବସାୟ, ନିରାଡ଼ମ୍ବର ବ୍ୟବହାର ପ୍ରଭୃତି ମହତ୍ ସଦ୍‌ଗୁଣାବଳୀ ସେମାନଙ୍କୁ ଉନ୍ନତିର ସୁବର୍ଣ୍ଣ ପାଉଛକୁ ଉଠାଇଦିଏ । ଆମର ତା ନାହିଁ ବୋଲି ଆମେ ଦୁର୍ଦ୍ଦଶାପନ୍ନ । ଚାକିରୀର ମୋହ ଛାଡ଼ି କୃଷି, ଶିଳ୍ପ, ବାଣିଜ୍ୟ ଆଡ଼କୁ ଲାଳସାଦୃଷ୍ଟି ନ ପକାଇବାଯାଏ ଆମର ଏ ଦୁର୍ଦ୍ଦଶା ଘୁଞ୍ଚିବ ନାହିଁ । କେବଳ ଦାନାକନା ଛାଡ଼ି ଆଉ ସବୁ ଆମକୁ ମିଳୁଥିବ । ଦେଶର ଶିକ୍ଷିତ ଯୁବକମାନଙ୍କର ଏ ବିଷୟରେ ଆଦର୍ଶ ଦେଖାଇବା ଉଚିତ-। ତାଙ୍କର କାର୍ଯ୍ୟ ସାଧାରଣଙ୍କ ଅନୁକରଣୀୟ ହେବ, ଏହା ସେମାନଙ୍କର ଦୃଢ଼ ଧାରଣା ହେବା ବାଞ୍ଛନୀୟ ।

 

ଗାଡ଼ି ଆସି ନିର୍ଦ୍ଦିଷ୍ଟ ବସା ପାଖରେ ଠିଆହେଲା । ଶଶୀବାବୁ ମୋ ପାଇଁ କାଳି ଗଳିରେ ଗୋଟାଏ ପ୍ରଶସ୍ତ କୋଠା ଭଡ଼ା ନେଇଥିଲେ । କୋଠାଟି ତାଙ୍କ କୋଠାର ଅଳ୍ପ ଦୂରରେ ଓ ସାହିତ୍ୟ-ସମ୍ପାଦକ ବିଶ୍ୱନାଥ ବାବୁଙ୍କ ଆବାସ ଭବନର ଅତି ନିକଟରେ । ଗାଡ଼ିରୁ ଓହ୍ଲାଇଲାକ୍ଷଣି ବିଶ୍ୱନାଥବାବୁ ଘରୁ ବାହାରି ଆସିଲେ । ତେତେବେଳେ ସେ ଅଫିସକୁ ବାହାରୁଥିଲେ । ଋଷିପ୍ରତିମ ସୌମ୍ୟ ଶୀତଳମୂର୍ତ୍ତି ବିଶ୍ୱନାଥ ବାବୁଙ୍କୁ ଦେଖିଲେ ବାସ୍ତବରେ ମନରେ ଭକ୍ତି ଜାତ ହୁଏ । ଉତ୍କଳସାହିତ୍ୟସେବାରେ ସେ ବୁଢ଼ା ହେଲେଣି, ତଥାପି ସାହିତ୍ୟ-ମାତୃକାଦେବୀଙ୍କୁ ସମାନ ଆଗ୍ରହରେ ମୁଣ୍ଡାଇ ଧରିଅଛନ୍ତି । ମାତୃସାହିତ୍ୟ ସକାଶେ ତାଙ୍କର ଅସୀମ ଧୈର୍ଯ୍ୟ, ଅତୁଳ ନିଷ୍ଠା, ସହିଷ୍ଣୁତା ଯେ କୌଣସି ସାହିତ୍ୟିକ ପକ୍ଷରେ ଅନୁକରଣୀୟ ଏବଂ ଗର୍ବଗୌରବର ବିଷୟ । ସେରୂପ ଏକନିଷ୍ଠ ସାଧକ ଏକାଳରେ ଦୁର୍ଲଭ କହିଲେ ଅତିଶୟୋକ୍ତି ହେବ ନାହିଁ । ବିଶ୍ୱନାଥ ବାବୁଙ୍କ ଅଫିସ ଯିବା ସମୟ, ଏଣେ ଖରା ତାପରେ ବସ୍ତାବନ୍ଦି ଅବସ୍ଥାରେ ଆସି ବିଛୁଆତି ଲାଗିଲା ପରି ମୋଦେହ ଜଳୁଥାଏ, ସୁତରାଂ ସ୍ୱାଗତ ପ୍ରଶ୍ନ ସାଦରସମ୍ଭାଷଣ ପ୍ରଭୃତି ସଂକ୍ଷେପରେ ସାରିଦେବାକୁ ହେଲା । ତହିଁ ପରେ ମୁଁ ବସାକୁ ଆସି ବେଶଭୂଷଣ ଫିଟାଇପକାଇ ଶାନ୍ତିର ନିଃଶ୍ୱାସ ଛାଡ଼ି ଟିକିଏ ଆଶ୍ୱସ୍ତ ହେଲି । ଶଶୀବାବୁ ସଙ୍ଗେ ସଙ୍ଗେ ଥାଆନ୍ତି । ଏ ନଗଣ୍ୟ ଅକିଞ୍ଚନ ପାଇଁ ସେ ବହୁତ କ୍ଲେଶ ସହିଅଛନ୍ତି । ଚାରିଦିନକାଳ ସେ ସ୍ୱାସ୍ଥ୍ୟର ପ୍ରହରୀ ହୋଇ ଥିଲେ । ସବୁବେଳେ ମୋ ପାଖରେ ଦୁଇଜଣ ଲୋକ ନିଯୁକ୍ତ କରିଥାନ୍ତି, ତଥାପି ବାରମ୍ବାର ନିଜେ ଆସି ତତ୍ତ୍ୱ ନେଉଥାନ୍ତି । ସେ ନିଜେ ଶୂଳରୋଗରେ ପୀଡ଼ିତ; ମାତ୍ର ସେ ଦାରୁଣ ଯନ୍ତ୍ରଣାକୁ ଭ୍ରୂକ୍ଷେପ ନ କରି ଦୁଇ ହାତରେ ପେଟ ଚିପିଧରି କଥାବାର୍ତ୍ତା ଲଗାଇଥାନ୍ତି । ବାସ୍ତବରେ ସେ ଜଣେ ହୃଦୟୀ । ତାଙ୍କ ସରସ ପବିତ୍ର ସ୍ୱଚ୍ଛ ହୃଦୟ ସଙ୍ଗରେ ଦେବହୃଦୟ ଏକା ତୁଳିତ ହେବାର ଯୋଗ୍ୟ । କେବଳ ଏହି କେତେ ଦିନ ନୁହେ, ଚିରକାଳ ମୋତେ ପରମାତ୍ମୀୟ ଜ୍ଞାନରେ ସେ ମୋପ୍ରତି ଏକାନ୍ତ ସ୍ନେହ-ପ୍ରବଣ । ବସାଟି ନିକାଞ୍ଚନ ହେତୁ ମୋ ପକ୍ଷରେ ଯଥେଷ୍ଟ ଶାନ୍ତି, ସୁଖ ଓ ଆନନ୍ଦପ୍ରଦ ହୋଇଥିଲା । ଶଶୀବାବୁ କହିଲେ, ଇଚ୍ଛାପୁରରେ ମୁଁ ଆପଣଙ୍କର ଅବସ୍ଥାନ ଗୁମ୍ଫା ଦେଖି ଏହି ନିର୍ଜନ ବସାର ବ୍ୟବସ୍ଥା କରିଅଛି । ବାସ୍ତବରେ ମୁଁ ଆଜୀବନ ନିକାଞ୍ଚନପ୍ରିୟ । ଏହିପରି ନିର୍ଜନ କାରାଗାର ମୋତେ ଯଥେଷ୍ଟ ପ୍ରୀତି ପ୍ରଦାନ କରେ । କୂପ, ପାଇଖାନାର ଉପଯୁକ୍ତ ବ୍ୟବସ୍ଥା ଥିଲା । ପଶ୍ଚାତ୍ ଦିଗର ପ୍ରାକୃତିକ ଦୃଶ୍ୟ ମଧ୍ୟ ରମଣୀୟ । ସ୍ଥୂଳତଃ ବାସଭବନଟି ମୋର ଖୁବ୍ ମନୋମତ ହୋଇଥିଲା । ବ୍ୟବସ୍ଥାପକ ବିଶେଷଜ୍ଞ, ବ୍ୟବସ୍ଥା ସୁନ୍ଦର ନ ହେବ କାହିଁକି–

 

କାଲି ସମାଜର ଅଧିବେଶନ । ସେଥିର କେତେକ ଆନୁଷଙ୍ଗିକ କାର୍ଯ୍ୟ ସକାଶେ ଶଶୀବାବୁ ସ୍ଥାନାନ୍ତରକୁ ଗଲେ । କିଛିକ୍ଷଣ ପରେ ତାଙ୍କର ଜଣେ ଲୋକ ଜଳଖିଆ ଘେନି ଆସିଲା । ବାବୁଙ୍କ ସ୍ନେହାଦରରେ ତ ପୂର୍ବରୁ ପେଟ ପୁରିଯାଇଥିଲା, ଯାହା ଟିକିଏ ଫାଙ୍କା ଥିଲା, ତାହା ଜଳଖିଆରେ ପୂର୍ଣ୍ଣ ହେଲା । ବାସ୍ତବରେ ମିଷ୍ଟାନ୍ନଠାରୁ ମଧୁର ବ୍ୟବହାର ହିଁ ଅଧିକ ମଧୁର ଲାଗେ । ସ୍ନେହରସ ଆଗରେ ମିଷ୍ଟାନ୍ନରସ ଅତି ଅକିଞ୍ଚିତ୍‌କର । ବନ୍ଧୁପ୍ରୀତି କି ସ୍ୱର୍ଗୀୟ ପଦାର୍ଥ, ତାହା ମନୁଷ୍ୟ-ଜୀବନ ପକ୍ଷରେ ଗୋଟାଏ ଅମୂଲ୍ୟ ଉପାଦାନ । ସେ ନ ଥିଲେ ସଂସାର ରୂପ ଦଗ୍‌ଧ ମରୁଭୂମିରେ ମନୁଷ୍ୟର ଶୁଷ୍କ ପ୍ରାଣକୁ ଆର୍ଦ୍ରଶୀତଳ କରନ୍ତା କିଏ ? ବନ୍ଧୁ-ପ୍ରେମ ମନୁଷ୍ୟ ପକ୍ଷରେ ଦୟାମୟ ପରମେଶ୍ୱରଙ୍କର ଦୟାର ଅତିରିକ୍ତ ମହାଦାନ । ପ୍ରଭୁ ସେହି ମହାମୃତ ସମସ୍ତଙ୍କ ପ୍ରାଣରେ ସଞ୍ଚିତ କରି ରଖିଅଛନ୍ତି । ମହିମାମୟଙ୍କର ମହିମାର ଶୁଭଲୀଳା କିଏ ବୁଝିବ ? ଖାଇସାରି ବିଶ୍ରାମ କରୁଅଛି, ଏହି ସମୟରେ ଜଣେ ବିଶିଷ୍ଟ ଭଦ୍ରବ୍ୟକ୍ତି ସାକ୍ଷାତ୍ କରିବାକୁ ଆସିଲେ । ସେ ମୋର ଅପରିଚିତ ହେଲେହେଁ ଠିକ୍ ପରିଚିତ ପରି ବ୍ୟବହାର କରିବାର ଦେଖି ମୁଁ ମୁଗ୍‌ଧ ହୋଇଗଲି । ଭଦ୍ରବ୍ୟକ୍ତି ଲକ୍ଷ୍ମଣନାଥ ମହାଶୟଙ୍କର ଭାଇ ଏମ୍. ଏ., ବି. ଏଲ୍ ଉପାଧିଧାରୀ । ସେ କଟକରେ ଓକିଲାତି କରନ୍ତି, ନାମ ସତୀନ୍ଦ୍ରନାରାୟଣ ରାୟ । ପ୍ରସନ୍ନ ସହାସ୍ୟ ବଦନରୁ ପ୍ରତିଭା, ଉତ୍ସାହ ନିଗିଡ଼ି ପଡ଼ୁଥାଏ । ସେ ଜଣେ ପ୍ରବୀଣ ଐତିହାସିକ । ‘ଓଡ଼ିଶାର କଥା’ ନାମରେ ସେ ଖଣ୍ଡିଏ ଐତିହାସିକ ପୁସ୍ତକ ବଙ୍ଗଭାଷାରେ ପ୍ରକାଶ କରି ଓଡ଼ିଆ-ପ୍ରୀତିର ଯଥେଷ୍ଟ ପରିଚୟ ଦେଇଅଛନ୍ତି । ଅଧିକନ୍ତୁ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ ଗୌରବ ଅନୁଭବ କରନ୍ତି । କଥାରୁ ବୁଝିପାରିଲି, ମେଦିନୀପୁର ଓଡ଼ିଶା ସଙ୍ଗେ ମିଶିବାର ପ୍ରସ୍ତାବ ନ ହେବାରୁ ସେ ବିଶେଷ କ୍ଷୁବ୍‌ଧ । ବେଶଭୂଷାର ଆଡ଼ମ୍ବର ନାହିଁ; ବ୍ୟବହାର ‘‘ନମ୍ରନ୍ତି ଫଳିନୋବୃକ୍ଷ ।’’ ଉତ୍କଳ ସାହିତ୍ୟ ସମାଜର ସେ ଜଣେ ବିଶିଷ୍ଟ ସଭ୍ୟ । ସେ ମୃଦୁ ହସି କହିଲେ, ମୁଁ କବି ଦେଖିବାକୁ ଆସିଲି । ଯେତେବେଳେ ମୁଁ କଟକ କଲେଜରେ ପଢ଼ିବାକୁ ଆସିଲି, ତେତେବେଳେ କବିବର ରାଧାନାଥ ଓ ମଧୁସୂଦନଙ୍କର ତିରୋଧାନ ଘଟିସାରିଥିଲା । ଏତେଦିନ ପରେ ଆଜି କଟକରେ ଆପଣଙ୍କୁ ଦେଖିଲି । କଥାଗୁଡ଼ିକର ଛଳଛଳ ସ୍ୱର ଭିତରେ ତାଙ୍କର ହୃଦୟର ବ୍ୟଥା ବାହାରି ଆସୁଥାଏ । କବି, କାବ୍ୟ, ସାହିତ୍ୟ ଓ ଭାଷା ସମ୍ବନ୍ଧରେ ସଂକ୍ଷେପରେ କିଛି ଆଲୋଚନା ହେଲା । ମୁଁ ସ୍ପଷ୍ଟରୂପେ ବୁଝିପାରିଲି, ସତୀନ୍ଦ୍ରବାବୁ କେବଳ ଐତିହାସିକ ନୁହନ୍ତି- ସେ ଏକାଧାରରେ କାବ୍ୟାମୋଦୀ ସାହିତ୍ୟରସିକ ଓ ଐତିହାସିକ । ଏଭଳି ଜଣେ ସୁବନ୍ଧୁ ନୂତନ ଭାବରେ ଲାଭ କରି ମୁଁ ବାସ୍ତବରେ ଅନିର୍ବଚନୀୟ ପ୍ରୀତି ଲାଭ କଲି । ମନେ ମନେ ଭାବିଲି, ‘‘ସଂସାର ବିଷ ବୃକ୍ଷସ୍ୟ ଦ୍ୱିଫଳେ ଅମୃତୋପମ, କାବ୍ୟାମୃତ ରସାସ୍ୱାଦ ଆଳାପ ସଜ୍ଜନୈ ସହ ।’’ ଏ ଶ୍ଳୋକ ଯାହାଙ୍କର ରଚନା, ସଂସାରରେ ସୁଖ ଆନନ୍ଦ ଓ ରସର ଆସ୍ୱାଦନ ସେହି ଏକା ଜାଣନ୍ତି । ସେ ରସଗ୍ରାହକ, ରସର ମୂଲ୍ୟ ମହତ୍ତ୍ୱ ତାଙ୍କରି ପ୍ରାଣରେ ଅମୃତ ଲହରୀ ଖେଳାଏ । ସନ୍ଧ୍ୟା ପୂର୍ବରୁ ସତୀନ୍ଦ୍ରବାବୁ ବିଦାୟ ନେଇ ଗଲେ । ତାଙ୍କ ସଙ୍ଗରେ ଜଣେ ଲ’ କ୍ଲାସର ଛାତ୍ର ଆସିଥିଲେ । ତାଙ୍କର ଜାତୀୟ ପ୍ରୀତିରେ ମୁଁ ମୁଗ୍‌ଧ, ସ୍ତମ୍ଭିତ । ସ୍ୱତଃପ୍ରବୃତ୍ତ ହୋଇ ସେ ମୋର ତତ୍ତ୍ୱ ବାରମ୍ବାର ନେଉଥିଲେ । ଦୁଃଖର ବିଷୟ, ତାଙ୍କର ନାମ ମୋର ଅଜ୍ଞାତ । ଆଧୁନିକ ରୁଚିର ଶିଷ୍ଟାଚାର ବିରୁଦ୍ଧ ହେବ ବୋଲି ତାଙ୍କର ନାମ ପଚାରିବାକୁ ମୁଁ ସାହସୀ ହୋଇପାରିଲି ନାହିଁ-। ସେମାନଙ୍କ ପ୍ରସ୍ଥାନ ପରେ ମୁଁ ସାନ୍ଧ୍ୟକୃତ୍ୟ କରିବାକୁ ଗଲି ।

 

ରାତିରେ ପରିଚିତ ଅପରିଚିତ କେତେ ଜଣ ଦେଖା କରିବାକୁ ଆସିଲେ । ଭଦ୍ରଖର କେତେକ ଛାତ୍ର ନାନାବିଭାଗରେ ଶିକ୍ଷାଲାଭ କରୁଅଛନ୍ତି । ସେମାନଙ୍କ ମଧ୍ୟରୁ କେହି କେହି ଆସିଥିଲେ; ମାତ୍ର କଲେଜପାଠୁଆ କାହାରିକୁ ଦେଖିଲି ନାହିଁ । ସାହିତ୍ୟ ସଭାଦିନ କେତେ ଜଣ ବସିଥିବାର ଦେଖିଥିଲି । ଟାଉନରେ ଯେଉଁମାନଙ୍କର ଘର, ସେମାନେ ତ ଓଡ଼ିଆରେ ମହାପଣ୍ଡିତ, ସେମାନଙ୍କର ସାହିତ୍ୟରେ କିଛି ଶିଖିବାର ନାହିଁ । କେହି କେହି ଫିରିଙ୍ଗି ପାଲଟିଗଲେଣି । ସେମାନେ ଓଡ଼ିଆ ନ କହି ‘‘ଓରିଆ’’ ବୋଲି କହନ୍ତି । ଏଭଳି କାଳିଦାସ ବା ସଭା ସମିତିରୁ କଅଣ ଶିଖିବେ ? ତାଙ୍କର ପାଠ୍ୟପୁସ୍ତକ ଗାଦୀ କଳ୍ପଦ୍ରୁମ ଓ ସେମାନେ ଭଟ୍ଟାଚାର୍ଯ୍ୟ । ଯାହାଙ୍କୁ ଦେଖିଥିଲି, ସେମାନେ ଭଦ୍ରଖର ମଫସଲବାସୀ । ରାତିରେ ଶଶୀବାବୁ ଆସି ଆଗାମୀ ସାହିତ୍ୟ ସଭାର ମୁଦ୍ରିତ କାର୍ଯ୍ୟବିବରଣୀ ଓ ଗତ ବର୍ଷର ବାର୍ଷିକ ରିପୋର୍ଟ ଦେଇଗଲେ । ବିଶ୍ୱନାଥ ବାବୁଙ୍କର ତ ଆମ୍ଭେମାନେ ପ୍ରତିବେଶୀ, ସେ ଥରକୁ ଥର ଆସି ପିଇବା ପାଣି ଅଛି କି ନାହିଁ, ମଶାରି ଅଛି କି ନାହିଁ ପଚାରିଯାଉଥାନ୍ତି । ସଙ୍ଗରେ ଯେଉଁ ପାଚକଟି ଯାଇଥିଲା, ରନ୍ଧନ ବିଦ୍ୟାରେ ତାଙ୍କ ବଂଶର ଗୋଟାଏ ଖୁବ୍ ସୁଖ୍ୟାତି ଅଛି । ପୂଜାରୀ ବଂଶ ବୋଲି ତାଙ୍କର ଖୁବ୍ ନାମ ଡାକ୍ । କେଉଁଠାରେ ମେଳା ମହୋତ୍ସବ ହେଲେ ଆଗେ ସେମାନଙ୍କ ପାଖକୁ ନିମନ୍ତ୍ରଣ ଗୁଆ ଆସେ; କିନ୍ତୁ ଆମ ପୂଜାରୀଟି ଲବଣ ସମୁଦ୍ରର ବଂଶଧର । ଲବଣ ସଙ୍ଗରେ ତାଙ୍କର ଏକାନ୍ତ ଆତ୍ମୀୟତା ଆଦର୍ଶ ସ୍ଥାନୀୟ । ପ୍ରଥମଦିନ ସେ ଲୁଣରେ ସବୁ ଅଖାଦ୍ୟ କରିଦେଲା । କହିଲା–ମୁଁ ଲୁଣ ଅଟକଳ କରିପାରିଲି ନାହିଁ । ଏହି ଅପରାଧରେ ଦୈବୀଦଣ୍ଡ ସେ ରାତିରେ ଯଥେଷ୍ଟ ଭୋଗ କରିଥିଲା । ସେ ମଶାରି ଭିତରେ ନ ଶୋଇ ଦାରୁଣ ଗ୍ରୀଷ୍ମରେ ଲୁଗା ଘୋଡ଼େଇହୋଇ ଶୋଇଲା; କିନ୍ତୁ ମଶକ ପଲର ଆକ୍ରମଣ ପ୍ରତିହତ କରିବା ପାଇଁ ନିଜ ହାତରେ ଏତେ ଚାପୁଡ଼ା ଖାଇହେଲା ଯେ, ସକାଳୁ ଉଠି କହିଲା, ‘‘ମୋର ଅଷ୍ଟାଙ୍ଗ ଶରୀର ବଥା ।’’ ମୁଁ କହିଲି–‘‘କାଲି ଯେତେ ଲୁଣ ଖାଇଛ, ସେହି ଲୁଣସବୁ ବଥା ହରିନେବ । ଆଜି କିଛି ଲୁଣ ଦେହରେ ମାଲିସ କରି ଶୋଇବ । ରାତିଯାକ ବେତାଳ ବାଦ୍ୟର ଚଟ୍ ଚାଟ୍ ଶବ୍ଦରେ ନିଜେ ଶୋଇଲା ନାହିଁ କିମ୍ବା କାହାରିକୁ ଶୁଆଇ ଦେଲା ନାହିଁ । ହେଉ, ଲୁଣ ତ ତୁମ୍ଭର ସଙ୍ଗାତ, ସେହି ସବୁ କଷ୍ଟ ହରିନେବ–ଚିନ୍ତା କଅଣ ?’’ ଏହାଠାରୁ ବଳି ଆଉ କି ସାନ୍ତ୍ୱନା ବା ମୁଁ ଦିଅନ୍ତି ? ବାସ୍ତବରେ କଟକରେ ମଶାର ଦୌରାତ୍ମ୍ୟ ଭାରୀ ପ୍ରବଳ । ଘୋର ମଫସଲ ପରି ଜଙ୍ଗଲମୟ ସ୍ଥାନ ସହର ମଧ୍ୟରେ ଅନେକ ଅଛି । ଗଡ଼ିଆ ପୋଖରୀ ବି ଊଣା ନୁହେ-! ସେ ସବୁ କଳମଶାଗ ଓ ବୁରଝାଞ୍ଜିରେ ଆଚ୍ଛନ୍ନ । କେଉଁଠାରେ କୋଠା ଚାରିପାଖରେ ଜଙ୍ଗଲ, କେଉଁଠି କୋଠା ଭିତରେ ଜଙ୍ଗଲ । ସେ ସବୁ ଘରର ପଛ ଆଡ଼େ ଥିବାରୁ ସାଧାରଣ ରାସ୍ତାକୁ ଦେଖାହୁଏ ନାହିଁ । ତାହା ମଶକକୁଳର ଦୁର୍ଭେଦ୍ୟ ଦୁର୍ଗ । ସେଠାରେ ପୁରୁଷାନୁକ୍ରମେ ବାସକରି ସେମାନେ ନିଜର ରାବଣ ବଂଶ ବୃଦ୍ଧିରେ ନିଯୁକ୍ତ ଅଛନ୍ତି । ସେ ନିକାଞ୍ଚନ ଅଭିସାର ସ୍ଥାନଗୁଡ଼ିକ ନିପାତ ନ ହେବାଯାଏ ମଶକ-ଉପଦ୍ରବ ବୃଦ୍ଧି ବ୍ୟତୀତ ଊଣା ହେବ ନାହିଁ । ମ୍ୟୁନିସ୍‌ପାଲିଟି ଦୟାରୁ କ୍ଷୁଦ୍ର ଜୀବଗୁଡ଼ିକ ନିରାପଦରେ ଅଛନ୍ତି । ରାତିରେ ଦଳ ଦଳ ହୋଇ ବାହାରି ମଧୁର ସ୍ୱରରେ ମ୍ୟୁନିସ୍‌ପାଲିଟିର ଜୟଗାନ କରନ୍ତି ।

 

ରାତି ତିନିଟାବେଳୁ ଉଠି ମୋର ନିତ୍ୟକର୍ମ ସାରି ସକାଳୁ ଆସି ବାରନ୍ଦାରେ ବସିଲି । ବସା ଆଗରେ ଗୋଟିଏ କୋଠା ତିଆରି ହେଉଅଛି । ତାହାର ଭାରା ବାଉଁଶରେ ଦୁଇଟା ପାତିମାଙ୍କଡ଼ କେଳାବାଜି କରିବାକୁ ଲାଗିଲେ । ତାଙ୍କର ବାଉଁଶରାଣୀ ଖେଳ ଦେଖି ଉଷାର ଆନନ୍ଦର ସୀମା ରହିଲା ନାହିଁ । ସେ ହସି ନାଚି ତାଳି ମାରି ଖୁବ୍ ଗୋଟାଏ ଆନନ୍ଦ ଉପଭୋଗ କଲା । ହାତ ଟେକି ତାଙ୍କୁ ପାଖକୁ ଆସିବାକୁ ଡାକିଲା । ଉଦ୍ଦେଶ୍ୟ ଏହି ଯେ, ମାଙ୍କଡ଼ ଆସିଲେ ସେ ତାଙ୍କ ସଙ୍ଗରେ ଖେଳିବ; କିନ୍ତୁ ସ୍ୱଭାବଦୃପ୍ତ ବାନର ଶିଶୁର ସେ ମଧୁର ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ-। ପାରାମାନେ ଘୁଡ଼ୁର ଘୁଡ଼ୁର ଶବ୍ଦରେ ଏ କୋଠାରୁ ସେ କୋଠାକୁ ଉଡ଼ିଯାଉଥାନ୍ତି, ପୁଣି ଫେରି ଆସୁଥାନ୍ତି । ସେମାନେ ସଂସାରର ଅଭିନୟ ସଙ୍କେତରେ ଦେଖାଉଥାନ୍ତି । ମାନବାତ୍ମା ଏହିପରି ଏ ପାଖରୁ ସେ ପାଖକୁ ଉଡ଼ିଯାଇ ପୁଣି ସେ ପାଖରୁ ଏ ପାଖକୁ ଉଡ଼ିଆସେ । କେଉଁ ପାଖରେ ତାହାର ସ୍ଥାୟୀ ଘର ନାହିଁ । ଚିରକାଳ ତାହାର ଯିବା ଆସିବା ଲାଗିଥାଏ । ଜନ୍ମାନ୍ତରର ଜଟିଳ ରହସ୍ୟକୁ ପକ୍ଷୀଗୁଡ଼ିକ ସରଳ ସୁବୋଧ୍ୟ କରିଦେଉଥାଆନ୍ତି । ଉଷା ସେମାନଙ୍କୁ ପାଖକୁ ଆସିବା ପାଇଁ ଅନେକ ଡାକିଲା; ମାତ୍ର ସେମାନେ ବି ଦୂର୍ବୃତ୍ତ ବାନର ପରି କେହି ତାହାର ଡାକରେ କର୍ଣ୍ଣଦାନ କଲେ ନାହିଁ । ମାନବ-ହୃଦୟର ସ୍ନେହ ଅଜ୍ଞାନ ପଶୁପକ୍ଷୀ କଅଣ ବୁଝିବେ ? ନିର୍ବୋଧ ବାଳିକା ଅପୂର୍ଣ୍ଣ ଆକାଙ୍‌କ୍ଷାର ତୀବ୍ରତା ସମ୍ଭାଳି ନ ପାରି ଶେଷରେ ସେମାନଙ୍କ ଉଦ୍ଦେଶ୍ୟରେ ଗାଳି ବର୍ଷଣ କରି ମନର ସାଧ ମେଣ୍ଟାଇବାକୁ ଲାଗିଲା । ଏହି ସମୟରେ ଶଶୀବାବୁଙ୍କର ଜଣେ ଲୋକ ଆସି ଉଷାକୁ ତାଙ୍କ ଘରକୁ ନେଇଗଲା । ମୁଁ ଭାବିଲି, ଯାହା ହେଉ କିଛିକ୍ଷଣ ପାଇଁ ତାହା ଜଞ୍ଜାଳରୁ ମୁଁ ତ୍ରାହି ପାଇଲି; କିନ୍ତୁ କାହିଁ, ମୋର ଏ କଳ୍ପନା କେବଳ କଳ୍ପନାରେ ପର୍ଯ୍ୟବେସିତ ହେଲା । ପ୍ରାୟ ୧୦ ମିନିଟ୍ ପରେ ମୂର୍ତ୍ତିମାନ ଉପଦ୍ରବ ଉଷା ଗୋଟାଏ ଆତୁ ଓ ଗୋଟାଏ କଣ୍ଢେଇ ଧରି ଉପସ୍ଥିତ-। କଣ୍ଢେଇଟି ଭିକାରୀ ବାବୁଙ୍କ କାରଖାନରେ ତିଆରି ଗୋଟାଏ ବେଙ୍ଗର ମୂର୍ତ୍ତି । ତାହା ବଡ଼ କୌଶଳରେ ଛିଣ୍ଡା କାଗଜ, ଛିଣ୍ଡା କନାରେ ତିଆରି; ସୁତରାଂ ଅଭଙ୍ଗପ୍ରବଣ; ବହୁମୂଲ୍ୟରେ ବିଦେଶୀୟ କ୍ଷଣଭଙ୍ଗୁର ଖେଳନା ଅପେକ୍ଷା ସହସ୍ର ଗୁଣରେ ଶ୍ରେଷ୍ଠ । ଭିକାରୀବାବୁ ସମଗ୍ର ଉତ୍କଳରେ ଏଣ୍ଡିଚାଷର ପ୍ରଣାଳୀ ଶିଖାଇ ଗୋଟାଏ ଲାଭଜନକ ଶିଳ୍ପର ପ୍ରଚଳନ କରାଇଅଛନ୍ତି । ଏବେ ଛିଣ୍ଡାକନା, ଛିଣ୍ଡାକାଗଜ ପ୍ରଭୃତି ଅନାୟାସଲବ୍‌ଧ ଗୋଟାଏ ଅଲୋଡ଼ା ଦ୍ରବ୍ୟରେ ଶିଳ୍ପ ଆବିଷ୍କାର କରି ଅକର୍ମାଙ୍କୁ ବିନା ମୂଳଧନରେ କାର୍ଯ୍ୟ ଯୋଗାଇ ଦେଇଅଛନ୍ତି । ଦେଶ-କାର୍ଯ୍ୟ ଏହିପରି କରିବାକୁ ହୁଏ । ଖାଲି ଲମ୍ବା ଲମ୍ବା ବକ୍ତୃତା ଝାଡ଼ି ପରୋପଦେଶରେ ପାଣ୍ଡିତ୍ୟ ଦେଖାଇଲେ କିଛି ହୁଏ ନାହିଁ । ଏଥିପାଇଁ ଭିକାରୀବାବୁ ଦେଶର ଅତୁଳ କୃତଜ୍ଞତାଭାଜନ ଓ ଚିରନମସ୍ୟ । ପିଲାଙ୍କ ଖେଳନା ଛଳରେ ଏ ଦେଶରୁ କୋଟି କୋଟି ଅର୍ଥ ବିଦେଶକୁ ଚାଲିଯାଉଅଛି-। ଖାଲି ଏତିକି ନୁହେ, ନାନା ପଥରେ ବିଦେଶକୁ ଅର୍ଥର ସ୍ରୋତ ବହିଯାଉଅଛି । କେବଳ ଜାମା ବୋତାମରେ ଆମ୍ଭମାନଙ୍କର ଅଳ୍ପ ବ୍ୟୟ ହେଉ ନାହିଁ । ଏ ଦେଶରେ ବୋତାମ ଗଢ଼ିବାର ସୁଲଭ ଉପକରଣର ଅଭାବ ନାହିଁ । ଶିପ, ଶାମୁକ ଓ ନଡ଼ିଆ ସଡ଼େଇରେ ସୁନ୍ଦର ଶକ୍ତ ବୋତାମ ତିଆରି ହୋଇପାରନ୍ତା । ମୁଁ ବି ଉପଦେଶ ଦେଇ ପାଣ୍ଡିତ୍ୟ ପ୍ରକାଶ କରିବାକୁ ଯାଉଅଛି । ଏ କଥା ଏତିକି ଥାଉ । ଦୁଃଖର ବିଷୟ, ପ୍ରବଳ ଆକାଙ୍‌କ୍ଷାସତ୍ତ୍ୱେ ମୁଁ ଭିକାରୀ ବାବୁଙ୍କର କାରଖାନା ଦେଖିବାକୁ ଯାଇପାରିଲି ନାହିଁ । ସମୟାଭାବ ସେଥିର ଅନ୍ତରାୟ ହେଲା; କିନ୍ତୁ ତାଙ୍କ ଆବିଷ୍କୃତ ନବଶିଳ୍ପକଳା ଦେଖି ବାସ୍ତବରେ ମୁଁ ଯତ୍ପରୋନାସ୍ତି ମୁଗ୍‌ଧ ହୋଇଅଛି । ଆସିବାବେଳେ ସେହି କଣ୍ଢେଇରୁ କେତେ ଗୋଟା ବଜାରରୁ କିଣି ଆଣିଥିଲି । ସେଗୁଡ଼ିକ ଯେତେବେଳେ ଦେଖୁଛି, ତେତେବେଳେ ଭିକାରୀ ବାବୁଙ୍କର ଦୀର୍ଘଜୀବନ କାମନା କରି ମନେ ମନେ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ତାଙ୍କର ଏଦେଶ-ହିତୈଷଣା ବିଶ୍ୱଦରବାରରେ ପୁରସ୍କୃତ ହେବ, ଏହା ମୋର ଦୃଢ଼ ଧାରଣା । ସେ ସ୍ୱଦେଶର ଅମର କୀର୍ତ୍ତି ସ୍ୱହସ୍ତରେ ସ୍ଥାପନ କରିଗଲେ । ସେ କୀର୍ତ୍ତି ମଳିନ ହେବ ନାହିଁ ।

 

ଉଷା ମୋତେ ଆଉ ବ୍ୟସ୍ତ କରି ନାହିଁ । ବ୍ୟସ୍ତ କରିବାକୁ ଅବକାଶ ମଧ୍ୟ ପାଇ ନାହିଁ । ତାକୁ ଗୋଟାଏ କାର୍ଯ୍ୟ ମିଳିଗଲା । ସେ ନିଜେ ସେହିଥିରେ ବ୍ୟସ୍ତ ହୋଇ ପଡ଼ିଲା । ଆତୁଟି ଭାଙ୍ଗି ବେଙ୍ଗଠାକୁରକୁ ଭୋଗ ଦେଇ ବସିଲା । ଅଜ୍ଞାନ ଶିଶୁ କି ଲୀଳା ଲଗାଇଅଛି ! ମୁଁ ଦେଖି ଦେଖି ମୁଗ୍‌ଧ ହୋଇଗଲି । ଭାବିଲି, ତାହାର କ୍ଷୁଦ୍ର ପ୍ରାଣରେ ଏ ପ୍ରେରଣା କିଏ ଆଣି ଦେଉଅଛି ? ବେଙ୍ଗ ଦେବତା ହେବ, ସେ ପୁଣି ଆତୁଭୋଗ ଖାଇବ, ଏ କଳ୍ପନା ବାସ୍ତବରେ ଅମୂଲ୍ୟ । ସ୍ଥାବର ଜଙ୍ଗମ ସମସ୍ତଙ୍କ ଦେହରେ ବ୍ରହ୍ମସତ୍ତା ଅଛି, ଶିଶୁ କଅଣ ଏହା ବୁଝିପାରିଅଛି ? ଏ ଧର୍ମଭାବ, ଏ ଆନ୍ତରିକତା, ଏ ବିଶ୍ୱାସ ସେ କାହୁଁ ଆଣିଲା ? ଏ ବୁଦ୍ଧି, ଏ ଗୋପନ ଶିକ୍ଷା ତାକୁ କିଏ ଦେଉଅଛି ? ଏହାର କି କେହି କର୍ତ୍ତା ନାହିଁ ? ଭଗବାନ ମନୁଷ୍ୟକୁ ଆଣି ସଂସାରରେ ଜନ୍ମଦେଇ ନିଶ୍ଚିନ୍ତ ହୁଅନ୍ତି ନାହିଁ । ଏତିକିରେ ତାଙ୍କର କାର୍ଯ୍ୟ ଶେଷ ହେଲା ବୋଲି ସେ ଭାବନ୍ତି ନାହିଁ । ତାଙ୍କର କର୍ତ୍ତବ୍ୟ ଗୁରୁତର, ସାମାନ୍ୟଭାବରେ ତାହା ଶେଷ ହୁଏ ନାହିଁ । ସେ ପ୍ରତି ନିଃଶ୍ୱାସରେ ପ୍ରାଣ ମଧ୍ୟରେ ଶିକ୍ଷା, ଉପଦେଶ-ଧାରା ଢାଳିଦେଉଥାନ୍ତି । ମନୁଷ୍ୟ ବଡ଼ ଭ୍ରାନ୍ତ, ସେ ତାହା ମନରେ ରଖିପାରେ ନାହିଁ । ଦୟାମୟଙ୍କର ଦୟା ଅନନ୍ତ, ମହିମା ଅନନ୍ତ । କେହି ତାଙ୍କ ଉପଦେଶ ଓ ଇଙ୍ଗିତ ଭୁଲିଗଲା ବୋଲି ସେ ଉପଦେଶ ଦାନରୁ କ୍ଷାନ୍ତ ହୁଅନ୍ତି ନାହିଁ; ସବୁବେଳେ ତାକୁ ଇଙ୍ଗିତ ଦେଖାଉଥାନ୍ତି । ଚାଟ ଉପଦେଶ ଧରି ନ ପାରିଲେ ଗୁରୁ ବିରକ୍ତ ହୁଅନ୍ତି; ମାତ୍ର ଯେ ଜଗତର ଗୁରୁ, ତାଙ୍କର ବିରକ୍ତି ନାହିଁ, କି କ୍ରୋଧ ନାହିଁ । ସେ ନିର୍ବିକାର ! ଯାହା ମନରେ ବିକାର ନାହିଁ ସେ ସ୍ୱଚ୍ଛ, ତାହାର କ୍ରୋଧବିରକ୍ତି ଦ୍ୱେଷ ହିଂସା କାହୁଁ ଆସିବ ? ସ୍ୱଚ୍ଛ ପଦାର୍ଥରେ ମଳି ଲାଗେ ନାହିଁ । ଉଜ୍ଜ୍ୱଳ ତରଳ ଶୁଦ୍ଧ ସୁବର୍ଣ୍ଣକୁ ମଳି ଆବର୍ଜନା ବା ଅଙ୍ଗାର କାଳିମା ସ୍ପର୍ଶ କରିପାରେ ନାହିଁ । ବାଳିକାର ଖେଳ ଦେଖି ଏହିପରି ନାନା ଭାବ ମନରେ ଉଦିତ ହେଲା । କିଛିକ୍ଷଣ ପରେ ‘ସହକାର’ର ସମ୍ପାଦକ ବାଳକୃଷ୍ଣ ବାବୁ ଆସିଲେ । ମୁଁ ତାଙ୍କୁ କେବେ ଦେଖି ନାହିଁ । ତାଙ୍କର ଲେଖା ପଢ଼ି ତାଙ୍କର ଗୋଟାଏ ମୂର୍ତ୍ତି ମନେ ମନେ କଳ୍ପନା କରିନେଇଥିଲି । ବାସ୍ତବରେ ତାଙ୍କ ଲେଖାରୁ ତାଙ୍କର ପ୍ରତିଭା ଫୁଟିଉଠେ । ସେ ଜଣେ ତେଜସ୍ୱୀ ଦକ୍ଷ ସମ୍ପାଦକ ! ଭାବିଥିଲି, ସେ ହାତୀ ପରି ପ୍ରକାଣ୍ଡ ମନୁଷ୍ୟ ହୋଇଥିବେ; କିନ୍ତୁ ମୂର୍ତ୍ତି ଦେଖି ସେ ଭୁଲ ମୋର ଦୂର ହୋଇଗଲା । ଦେଖିଲି, ଅଢ଼ାଇ ଚାଖଣ୍ଡ ଲମ୍ବର ଜଣେ ମନୁଷ୍ୟ-। ବ୍ୟାସକବି ଫକୀର ମୋହନଙ୍କର ଉତ୍କଳ-ଭ୍ରମଣରୁ ଦୁଇଧାଡ଼ି ମନରେ ପଡ଼ିଗଲା । ସେ ଭକ୍ତକବି ମଧୁସୂଦନଙ୍କ ସମ୍ବନ୍ଧରେ ଲେଖିଅଛନ୍ତି–‘‘ଓଜନରେ ହେବ ମଧୁ ଅଢ଼ାଇ ପଶୁରୀ, ଏତେ ଗୁଣ କିପରି ରଖିଛି ପେଟେ ପୁରି ?’’ ବାସ୍ତବରେ ଦେହର ବିଶାଳତା ଗୁଣର ମାପକାଠି ନୁହେ । ଅନେକ ବେଳ ଯାଏ କଥାବାର୍ତ୍ତା ଲାଗିଲା । ବାଳକୃଷ୍ଣ ବାବୁ ଯୁବକ, ମିଷ୍ଟଭାଷୀ, ଉନ୍ନତମନା ଓ ଉଦାରଚେତା । ମୁଖମଣ୍ଡଳରୁ କର୍ମଶୀତଳା ଫୁଟିଉଠୁଥାଏ । ନିର୍ଭୀକତା ଓ ତେଜସ୍ୱିତା ବାକ୍ୟର ଭୂଷଣ । ତାଙ୍କର ଭାବ୍ୟ ଭାରତୀ ପତ୍ରିକା ସମ୍ବନ୍ଧରେ ମୋର ଗୋଟାଏ ଆଶଙ୍କା ଥିଲା । ‘ଭାରତୀ’ ଦ୍ୱାରା ସହକାରର ଆଘାତ ଲାଗିପାରେ, ଏହାହିଁ ଆଶଙ୍କାର ହେତୁ । ଜଣକ ସମ୍ପାଦନରେ ଦୁଇଟା ସାହିତ୍ୟିକ ପତ୍ରିକା ବର୍ତ୍ତମାନ ସମୟଦୃଷ୍ଟିରେ, ଦେଶର ଜଳବାୟୁରେ ନିଜ ନିଜର ସ୍ୱତନ୍ତ୍ରତା ରକ୍ଷା କରିପାରିବ କି ନାହିଁ, ଏ ବିଷୟରେ ମୋର ସନ୍ଦେହ ଥିଲା । ବୁଝିଲି, ନୂତନ ପତ୍ରିକାଖଣ୍ଡିକରେ ସାହିତ୍ୟର ନାନାବିଭାଗର ଆଲୋଚନା ହେବ ନାହିଁ । ତାହା କେବଳ ଔପନ୍ୟାସିକ ପତ୍ରିକା ହେବ । ବାଳକୃଷ୍ଣ ବାବୁଙ୍କଠାରୁ ଏହା ଶୁଣି ମୋର ସନ୍ଦେହ ଦୂର ହେଲା । ବାଳକୃଷ୍ଣ ବାବୁ କହିଲେ–‘‘ଆପଣ କାଲିଠାରୁ ଆସିଲେଣି; କିନ୍ତୁ ଆମ୍ଭେମାନେ କେହି ଜାଣୁ ନାହିଁ, ମୁଁ ବର୍ତ୍ତମାନ ଶୁଣିପାରି ଆସିଲି ।’’ ମୁଁ କହିଲି–‘‘୨୩ ତାରିଖ ଦିନ ଗାଡ଼ିରେ ମୁଁ ଆସିବି ବୋଲି ସମାଜର ସମ୍ପାଦକଙ୍କୁ ପତ୍ର ଲେଖିଥିଲି ।’’ ଏହି ସମୟରେ ଶଶୀବାବୁ ଆସି ପହଞ୍ଚିଗଲେ । ବାଳକୃଷ୍ଣବାବୁ ତାଙ୍କୁ କହିଲେ–ସଭାପତିଙ୍କ ପତ୍ର ଆପଣ ଆମ୍ଭମାନଙ୍କୁ ଦେଖାଇଲେ ନାହିଁ ପୁଣି ଆପଣ ନିଜେ ଯାଇ ତାଙ୍କୁ ଷ୍ଟେସନରୁ ଘେନି ଆସିଲେ–ଆମ୍ଭମାନଙ୍କୁ ସମ୍ବାଦ ବି ଦେଲେ ନାହିଁ ? ଦୁହିଙ୍କ ମଧ୍ୟରେ ଏହିପରି ଟିକିଏ ମଧୁର ସଂଘର୍ଷଣ ଲାଗିଲା । ମୁଁ କହିଲି–କେବଳ ଶଶୀବାବୁ ଷ୍ଟେସନକୁ ଏକୁଟିଆ ଯାଇ ନ ଥିଲେ, କେତେ ଜଣ ସମାଜର କର୍ମୀ ସୁଦ୍ଧା ଯାଇଥିଲେ ସମସ୍ତେ ନ ଗଲେ କ୍ଷତି କଅଣ ? ଏତିକିରେ ସଂଘର୍ଷଣ ମିଳେଇଗଲା । ଏହି ସମୟରେ କେନାଲ ବିଭାଗର ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଯଦୁନାଥ ମହାପାତ୍ର ଆସି ପହଞ୍ଚିଲେ । ଯଦୁନାଥ ବାବୁ ସେହିକ୍ଷଣି ମଫସଲରୁ ଆସି ମୋର ଆସିବା ଶୁଣି ପୋଷାକ ନ ବଦଳାଇ ଚାଲିଆସିଲେ; କହିଲେ- ମାଷ୍ଟର ମହାଶୟ, କାଲି ଆମ ବସାରେ ଭୋଜନ କରିବେ । ମୁଁ ନିମନ୍ତ୍ରଣ କରିବାକୁ ଆସିଲି । କାଲି ଦଶଟା ସମୟରେ ମୁଁ ଗାଡ଼ି ପଠାଇଦେବି । ଯଦୁନାଥ ବାବୁ ମୋର ଛାତ୍ର, କେଉଁ କାଳେ ସାମାନ୍ୟ କେତେଟା ଦିନ ମୋ ପାଖରେ ପଢ଼ିଥିଲେ ! ସେଥିପାଇଁ ଆଜିପର୍ଯ୍ୟନ୍ତ ମୁଁ ତାଙ୍କର ମାଷ୍ଟର ମହାଶୟ ! ଚାଳିଶ ବର୍ଷ କାଳ ତାଙ୍କ ପରିବାର ସହ ଆମ୍ଭେମାନେ ଏକପରିବାରଭୁକ୍ତ ହେଲା ପରି ଥିଲୁ । ତାଙ୍କ ପିତାଙ୍କୁ ମୁଁ ଅଗ୍ରଳ ତୁଲ୍ୟ ଜ୍ଞାନକରେ । ସେହି ସମ୍ପର୍କରେ ଯଦୁନାଥ ବାବୁ ଓ ତାଙ୍କର ଭାଇଭଉଣୀ ମୋତେ କକା ବୋଲି ସମ୍ବୋଧନ କରନ୍ତି-। ଯଦୁନାଥ ବାବୁ ମୋଠାରୁ ଭଞ୍ଜକବିଙ୍କର କବିତା ଅର୍ଥ ଶୁଣିବାକୁ ବିଶେଷ ଆଗ୍ରହ ପ୍ରକାଶ କରନ୍ତି । ବିଦେଶରୁ ଭଦ୍ରଖ ଗଲେ ସେହି ଚର୍ଚ୍ଚା ଲାଗେ । ଯିବାବେଳେ ପୁନଶ୍ଚ ଯଦୁନାଥ ବାବୁ କହିଗଲେ–‘‘ଅନୁଗ୍ରହ କରି ନିଶ୍ଚୟ କାଲି ଆମ ବସାକୁ ଯିବେ ।’’ ମୁଁ କହିଲି–‘‘ନିଜ ପେଟକୁ ଖାଇବି, ଏହା ପୁଣି ଅନୁଗ୍ରହ ହେଲା ? ଏତେ ସନିର୍ବନ୍ଧ ଅନୁରୋଧ ଦରକାର ନାହିଁ ବାବା, ମୁଁ ବଳେ ବଳେ ଯାଇ ଖାଇଆସିବି, ପିଲାମାନଙ୍କୁ ବି ଦେଖି ଆସିବି ।’’ ଯଦୁନାଥ ବାବୁ ପ୍ରଭୃତି ବିଦାୟ ନେଇ ଗଲା ପରେ ମୁଁ ଉଦରନାମକ ଠାକୁରଙ୍କ ପୂଜାରେ ବସିଲି । ପୂଜା ଷୋଳକଳା ପୂର୍ଣ୍ଣ ହେଲା । ହାତ ଧୋଇସାରି ଟିକିଏ ବିଶ୍ରାମ କରୁଛି, ସେହି ପ୍ରଚଣ୍ଡ ଖରାରେ ଧାଇଁ ଧାଇଁ ମାନନୀୟ ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ପ୍ରହରାଜ ମହୋଦୟ ଆସି ଉପସ୍ଥିତ । ସେ ଗଡ଼ଜାତର ଗୋଟାଏ ଫାସି ମୋକଦ୍ଦମାର ଅପିଲ ପଲିଟିକାଲ ଏଜେଣ୍ଟଙ୍କ ନିକଟରେ ଦାୟର କରିବାକୁ ଯାଇଥିଲେ । ମୋର ଆସିବା ଶୁଣି ଘରକୁ ନ ଯାଇ ବାହାରେ ବାହାରେ ଏହି ବାଟେ ଆସିଲେ । ବୟୋଧର୍ମ ପ୍ରଭାବରେ ମୋର ଚକ୍ଷୁର ଜ୍ୟୋତି ଅନେକ ଊଣା ହୋଇଯାଇଛି । ଗୋପାଳ ବାବୁ ବି ବୁଢ଼ା ହୋଇ ମୋରି ପରି ବେଦାନ୍ତ ମୂର୍ତ୍ତି ଧରିଲେଣି, ସୁତରାଂ ହଠାତ୍ ଦୃଷ୍ଟିରେ ମୁଁ ତାଙ୍କୁ ଚିହ୍ନିପାରିଲି ନାହିଁ । ସେ ସ୍ନେହରେ ଗଦ୍‌ଗଦ ହୋଇ ମୋତେ ଆସି କୁଣ୍ଢାଇପକାଇ କଥା କହିଲା ପରେ ସ୍ୱର ବାରି ଚିହ୍ନିଲି ଓ ଲଜ୍ଜିତ ହେଲି । ସେ କହିଲେ–ଆଜି ତ ସାହିତ୍ୟ ସମାଜର ଅଧିବେଶନ, ଆପଣଙ୍କର ସମୟ ହେବ ନାହିଁ, କାଲି କେତେବେଳେ ଅବସର ହେବ କହିଲେ ମୁଁ ଗାଡ଼ି ପଠାଇଦେବି । ଆପଣ ଥରେ ଯାଇ ମୋର ଭାଷାକୋଷ ଅଫିସ ଦେଖି ଆସିବେ । ମୋର ସହକାରୀ ପଣ୍ଡିତ ଆସି ଆପଣଙ୍କୁ ସଙ୍ଗରେ ନେଇଯିବେ । ମୁଁ କହିଲି–‘‘କାଲି ସକାଳେ ଇତିହାସ ଶାଖାର ଅଧିବେଶନ । ସଭାଭଙ୍ଗ ପରେ ସେହି ବାଟେ ଯାଇ ଯଦୁନାଥ ବାବୁଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ହେବ । ସେଠାରୁ ଫେରିଆସି ଗୋଟାକ ବେଳେ ଯିବି ।’’ ଏଣୁ ତେଣୁ କେତେ କଥା ହେଲା ପରେ ଗୋପାଳବାବୁ ପ୍ରସ୍ଥାନ କଲେ-। ମୁଁ ପାଛୋଟିଦେବାକୁ ଯାଉଥିଲି, ସେ ତଳାତ୍କାଳରେ ମୋତେ ଧରିଆଣି ବସାରେ ଛାଡ଼ିଦେଇଗଲେ-

 

ଦୁଇପ୍ରହର ସମୟରେ କେତେ ଜଣ କଲେଜ ଛାତ୍ର ଓ ପରିଚିତ ବ୍ୟକ୍ତି ଆସିଲେ । କଥାବାର୍ତ୍ତା ହେଉଁ ହେଉଁ ଅନେକ ବେଳ ହୋଇଗଲା । ଆଜି ସାହିତ୍ୟ ସଭାର ଅଧିବେଶନ । ସାଢ଼େ ଛଅଟା ବେଳେ ସଭା ହେବ, ତହିଁ ପୂର୍ବରୁ ଉପସ୍ଥିତ ଥିବା ଦରକାର । ଜଳଖିଆ କରିସାରି ପ୍ରସ୍ତୁତ ହେବାକୁ ହେଲା । ଗାଡ଼ି ଆସି ଦାଣ୍ଡରେ ଅପେକ୍ଷା କରିଥିଲା । ଆମ୍ଭେମାନେ ଯାଇ ଗାଡ଼ିରେ ବସିଲୁଁ । ରବର ଚକ ରିକ୍‌ସା ଗାଡ଼ିର ପ୍ରଚଳନ କଟକରେ କ୍ରମଶଃ ବଢ଼ୁଅଛି । ତାହା ସର୍ବାଂଶରେ ସୁବିଧାଜନକ । ସେଗୁଡ଼ିକ ତେଲଙ୍ଗୀୟ ସଙ୍ଗୀତ ଆବୃତ୍ତି କରେ ନାହିଁ, ଖେମଟା ନାଚ ବି ତା’ର ନାହିଁ । ସଡ଼କରେ ପ୍ରସ୍ତରଖଣ୍ଡ ବିଛା ହୋଇଥିବାରୁ ସାଧାରଣ ଗାଡ଼ିର ଖେମଟାନାଚ ନ କରିବାର ଉପାୟ ନାହିଁ । ଯଥାସମୟରେ ଗାଡ଼ି ଯାଇ ରାମଚନ୍ଦ୍ରଭବନର ପ୍ରବେଶ ଦ୍ୱାରରେ ଉପସ୍ଥିତ ହେଲା । ପୂର୍ବରୁ ସେଠାରେ ସମାଜର କର୍ମୀ ଓ କେତେ ଜଣ ସାହିତ୍ୟିକ ଅପେକ୍ଷା କରିଥିଲେ । ଆମ୍ଭେମାନେ ଓହ୍ଲାଇଲା କ୍ଷଣି ସମସ୍ତେ ମିଶି ସଭାଗୃହରେ ପ୍ରବେଶ କଲୁଁ । ନିର୍ଦ୍ଦିଷ୍ଟ ଆସନରେ ମୋତେ ନେଇ ବସାଇଦିଆହେଲା । ଏଥି ପୂର୍ବରୁ ରାମଚନ୍ଦ୍ରଭବନ ମୁଁ ଦେଖି ନ ଥିଲି । ତାହାର ବହିର୍ଭାଗର ଦୃଶ୍ୟ ଖଣ୍ଡିଏ ସୁନ୍ଦର ସୁଦୃଶ୍ୟ ଛବି ପରି । ଶିଳ୍ପୀର ପରିକଳ୍ପନା ଅତି ଉଚ୍ଚ ଧରଣର ଓ ବଡ଼ ଚମତ୍କାର । ଭିତରଟି ଖଣ୍ଡିଏ ଆଳଙ୍କାରିକ ସଜୀବ କାବ୍ୟ । ସଭାଗୃହ ପୁଷ୍ପପଲ୍ଲବରେ ଅପୂର୍ବ ଶ୍ରୀ ଧାରଣ କରିଥିଲା । ରାଧାନାଥ, ମଧୁସୂଦନ, ଫକୀରମୋହନ ପ୍ରଭୃତି ସ୍ୱର୍ଗତ ବରେଣ୍ୟ କବିଙ୍କର ସୁନ୍ଦର ପ୍ରତିମୂର୍ତ୍ତି କାନ୍ଥରେ ଟଙ୍ଗାହୋଇ ଦୀପାଲୋକରେ ଅପୂର୍ବ ଜ୍ୟୋତି ବିସ୍ତାର କରୁଥାଏ । ସତେ ଯେପରି କବିପ୍ରତିଭା ପୁଞ୍ଜୀଭୂତ ହୋଇ ନାଚିଉଠୁଅଛି । ସଭାଗୃହଟି ସାରସ୍ୱତ ଶ୍ରେଷ୍ଠ ଯୋଗୀଙ୍କର ପବିତ୍ର ସାଧନାଶ୍ରମ । ସତେ ଯେପରି କବିମାନଙ୍କର ଐକତାନିକ ବୀଣା ଝଙ୍କାରର ମଧୁର ମୂର୍ଚ୍ଛନା ନୀରବ ଭାବରେ କର୍ଣ୍ଣରେ ଅମୃତ ବର୍ଷଣ କରିଯାଉଅଛି । ବି ଏକ ଅପୂର୍ବ ସ୍ୱର୍ଗୀୟ ମହାଭାବରେ ହୃଦୟ ମନପ୍ରାଣ ବିଭୋର ହୋଇଉଠିଲା । ସଂସାରର ଚିନ୍ତା ବାସନା କୁଆଡ଼େ ମିଳାଇଗଲା । ମନେ ହେଲା-କେଉଁ ଜ୍ୟୋତିର୍ମୟ ଭାବରାଜ୍ୟରେ ମୋତେ ଆଣି କିଏ ଯେପରି ଛାଡ଼ି ଦେଇଗଲା । ଭିତ୍ତିସ୍ଥ ଚାରୁ ଚିତ୍ରାବଳିରୁ ମହାଭାବପୂର୍ଣ୍ଣ ଉଦାର କବିତା ଝରିପଡ଼ିଲା ପରି ବୋଧ ହେଉଥାଏ । ସତେ ଯେପରି ସେ କବିତା ପୁଷ୍ପ ପରି ସୌରଭ ଓ ମଧୁକଣିକାରେ ପୂର୍ଣ୍ଣ-। ଏ ସଭାଗୃହ କି କବିତାରାଜ୍ୟ, କି ସାରସ୍ୱତ ସ୍ୱପ୍ନସ୍ୱର୍ଗ, କିଛି ନିଶ୍ଚୟ କରିହେଲା ନାହିଁ । ଫଟୋଗୁଡ଼ିକ ପୁଷ୍ପମାଳାରେ ମଣ୍ଡିତ । ବୋଧ ହେଲା ଯେପରି ଦେବୀ ବୀଣାପାଣି ଫୁଲ ରୂପରେ କବିତାଗୁଡ଼ିଏ ଗୁନ୍ଥି ତାଙ୍କ ପ୍ରିୟ ପୁତ୍ରମାନଙ୍କ ଗଳାରେ ଆଦରରେ ପିନ୍ଧାଇ ଦେଇଅଛନ୍ତି । କବିମାନଙ୍କ ହାସ୍ୟମୟ ଅଧରରେ କବିତା ଲାଗିରହିଅଛି । ‘‘କେଉଁ ମାୟା ପୁରରେ ଅଚିରେ ଆହା ପଶିଲି ଆସି, ଯେଣିକି ଚାହିଁଲେ ବର୍ଷୁଛି ମୌନ କବିତାରାଶି ।’’ ମୋର ଅଜ୍ଞାତରେ ଏହି ଦୁଇଧାଡ଼ି କବିତା ଆସି କଣ୍ଠମୂଳରେ ଅଟକି ରହିଲା । ମୁଁ କେଉଁଠିକି ଆସିଛି, କାହିଁକି ଆସିଛି-କିଏ କି କାର୍ଯ୍ୟ ପାଇଁ ମୋତେ ଶୂନ୍ୟରେ ଏଠାକୁ ଉଡ଼ାଇ ଘେନି ଆସିଅଛି–କୌଣସି ଅନୁଭୂତି ମୋତେ ସ୍ପର୍ଶ କରିପାରିଲା ନାହିଁ । କେବଳ ଭାବରେ ଭେକା ହୋଇ ବସିରହିଲି । ‘‘ଆତ୍ମବିସ୍ମୃତ ହେଲି’’ କହିଲେ ଠିକ୍ ହେବ ନାହିଁ, ତାହାଠାରୁ କିଛି ଅଧିକ ଥିଲେ ମୋର ସେକାଳର ଅବସ୍ଥା ସଙ୍ଗେ ସମାନ ହୁଅନ୍ତା-। ମୋର ଏ କଥା ଶୁଣି କେହି ହସିଲେ ହସୁ, ଥଟା କଲେ କରୁ, ବ୍ୟଙ୍ଗବିଦ୍ରୂପ ଢାଳିଲେ ଢାଳୁ, ସେଥିରେ ମୁଁ କ୍ଷୁବ୍‌ଧ ହେବି ନାହିଁ । ମୋର ଯାହା ହୃଦୟର ସତ୍ୟ ଅନୁଭୂତି, ତାହା ମୁଁ ନିର୍ଭୟରେ କହିଯାଇଛି । ସେପରି କହିବାର ଅଧିକାର ବ୍ୟକ୍ତିମାତ୍ରର ଅଛି । ବରଂ ନ କହିବା ସତ୍ୟ ଗୋପନଜନିତ ପାପ । ଗାଳି ପଛେ ଖାଏ; କିନ୍ତୁ ସେ ପାପରୁ ମୁକ୍ତ ହେବି । ଏତିକ ଲେଖି ନୋବେଲ ପ୍ରାଇଜ୍ ପାଇବାର ବ୍ୟର୍ଥ ଧୁଷ୍ଟତା ମୁଁ ହୃଦୟରେ ପୋଷଣ କରି ନାହିଁ ।

 

ଯଥାସମୟରେ ସଭାର କାର୍ଯ୍ୟ ଆରମ୍ଭ ହେଲା । ଯାହା ପରେ ଯାହା ହେବାର, ତାହା ତ ଆଇନବନ୍ଧା ହୋଇ ରହିଅଛି । ସବୁ ଠିକ୍ ସେହିପରି ହେଲା । ସଭ୍ୟ ଓ ଦର୍ଶକର ଅଧିକ୍ୟରେ ସଭାର ବିସ୍ତୃତ ହଲ ପରିପୂର୍ଣ୍ଣ ହୋଇ ରହିଥାଏ । ଏତେ ଲୋକାରଣ୍ୟ; କିନ୍ତୁ ନୀରବ ନିସ୍ତବ୍‌ଧ; ନିର୍ବାତ ବାରିଧିବକ୍ଷ ପରି ନିସ୍ତରଙ୍ଗ । ସାହିତ୍ୟପ୍ରୀତିର ନୀରବ ପ୍ରାଣଶକ୍ତି ଆଭାସି ଉଠୁଥାଏ । ଯୁବକ କର୍ମୀମାନଙ୍କର ଉତ୍ସାହ, ଉତ୍ତେଜନା ଶତମୂର୍ତ୍ତି ଧାରଣ କରି ଖେଳିଯାଉଥାଏ । ମାତୃସାହିତ୍ୟପ୍ରତି ଦେଶବାସୀଙ୍କର ଆଦର, ଆଗ୍ରହ ଓ ଆନ୍ତରିକତା ବୃଦ୍ଧିର ଏହା ଶୁଭସୂଚନା ।

 

ସଭାପତି-ବକ୍ତବ୍ୟ ଯେପରି ଅଧିକ ନ ହୁଏ, ସେଥିପାଇଁ ସମାଜର ସମ୍ପାଦକ ମହୋଦୟ ପତ୍ରଦ୍ୱାରା ଆଗରୁ ମୋତେ ବିଶେଷ ଭାବରେ ସତର୍କ କରାଇଦେଇଥିଲେ । ସେ ଲେଖିଥିଲେ, ଆପଣଙ୍କ ଅଭିଭାଷଣ ୫।୬ ପୃଷ୍ଠା ମଧ୍ୟରେ ପ୍ରସ୍ତୁତ କରି ଆଣିବାକୁ ଅନୁରୋଧ କରୁଅଛି, ଯେପରି ଅଧିକ ନ ହୁଏ । ଅଧିକ ହେଲେ ଶ୍ରୋତାମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥାଏ । ତାଙ୍କର ଏହି କଥା ଅନୁସାରେ ମୁଁ ମୋର ବକ୍ତବ୍ୟ ଲେଖିନେଇଥିଲି; କିନ୍ତୁ ପଢ଼ିବା ମୋ ପକ୍ଷରେ କଷ୍ଟକର । ପୂର୍ବରୁ କହିଅଛି-ବୟୋଧର୍ମର ଆଶୀର୍ବାଦରୁ ମୋର ଦୃଷ୍ଟିଶକ୍ତି ଅଧେ କମିଯାଇଅଛି । ରାତିରେ ଆଉ ଲେଖାପଢ଼ି କରିପାରୁ ନାହିଁ; ତଥାପି ରାତିରେ ଯାହା ଲେଖେ, ତାହା ଦେବ ଅକ୍ଷରରେ ପରିଣତ ହୋଇଯାଏ । ଧାଡ଼ି ଭିତରେ ଧାଡ଼ି ପଶିଯାଇ ଅନ୍ୟର ଅପାଠ୍ୟ ହୋଇଯାଇଥାଏ । ସକାଳୁ ତାହା ସଜାଡ଼ିନେବାକୁ ହୁଏ । ଜୋରରେ କଥା କହିପାରେ ନାହିଁ; କହିଲେ ଧଇଁ ସଇଁ ହୋଇପଡ଼େ । ମୋ ଭାଗ୍ୟରେ ଏ ପୁରସ୍କାର ଜରାଠାକୁରାଣୀଙ୍କ ପ୍ରଦତ୍ତ । ଦାନ୍ତ ନ ଥିବାରୁ ଶବ୍ଦ ଉଚ୍ଚାରଣ ମଧ୍ୟ ସ୍ପଷ୍ଟ ହୁଏ ନାହିଁ । ସେଥି ନିମନ୍ତେ ମୋର ନଗଣ୍ୟ ବକ୍ତବ୍ୟଟିକ ମୋର ପୁତ୍ର ଶ୍ରୀମାନ୍ ଉପେନ୍ଦ୍ର ସଭାରେ ପାଠ କରିଥିଲା । ତହିଁପରେ ଘୋଷିତ ପ୍ରବନ୍ଧର ପୁରସ୍କାର ଲେଖକମାନଙ୍କୁ ପ୍ରଦତ୍ତ ହେଲା । ଶେଷରେ ସଭାପତି ଏବଂ ଉପସ୍ଥିତ ଭଦ୍ରମଣ୍ଡଳୀକୁ ଯଥାରୀତି ଧନ୍ୟବାଦ ପ୍ରଦତ୍ତ ହୋଇ ସଭାଭଙ୍ଗ ହେଲା ।

 

ଆଉ ଗୋଟାଏ ମଜାର କଥା କହିବାକୁ ଭୁଲିଯାଉଛି । ପ୍ରଥମତଃ ସଭାପତିଙ୍କ ଗଳାରେ କାରୁକଳା ମଣ୍ଡିତ ଫୁଲର ଧଣ୍ଡା ଲମ୍ବାଇଦିଆହୋଇଥାଏ । ତହିଁ ପରେ ଦ୍ୱିତୀୟ ପୁରସ୍କାର ଅଛି । ସଭାପତିଙ୍କ ଆସନ ଉପରେ ଗୃହର ଛାତରେ କୌଶଳରେ ଛିଦ୍ର ରଖାହୋଇଅଛି । ତାହା ତଳକୁ ଦେଖାହୁଏ ନାହିଁ । ସଭାପତି ଆସନ ଗ୍ରହଣ କଲା ପରେ ସେ ଗୁପ୍ତ ଛିଦ୍ରପଥରେ ସଭାପତିଙ୍କ ମସ୍ତକରେ କୁସୁମାଞ୍ଜଳି ବର୍ଷିତ ହୁଏ । ଏହା ଏକ ଅଦ୍ଭୁତ ହୁନ୍ଦର ଏବଂ ବିଚିତ୍ର କବିଚାତୁରୀ । ସେହିସମୟରେ ସଭାପତି ଉପରକୁ ଚାହିଁ ଦେଲେ ଚକ୍ଷୁଯୋଡ଼ିକର ମାୟା ତ୍ୟାଗ କରିବାକୁ ହେବ । ଏହି ଅପୂର୍ବ ଭୋଜବାଜି ସମାଜର ସମ୍ପାଦକ ମହାଶୟଙ୍କର ଗଭୀର କବିକଳ୍ପନା ପ୍ରସୂତ । ଉପରକୁ ନ ଚାହିଁବା ପାଇଁ ପୂର୍ବରୁ ସଭାପତିଙ୍କୁ ସତର୍କ କରି ଦିଆହୋଇଥାଏ ।

 

ଆଜି ୨୫ ତାରିଖ ସକାଳଓଳି ଇତିହାସ ଶାଖାର ଅଧିବେଶନ । ଉପରଓଳି ବିଜ୍ଞାନ ଶାଖାର ଅଧିବେଶନ ହେବ । ଏ ବର୍ଷ ସାହିତ୍ୟସମାଜର ଏହା ନୂତନତ୍ୱ ଓ ବିଶେଷତ୍ୱ । ଏଣିକି କ୍ରମେ କ୍ରମେ ଦର୍ଶନ, ପ୍ରତ୍ନତତ୍ତ୍ୱ ପ୍ରଭୃତି ବିଭାଗ ଖୋଲିବାର ଆଶା କରାହୁଏ । ଯୁବକମାନେ ସାହିତ୍ୟ କ୍ଷେତ୍ରରେ ଏହିପରି ସ୍ପନ୍ଦନ ଆନୟନ କରନ୍ତୁ, ଏହାହିଁ କାମନୀୟ । ପ୍ରଥମ ପ୍ରବେଶରେ ଯେଉଁ ଶୁଭ ସଙ୍କେତର ବୀଜ ସେମାନେ ରୋପଣ କରିଅଛନ୍ତି, ତାହା ଅକ୍ଷୟ ହୋଇ ଶାଖାପ୍ରଶାଖା ବିସ୍ତାରପୂର୍ବକ ମହାମହୀରୂପରେ ପରିଣତ ହେଉ-ମଙ୍ଗଳମୟଙ୍କ ଶ୍ରୀଚରଣରେ ଏହାହିଁ ବିନୀତ ଭିକ୍ଷା । ସାଧୁକାର୍ଯ୍ୟର ସହାୟ ଭଗବାନ, ଯୁବକମାନଙ୍କର ଏହି ମହତ୍ ଉଦ୍ୟମରେ ସେ ନିଶ୍ଚୟ ଅମୃତ ଆଶୀର୍ବାଦ ସହସ୍ର ଧାରାରେ ବର୍ଷଣ କରିବେ–ଏ ବିଶ୍ୱାସ ଅସମୀଚୀନ ନୁହେ । ଯୁବକ ପ୍ରାଣରେ ସେହି ଏ ପ୍ରେରଣା ଆଣି ଦେଇଅଛନ୍ତି । ଦିନେ ସେହି ପ୍ରେରଣା-କଳ୍ପବୃକ୍ଷ ଶୀତଳ ଛାୟା ଓ ଅମୃତ ଫଳ ଦାନ କରି ଦେଶବାସୀଙ୍କୁ ପରିତୃପ୍ତ କରିବ; କିନ୍ତୁ ମୁଁ ତାହା ଦେଖିପାରିବି ନାହିଁ । ଏ ଜନ୍ମରେ ନ ଦେଖିଲେ ନାହିଁ, ପର ଜନ୍ମରେ ତ ଦେଖିବି–ଏହାହିଁ ମୋର ଆନନ୍ଦ । ବର୍ତ୍ତମାନ ସେହି ଭାବୀ ଆନନ୍ଦର ସ୍ମୃତିରେ ମୋର ପ୍ରାଣ ବିଭୋର । ଯଥାସମୟରେ ଇତିହାସ ଶାଖାର ଅଧିବେଶନ ହେଲା । ସଭାପତି ଶ୍ରୀମାନ୍ ସତ୍ୟନାରାୟଣ ରାଜଗୁରୁ ତାଙ୍କର ସୁଚିନ୍ତିତ ଅଭିଭାଷଣ ପାଠକଲେ । ଅଭିଭାଷଣଟି ବହୁ ଗବେଷଣାପୂର୍ଣ୍ଣ ଓ ମୌଳିକତାରେ ଅନୁପ୍ରାଣିତ । ତାହା ଶ୍ରୋତୃମଣ୍ଡଳୀଙ୍କର ପ୍ରୀତିପ୍ରଦ ହୋଇଥିଲା । ସଭାସ୍ଥଳରେ କେହି ତାହାର ସମାଲୋଚନା କଲେ ନାହିଁ ବୋଲି ‘ଉତ୍କଳଦୀପିକା’ ଦୁଃଖ ପ୍ରକାଶ କରି ଲେଖିଥିଲେ । ଖାଲି ଦୁଃଖ ପ୍ରକାଶରେ କି ଫଳ, ତାହା ସେହି ଜାଣନ୍ତି । ଦୀପିକାର ସମ୍ପାଦକ ଜଣେ ଉଚ୍ଚଶିକ୍ଷିତ ଯୁବକ, ଇଚ୍ଛା କରିଥିଲେ ତାଙ୍କ ପତ୍ରିକାରେ ସେ ସମାଲୋଚନା କରିପାରିଥାନ୍ତେ । ପ୍ରବନ୍ଧ ବାସି ହୋଇଗଲେ ପଚିଯାଏ ନାହିଁ, ଏବେ ସୁଦ୍ଧା ସେ ସମାଲୋଚନା କରିପାରନ୍ତି । ଜଜ୍, କଲେକ୍‌ଟର ପରି ପଦେ ହୁକୁମ ଝାଡ଼ିଦେଲେ ସମ୍ପାଦକୀୟ କର୍ତ୍ତବ୍ୟ ଶେଷ ହୁଏ ନାହିଁ । ସମ୍ପାଦକ ଲୋକଶିକ୍ଷକ । ଆଦର୍ଶ ଶିକ୍ଷା ଦେବା ତାଙ୍କର ଗୌରବମୟ କର୍ତ୍ତବ୍ୟ । ସଭାପତି ଅଭିଭାଷଣ ପରେ ଶ୍ରୀଯୁକ୍ତ ସତୀନ୍ଦ୍ରନାରାୟଣ ରାୟ ମହାଶୟଙ୍କର ‘ଇତିହାସର ଅନ୍ଧକାର’ ଶୀର୍ଷକ ପ୍ରବନ୍ଧ ପାଠ କରାହେଲା । ପ୍ରବନ୍ଧଟି ସମୟୋପଯୋଗୀ ସାରଗର୍ଭକ, ସୁତରାଂ ଉପଭୋଗ୍ୟ । ସେଥିରେ ଶିକ୍ଷାର ଉପାଦାନ ଯଥେଷ୍ଟ ଥିଲା । ତତ୍ପରେ ଡାକ୍ତର ରାଧାଚରଣ ପଣ୍ଡା ତାଙ୍କର ‘ପ୍ରାଚୀତୀରେ ପ୍ରାଚୀନ କୀର୍ତ୍ତି’ ପ୍ରବନ୍ଧ ପାଠ କରି ଚିତ୍ର ସହ ବୁଝାଇଦେଇଥିଲେ । ତାହା ସୁଦ୍ଧା ‘ଉତ୍କଳଦୀପିକା’ର ମନକୁ ଆସିଲା ନାହିଁ । ଟିକିଏ ବିଦ୍ରୁପସୂଚକ ମନ୍ତବ୍ୟରେ ଲେଖକଙ୍କୁ ପୁରସ୍କୃତ କରାହେଲା । ସେଭଳି ମନ୍ତବ୍ୟର ମୂଲ୍ୟ କିଛି ନାହିଁ ତାହା ହାସ୍ୟରସ ହିସାବରେ ଉପଭୋଗ୍ୟ ହୋଇପାରେ । ସୁଦୂର ତୈଲଙ୍ଗୀୟ ରାଜ୍ୟ ମଧ୍ୟରେ ଘର କରି ଲେଖକ ଓଡ଼ିଶାର ଐତିହାସିକ କୀର୍ତ୍ତି ତନ୍ନ ତନ୍ନ ଅନୁସନ୍ଧାନ କରି ଗୋଟାଏ ମହାର୍ହ ପ୍ରାଚୀନ ଘଟଣା ଆବିଷ୍କାର କଲେ; କିନ୍ତୁ ପ୍ରାଚୀ ଆମ ବାଡ଼ି ଦୁଆର ପାଖରେ ଥିଲେ ସୁଦ୍ଧା ଆମେ କଅଣ କଲେ ? ନିଜେ କିଛି କରିବୁ ନାହିଁ ଅଥଚ କେହି କିଛି କଲେ ବାଛିବୁ ଏହା ହିଁ ଆମ ଶିକ୍ଷାର ବିଶେଷତ୍ୱ । ଲେଖାରେ ଭ୍ରମପ୍ରମାଦ ଥାଇପାରେ, ତାହା କାହାର ବା ନ ଥାଏ ? ମାତ୍ର ଗୁଣଗ୍ରହଣ ସର୍ବତୋଭାବରେ କର୍ତ୍ତବ୍ୟ ।

 

ସଭାପତିଙ୍କୁ ଧନ୍ୟବାଦ ପ୍ରଦତ୍ତ ହେଲା ପରେ ଠିକ୍ ଦଶଟାବେଳେ ସଭାଭଙ୍ଗ ହେଲା । ଯଦୁନାଥ ବାବୁ ସଭାରେ ଉପସ୍ଥିତ ଥିଲେ । ସେ ମୋତେ ତାଙ୍କ ଘରକୁ ନେଇଗଲେ । ଭୋଜନର ଆୟୋଜନ ଦେଖି ସ୍ତମ୍ଭୀଭୂତ ହୋଇଗଲି । ଯଦୁନାଥବାବୁ ନିଜେ ବସି ପାଚକଦ୍ୱାରା ଷଡ଼ରସପୂର୍ଣ୍ଣ ବତ୍ରିଶ ବ୍ୟଞ୍ଜନ ପ୍ରସ୍ତୁତ କରାଇଥିଲେ । ଥାଳୀ ଚାରି ପାଖରେ ବିବିଧ ଉପାଦେୟ ଆଚାର, ତରକାରୀ, ଭଜା ପ୍ରଭୃତିରେ ତିନୋଟି ବୃତ୍ତ ଅଙ୍କିତ ହୋଇଗଲା । ହାତୀ ଆଖୁ ବାଡ଼ିରେ ପଶିଲା ପରି ମନ କାହାକୁ ଛାଡ଼ି କାହାକୁ ଖାଇବ ବୋଲି ଅସ୍ଥିର ହୋଇପଡ଼ିଲା । ଯଦୁନାଥବାବୁ ଆଗରେ ବସି ଏଟା ଖାଆନ୍ତୁ-ସେଟା ଖାଆନ୍ତୁ-ଏଥିରେ ତ ହାତ ମାରିଲେ ନାହିଁ–ଏହିପରି ସ୍ନେହର ପ୍ରେରଣା ଦେଉଥାଆନ୍ତି । ସବୁ ତରକାରୀରୁ ଥରେ ଥରେ ଖାଇଲେ ପେଟର ତିନିଭାଗ ପୂର୍ଣ୍ଣ ହୋଇଯିବ । ସଜ ମରା ଗୁଆଘିଅ ଆଣ, ଦହି ଆଣ, ଛେନା ଆଣ, ମିଷ୍ଟାନ୍ନ ଆଣ–ଏହିପରି ବରାତରେ ବାବୁ ଲାଗିଥାନ୍ତି । ଆଦେଶମାତ୍ରେ ସେ ସବୁ ପହଞ୍ଚିଯାଉଥାଏ । ମୁଁ, ସୋମନାଥ, ଉପେନ୍ଦ୍ର ଏକ ପଙ୍‌କ୍ତିରେ ବସିଥାଉ । ଉପେନ୍ଦ୍ର ଯଦୁନାଥ ବାବୁଙ୍କର ଛାତ୍ର । ତାକୁ ସେ ଅନୁଜ ପରି ସ୍ନେହ କରନ୍ତି । ତାହାର ପିତାମହୀଙ୍କର ସ୍ନେହଦତ୍ତ ନାମ ଗୋବିନ୍ଦ । ଘରେ ସମସ୍ତେ ସେହି ନାମରେ ଡାକନ୍ତି । ଯଦୁନାଥ ବାବୁ ବି ଗୋବିନ୍ଦ ବୋଲି ଡାକନ୍ତି । ‘‘ଗୋବିନ୍ଦ, ତୁ ପିଲାଟା ଖାଉ ନାହୁଁ, ଲାଜ କରୁଛୁ କାହିଁକି’’ ବୋଲି ତାଗିଦ୍ ଦିଆହେଉଥାଏ । ବାବୁଙ୍କ ପିଲାଗୁଡ଼ିକ ବି ପରିବେଷଣରେ ଲାଗିଥାଆନ୍ତି । ସେଗୁଡ଼ିକ କି ଶାନ୍ତ-କି ଶିଷ୍ଟ ! ‘‘ଯଥା କୁଳେ ଜନ୍ମ ତଥା ଗରିଷ୍ଠ ।’’ ବ୍ୟବହାରରେ ଏହି ସାର ସତ୍ୟବାଣୀ ଅକ୍ଷରେ ଅକ୍ଷରେ ସାର୍ଥକ ହେଉଥାଏ । ଭୋଜନରେ ଷୋଳକୋଠା ପୂର୍ଣ୍ଣ ହୋଇଗଲା । ଆଗମନ ପରେ ସୁଖଦୁଃଖର କଥା ଅନେକ ହେଲା । ସେଦିନ ଶରତ୍‍ବାବୁଙ୍କ ଘରେ ତରୁଣ ସମିତି-। ପୂର୍ବରୁ ଉପେନ୍ଦ୍ର ନିମନ୍ତ୍ରିତ ହୋଇଥିଲା । ଆଗରୁ ସେ ସେଠାକୁ ଗଲା । ମୁଁ ଓ ସୋମନାଥ ବସାକୁ ଆସିଲୁଁ; ପହଞ୍ଚିବାବେଳକୁ ବାରଟା ବାଜିଯାଇଥିଲା ।

 

ଖରାରେ ଗାଡ଼ିରେ ଆସିବାରୁ ହାଲିଆ ବୋଧହେଲା । ବସି ଟିକିଏ ବିଶ୍ରାମ କରୁଅଛି, ଏହି ସମୟରେ ଗୋପାଳବାବୁଙ୍କ ଭାଇ କୃଷ୍ଣଚନ୍ଦ୍ର ମିଶ୍ର ଆସି ଉପସ୍ଥିତ । ସେ ଜଣେ ଏମ୍‌. ଏ., ବି. ଏଲ୍. ଓ ଗୋପାଳ ବାବୁଙ୍କ ଭାଷାକୋଷ ଅନୁଷ୍ଠାନର ଅନ୍ୟତମ ସହକାରୀ; କିନ୍ତୁ ବେଶଭୂଷା ଓ ବ୍ୟବହାରରୁ ଏଡ଼େ ବଡ଼ ବିଦ୍ୱାନ୍ ବୋଲି ଜଣାହେଉ ନ ଥିଲା । କୃଷ୍ଣବାବୁ କହିଲେ, ‘‘ଭାଇନା ଆପଣଙ୍କ ଅପେକ୍ଷାରେ ଅଛନ୍ତି, ମୁଁ ଗାଡ଼ି ଘେନି ଆସିଛି, ଯିବା ଚାଲନ୍ତୁ ।’’ ତହୁଁ ମୁଁ ଆସିଲି, ସୋମନାଥ ମୋ ସଙ୍ଗରେ ଆସିଲା । ସମସ୍ତେ ଗାଡ଼ିରେ ବସି ଯଥା ସମୟରେ ଯାଇ ଗୋପାଳବାବୁଙ୍କ ଘରେ ପହଞ୍ଚିଲୁଁ । ଗୋପାଳବାବୁ ଖଣ୍ଡେଦୂରରୁ ଆସି ମୋତେ କୁଣ୍ଢାଇପକାଇ ତାଙ୍କ ଭାଷାକୋଷ ଅଫିସ ଘରେ ନେଇ ବସାଇଲେ । ନିଜେ ଯାଇ ପାନ ଆଣି କୁଟିବାକୁ ଲାଗିଲେ-। ନିଷେଧ କରନ୍ତେ ତାଙ୍କ ସ୍ୱାଭାବିକ ଖାଣ୍ଟି ଖିଆଲିଆ କୌତୁକିଆ ଭାଷାରେ କହିଲେ, ‘‘ତୁ ଯେଉଁ ମାଆର ପୁଅ, ମୁଁ ବି ତ ସେହି ମାଆର ପୁଅ, ଭାଇ ଭାଇ ମଧ୍ୟରେ ପୁଣି ସଙ୍କୋଚ କଅଣ-?’’ ଭାଷାକୋଷର ପାଣ୍ଡୁଲିପି ଦେଖି ମୁଁ ସ୍ତମ୍ଭୀଭୂତ ହୋଇଗଲି । ଭାବିଲି, ଏ କଅଣ, ପାଣ୍ଡୁଲିପି ନା ପୁସ୍ତକର ପାହାଡ଼ ! ଗୋପାଳବାବୁ ପୁସ୍ତକ ଖୋଲି ମୋ ପୁସ୍ତକର କେତେଟା ଉଦାହରଣ ଦେଖାଇଦେଲେ । ଅଫିସ ଘରଟାଯାକ କେବଳ ପ୍ରକାଣ୍ଡ ପ୍ରକାଣ୍ଡ ପାଣ୍ଡୁଲିପିରେ ପୂର୍ଣ୍ଣ । ହୃଦୟଭାବ ଗୋପନ ରଖିପାରିଲି ନାହିଁ, ଆବେଗରେ ଗୋପାଳବାବୁଙ୍କୁ କହି ପକାଇଲି, ‘‘ଆପଣ ସାଧାରଣ ମନୁଷ୍ୟ ନା ଯୋଗୀ ? ମନୁଷ୍ୟ କି ଏଡ଼େ ବଡ଼ ବିପୁଳ କୀର୍ତ୍ତି ସ୍ଥାପନ କରିପାରେ ।’’ ବାସ୍ତବରେ ଏହା ତାଙ୍କର ବହୁବର୍ଷବ୍ୟାପୀ ଯୋଗସାଧନର ଫଳ । ଏହି ଆଶ୍ରମରେ ବସି ଅସାଧାରଣ ଧୈର୍ଯ୍ୟ, ସହିଷ୍ଣୁତା ଓ ଅଧ୍ୟବସାୟ ବଳରେ ସେ ଏହି ବିରାଟ ଶବ୍ଦ-ହିମାଳୟ ସୃଷ୍ଟି କରିଅଛନ୍ତି । ତାଙ୍କର ଗଭୀର ଗବେଷଣା, ଅଖଣ୍ଡ ଚିନ୍ତା କେବଳ ତାଙ୍କୁ ହିଁ ପଟାନ୍ତର । ଶୁଣିଲି, ତିନିବର୍ଷ ହେଲା ସେ ଏକାବେଳକେ ଓକିଲାତି ଛାଡ଼ିଦେଇ ଏହି କାର୍ଯ୍ୟରେ ଶରୀର, ମନ, ପ୍ରାଣ ବିନିଯୋଗ କରିଅଛନ୍ତି । ଗତବର୍ଷ ଓକିଲାତିରୁ ସେ ମୋଟରେ ୨୩ ଶହ ଟଙ୍କା ମାତ୍ର ପାଇଥିଲେ । ହଜାର ହଜାର ଟଙ୍କାର ମୋହ ଛାଡ଼ିବା ସାମାନ୍ୟ ସ୍ୱାର୍ଥତ୍ୟାଗର ଦୃଷ୍ଟାନ୍ତ ନୁହେ । ନିଜର ମାତୃଭୂମି, ମାତୃଭାଷା ଓ ମାତୃସାହିତ୍ୟ ପାଇଁ ସେ ଯାହା କରିଗଲେ, ସେଭଳି ଉଚ୍ଚ ମହାନ ଶୁଭ ଦୃଷ୍ଟାନ୍ତ ଜାତୀୟ ଇତିହାସ ବକ୍ଷରେ ଧାରଣ କରି ଧନ୍ୟ ହେବ । ଉତ୍କଳର ଭାବୀ ବଂଶଧର ତାଙ୍କର ସ୍ୱର୍ଣ୍ଣମୂର୍ତ୍ତି ନିର୍ମାଣ କରି ରତ୍ନ ଖଟୁଳିରେ ବସାଇ ଭକ୍ତି-ପ୍ରୀତିର ଷୋଡ଼ଶୋପଚାରରେ ପୂଜା କରିବେ-। ଏଭଳି ଖଣ୍ଡିଏ ସର୍ବାଙ୍ଗସୁନ୍ଦର ପୂର୍ଣ୍ଣାଙ୍ଗ ଅଭିଧାନ ସଙ୍କଳନ କରିଥିଲେ ପୃଥିବୀର ଯେକୌଣସି ସଭ୍ୟ ସମୁନ୍ନତ ଜାତି ନିଶ୍ଚୟ ଗର୍ବ ଅନୁଭବ କରିଥାନ୍ତା । ସୁଦୂର ପାଶ୍ଚାତ୍ୟଖଣ୍ଡରେ ଓଡ଼ିଆ ଭାଷାକୋଷର ଆଦର କ୍ରମଶଃ ବୃଦ୍ଧି ଲାଭ କରୁଅଛି । ଇଙ୍ଗ୍‍ଲଣ୍ଡ, ଆମେରିକା, ଜର୍ମାନ, ଫ୍ରାନ୍‌ସ, ଇଟାଲୀ ପ୍ରଭୃତି ଆଦର୍ଶ ଦେଶର ଅଧିବାସୀ ଅତି ଆଗ୍ରହରେ ଏହି ପୁସ୍ତକ ପାଇଁ ବରାତ ଦେଉଅଛନ୍ତି । ଏହା ଉତ୍କଳ ପକ୍ଷରେ ସାମାନ୍ୟ ସୌଭାଗ୍ୟ ଏବଂ ପ୍ରଶଂସାର ବିଷୟ ନୁହେ । ଗୋପାଳ ବାବୁ ଦୁର୍ଜନର ପରମାୟୁ ଘେନି ସହସ୍ରାୟୁ ହେଉନ୍ତୁ, ମଙ୍ଗଳ-ବିଧାତାଙ୍କ ନିକଟରେ ଏହି ଭିକ୍ଷା । ଏକା ଓଡ଼ିଆ ଭାଷା ନୁହେ, ଏହି ପୁସ୍ତକଦ୍ୱାରା ପୃଥିବୀର ଜାବତୀୟ ଭାଷାର ଉପକାର ହେବ । ଅତି ପ୍ରାଚୀନ ଓଡ଼ିଆ ମହାଭାଷାର ମହତ୍ତ୍ୱ କେତେ, ତାହାର ଆସନ କେତେ, ଊର୍ଦ୍ଧ୍ୱରେ ଏହି ପୁସ୍ତକରୁ ପୃଥିବୀର ଲୋକ ତାହା ସହଜରେ ଉପଲବ୍‌ଧି କରିପାରିବେ । ପାଣ୍ଡୁଲିପିର ଲେଖା ଶେଷ ହୋଇଅଛି, ତଥାପି ଗୋପାଳବାବୁଙ୍କର ବିଶ୍ରାମ ନାହିଁ । ସେ ଯେଉଁଠି ଯାହା ପାଉଅଛନ୍ତି, ତାହା ଆଣି ମଝିରେ ମଝିରେ ଗୁଞ୍ଜାଗୁଞ୍ଜି କରୁଅଛନ୍ତି ।

 

କିନ୍ତୁ ଦାରୁଣ ଦୁଃଖ, କ୍ଷୋଭ ଏବଂ ଲଜ୍ଜାର ବିଷୟ ଏଭଳି ଦୁର୍ଲ୍ଲଭ ମହାରତ୍ନର ମୂଲ୍ୟ ଓଡ଼ିଶା ବୁଝୁ ନାହିଁ । ବୁଝିଥିଲେ ଏତେଦିନ ଯାଏ ଓଡ଼ିଆ ଭାଷାକୋଷ ପାଣ୍ଡୁଲିପି ଅବସ୍ଥାରେ ନ ଥାନ୍ତା । ଏତେବେଳକୁ ତାହାର ବହୁ ସଂସ୍କରଣ ହୋଇଯାଇଥାନ୍ତା । ଓଡ଼ିଶାର ଜଣେ କେହି ରାଜା ମହାରାଜା ଇଚ୍ଛାକଲେ ଏହାର ସମ୍ପୂର୍ଣ୍ଣ ମୁଦ୍ରଣବ୍ୟୟ ବହନ କରିପାରନ୍ତେ । ଯେଉଁ ଦେଶର ଆଦର୍ଶ ମନୀଷୀ ରାଜନ୍ୟବୃନ୍ଦ ମନୁ, ପରାଶର, ଭାଗବତ, ପଣ୍ଡିତସର୍ବସ୍ୱ ପ୍ରଭୃତି ବହୁବ୍ୟୟସାଧ୍ୟ ବିରାଟ ଶାସ୍ତ୍ର-ଗ୍ରନ୍ଥ ପ୍ରକାଶ କରି ଘରେ ଘରେ ବିନାମୂଲ୍ୟରେ ବିତରଣ କରିଯାଇଅଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଅକାତର ବ୍ୟୟରେ ଦେଶରେ ବିରାଟ ଶିକ୍ଷା-ମନ୍ଦିର ସ୍ଥାପନ କରି ଉଚ୍ଚଶିକ୍ଷାର ସୁବିଧା କରିଯାଇଅଛନ୍ତି, ସେହି ପୁଣ୍ୟପ୍ରାଣ ରାଜନ୍ୟବୃନ୍ଦଙ୍କ ସୁଯୋଗ୍ୟ ବଂଶଧର ଦେଶରେ ଏଭଳି ଆଶା କରିବା ଅସଙ୍ଗତ ବା ଅତିରଞ୍ଜିତ ନୁହେ, ବରଂ ସ୍ୱାଭାବିକ । ବର୍ତ୍ତମାନ ସୁଦ୍ଧା ରାଜାମହାରାଜା ଲକ୍ଷ ଲକ୍ଷ ଦେଇ ହୀରା, ନୀଳା ପ୍ରଭୃତି ସାମାନ୍ୟ ଗୋଡ଼ିପଥର କିଣି ରଖୁଅଛନ୍ତି; କିନ୍ତୁ ହାୟ, ଭାଷାକୋଷ ପରି ମହାରତ୍ନକୁ କେହି ପଚାରିବାକୁ ନାହିଁ । ଏହାଠାରୁ ବଳି କ୍ଷୋଭର ଆଶ୍ଚର୍ଯ୍ୟ ଉଦାହରଣ ଆଉ କଅଣ ହୋଇପାରେ ? ଏ ଅତୁଳ ରତ୍ନର ଜ୍ୟୋତି ନିକଟରେ ହୀରାନୀଳାର ଜ୍ୟୋତି ଅତି ଅକିଞ୍ଚିତ୍‌କର ଏବଂ ଅତି ତୁଚ୍ଛ । ଯେତେଦିନ ଯାଏ ଏ ଦେବଭୂମି ଉତ୍କଳ ଦେଶ ଥିବ, ଯେତେ ଦିନ ଯାଏ ଓଡ଼ିଆ ଭାଷା ଥିବ, ତେତେ କାଳ ଯାଏ ଏ ଅକ୍ଷୟ-କୀର୍ତ୍ତିରତ୍ନର ଜ୍ୟୋତି ଅକ୍ଷୟ ହୋଇ ରହିବ ଏବଂ ସେହି ଜ୍ୟୋତି ମଧ୍ୟରେ ବଦାନ୍ୟ ନୃପତିମାନଙ୍କର ପବିତ୍ର ଜ୍ୟୋତିର୍ମୟ ଯଶୋମୂର୍ତ୍ତି ଦେଦୀପ୍ୟମାନ ରହିବ । ‘‘କୀର୍ତ୍ତିରକ୍ଷର ସମ୍ବନ୍ଧା ସ୍ଥିରା ଭବତି ଭୂତଳେ ।’’ ଏହି ବାଣୀର ମର୍ଯ୍ୟାଦା ରଖିବା ପାଇଁ ରାଜନ୍ୟମଣ୍ଡଳୀ ଅଗ୍ରସର ହେଉନ୍ତୁ, ଏହାହିଁ ପ୍ରାର୍ଥନୀୟ । ଅତୀବ ଆନନ୍ଦର ବିଷୟ, ଆଠମଲ୍ଲିକର ଗୁଣଗ୍ରାହୀ ମହାରାଜା ମହୋଦୟ ସ୍ୱତଃପ୍ରବୃତ୍ତ ହୋଇ ଖଣ୍ଡିକର ମୁଦ୍ରଣବ୍ୟୟ ପ୍ରଦାନ କରିବାକୁ ସ୍ୱୀକୃତ ହୋଇଅଛନ୍ତି । ମୁଁ ଦେଶ ପକ୍ଷରୁ ତାଙ୍କର ଜୟଜୟକାର ଘୋଷଣା କରୁଅଛି । ଏହିପରି ଜଣେ ଜଣେ ଗୋଟିଏ ଗୋଟିଏ ଭାଗର ବ୍ୟୟ ବହନ କଲେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅଦୂର ଭବିଷ୍ୟତରେ ପୂର୍ଣ୍ଣଚନ୍ଦ୍ର ପରି ଷୋଳକଳା ପ୍ରଭା ବିସ୍ତାରପୂର୍ବକ ଉତ୍କଳର ମୁଖ ଜ୍ୟୋତିର୍ମୟ କରିବ ।

 

ଏ ବିଷୟରେ ଶିକ୍ଷିତ ଜନସାଧାରଣଙ୍କର ବି ଗୁରୁତର କର୍ତ୍ତବ୍ୟ ଅଛି । ସମସ୍ତେ ଖଣ୍ଡିଏ ଲେଖାଏଁ କିଣିଲେ ଅତି ଅଳ୍ପଦିନ ମଧ୍ୟରେ ପୁସ୍ତକର ଦ୍ୱିତୀୟ ସଂସ୍କରଣ ଆବଶ୍ୟକ ହେବ । ନିର୍ଦ୍ଦିଷ୍ଟ ସଂଖ୍ୟାରେ ପୁସ୍ତକ ଛାପାହେଉଅଛି, ସରିଗଲେ ଏ ମହାରତ୍ନ ସଞ୍ଚୟରୁ ବଞ୍ଚିତ ହେବାକୁ ହେବ । ଅତଃ ଶୀଘ୍ର ତତ୍ପର ହେବା ବାଞ୍ଛନୀୟ ।

 

ଗୋପାଳ ବାବୁଙ୍କଠାରୁ ବିଦାୟ ନେଇ ଆସି ଚାରିଟାବେଳେ ବସାରେ ପହଞ୍ଚିଲି । ତତ୍‌ପୂର୍ବରୁ ଜଳଖିଆ ସାମଗ୍ରୀ ଆସି ଉପଯୁକ୍ତ ସଦ୍‌ବ୍ୟବହାରର ଅପେକ୍ଷାରେ ଥିଲା । ଏଣେ ଉଦର-ଦାନବ ମହାକ୍ରୋଧରେ ନାଗ ସାପ ପରି ଫଁଫଁ ହୋଇ ଗର୍ଜନ ଛାଡ଼ିଥାଏ । ତାକୁ ସେଥିରୁ କିଛି ଅର୍ପଣ କରିବାରୁ ସେ ଶାନ୍ତି ଭଜିଲା । ସାଢ଼େ ଛଅଟାବେଳେ ବିଜ୍ଞାନ ସଭାର ଅଧିବେଶନ, ମୋତେ ସେଠାକୁ ସାଢ଼େ ପାଞ୍ଚଟାବେଳେ ଯିବାକୁହେବ । ଆଜି ଗୀତା ପଢ଼ି ନାହିଁ, ମନେ ମନେ ଦୁଇଚାରିଟା ଶୋକ ଆବୃତ୍ତି କରିଅଛି । ଏହି ସମୟରେ ଶଶୀ ବାବୁ, ଶରତ ବାବୁ ଦୁହେଁ ଆସି ଉପସ୍ଥିତ । ଶଶୀବାବୁ କହିଲେ–ଆଜି ସବୁଜ ସାହିତ୍ୟ ସମାଜ ପକ୍ଷରୁ ଆପଣଙ୍କୁ ସମ୍ବର୍ଦ୍ଧନା କରାହେବ । କେତେବେଳେ ଆପଣଙ୍କର ସମୟ ହେବ, ଶରତ୍‍ବାବୁ ପଚାରିବାକୁ ଆସିଅଛନ୍ତି । ମୁଁ କହିଲି–ସମୟ ମୋ ହାତରେ ନାହିଁ, ଆପଣମାନଙ୍କ ହାତରେ । ତହୁଁ ସାଢ଼େପାଞ୍ଚଟା ବେଳେ ସବୁଜ ସାହିତ୍ୟ ସମାଜର ଅଧିବେଶନ ଶ୍ରୀରାମଚନ୍ଦ୍ର ଭବନରେ ହେବାର ସ୍ଥିର ହେଲା । ସେ ଦୁହେଁ ଗଲା ପରେ ଆଉ କେତେ ଜଣ ଭଦ୍ରବ୍ୟକ୍ତି ଆସିଲେ । ସେମାନଙ୍କ ସଙ୍ଗରେ କଥୋପକଥନ ଲାଗିଅଛି, ଏତିକିବେଳେ ଉଷାର ଦୌରାତ୍ମ୍ୟ ବାହାରିଲା । ଆଜିଯାଏ ଘରକଥା ତାହା ମନରେ ନ ଥିଲା, ଆଜି ବଉ ପାଖକୁ ଯିବାକୁ ବାହାରିଲା । ଏକୁଟିଆ ଯାଇ ଶଶୀ ବାବୁଙ୍କ ଘର ପାଖରେ ହୋଇଥିଲା, ଶ୍ରୀନାଥ ଯାଇ କାଖେଇ ଘେନିଆସିଲା । ଆଉ ତାକୁ ସମ୍ଭାଳେ କିଏ ? କଚାଡ଼ି ହୋଇ ଅସ୍ଥିର ହେଲା । ଯେତେ ବହଲା ବହଲି କଲେ ସୁଦ୍ଧା କିଛି ଫଳ ହେଲା ନାହିଁ । ସୋମନାଥକୁ କହିଲା-ବଜାରରୁ ଗୋଟିଏ ବଉ କିଣିଆଣ । ଏହା ଶୁଣି ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କ ମଧ୍ୟରେ ହାସ୍ୟର ଗୋଟାଏ ଢେଉ ଖେଳିଗଲା । ଅଜ୍ଞାନ ଶିଶୁର ବିଶ୍ୱାସ, ମିଠେଇ ରସଗୋଲା ପରି ବଉ ବି ବଜାରରେ ବିକାହୁଏ । ଆହା, ସରଳପ୍ରାଣ ଶିଶୁର କି ସରଳ ବିଶ୍ୱାସ ! ବିଧାତା ଶିଶୁର ସ୍ୱଚ୍ଛପ୍ରାଣକୁ କେବଳ ସାରଲ୍ୟରେ ଗଢ଼ିଥାଏ । ଏହି ସମୟରେ ଗୋଟାଏ ମାଙ୍କଡ଼ କାହା ବାଡ଼ିରୁ ଗୋଟାଏ କାକୁଡ଼ି ଚୋରି କରି ଆଣି ଛାତ ଉପରେ ବସି ଖାଇବାକୁ ଲାଗିଲା । ତାହା ଦେଖି ଉଷା ବଉ କଥା ମନରୁ ଭୁଲିଗଲା । ମାଙ୍କଡ଼ ସଙ୍ଗରେ ତାହାର କଥାବାର୍ତ୍ତା ଲାଗିଲା । ତାକୁ ପୁରୀ, ମିଠେଇ ପ୍ରଭୃତି କେତେ ଲାଞ୍ଚ ଯାଚିଲା । ବାଳକ ପ୍ରାଣରେ ବିଧାତା ଜଞ୍ଜାଳ ଯେପରି ଦେଇଥାଏ, କ୍ଷଣବିସ୍ମୃତି ବି ସେହିପରି ଦେଇଥାଏ । ଏହି କ୍ଷଣବିସ୍ମୃତି ଟିକକ ଦେଇ ନ ଥିଲେ ତାକୁ ସମ୍ଭାଳି ରଖିବା ଅସମ୍ଭବ ହୋଇଥାଆନ୍ତା । ଶିଶୁର ଅମାଗୁଣି ଜଗତରେ କିଛି ନାହିଁ । ସେ ଆକାଶର ଚନ୍ଦ୍ରକୁ ଆଣି ଦେବା ପାଇଁ ମାଗେ, ବିଜୁଳି ସଙ୍ଗରେ ଖେଳିବାକୁ ଅଳି କରେ । ତାହା ବିଚାରରେ ଅସମ୍ଭବ କିଛି ନାହିଁ । ଏହି ସରଳତା ହେତୁ ତାହାର ପ୍ରାଣ ମଧୁମୟ ବ୍ୟବହାର ମଧୁମୟ ଏବଂ ଅଳି ଅଜଟ ବି ଅମୂଲ୍ୟ ମଧୁମୟ । ସେହିଥିରେ ସେ ଜଗତକୁ ବଶୀଭୂତ କରି ଅପାର୍ଥିବ ଆନନ୍ଦ ଦାନ କରେ । ଯେଉଁ ଘରେ ବାଳକର ଲୀଳାଖେଳା ନାହିଁ, ସେଘର ନିରାନନ୍ଦପୂର୍ଣ୍ଣ ଏବଂ ଚିର ଅନ୍ଧକାରମୟ । ଅମୃତ ସ୍ୱର୍ଗରେ ଥାଏ ବା ଥାଇପାରେ, କିନ୍ତୁ ମର୍ତ୍ତ୍ୟରେ ଶିଶୁଭାଷାରେ ତାହା ଅତି ସୁଲଭ ।

 

କିଛିକ୍ଷଣ ପରେ ସବୁଜସାହିତ୍ୟ ସମାଜରୁ ସମ୍ବାଦ ଆସିଲା-ସାଢ଼େ ପାଞ୍ଚଟାବେଳେ ଗଲେ ସମୟ ଅଣ୍ଟିବ ନାହିଁ, ଠିକ୍ ପାଞ୍ଚଟାବେଳେ ଯିବାକୁ ହେବ । ମୁଁ ଆଉ କାଳ ବିଳମ୍ବ ନ କରି ବାହାରିଲି । ସେଦିନ ରିକ୍‌ସା ଗାଡ଼ିରେ ଯିବାକୁ ହେଲା । ଦାରୁଣ ଗ୍ରୀଷ୍ମରେ ଦେହ ଜଳିଗଲା ପରି ଲାଗୁଥାଏ । ମୁଁ ଯାଇ ଶ୍ରୀରାମଚନ୍ଦ୍ର ଭବନର ବାରନ୍ଦାରେ ବସିଲି । ଶ୍ରୀନାଥ ମୋତେ ବିଞ୍ଚିଦେଉଥାଏ-। ଏହି ସମୟରେ ରଙ୍ଗାଧର ବାବୁ ଆସି କଥାବାର୍ତ୍ତା ଲଗାଇଲେ । ଶ୍ରୀନାଥର ବିଞ୍ଚିବା ଠିକ୍ ହେଉ ନାହିଁ ଦେଖି ସେ ତାହା ହାତରୁ ପଙ୍ଖା ଟାଣିନେଇ ନିଜେ ବିଞ୍ଚିବାକୁ ଲାଗିଲେ । ସେ ମୋ ପ୍ରତି ଅସାଧାରଣ ଭକ୍ତି ପ୍ରଦର୍ଶନ କରନ୍ତି, ତାଙ୍କ ମନରେ ବିକାର ନାହିଁ; କିନ୍ତୁ ମୋତେ ସଙ୍କୋଚ ଲାଗିଲା-। ରଙ୍ଗାଧର ବାବୁ ଗଭର୍ଣ୍ଣମେଣ୍ଟ ଶିଳ୍ପବିଭାଗର ଜଣେ ବିଶିଷ୍ଟ କର୍ମଚାରୀ । ତାଙ୍କର ଅଫିସ୍ ଭଦ୍ରଖରେ ଥିଲା । କିଛିକାଳ ହେଲା କଟକକୁ ଉଠିଆସିଛି । ସେ ଶିଳ୍ପବିଦ୍ୟାରେ ଖୁବ୍ ପ୍ରବୀଣ । ନିଜେ ଏଣ୍ଡିପୋକ ପୋଷି ସେଥିରୁ ସୂତା ବାହାର କରି ଲୁଗା ବୁଣନ୍ତି; ନାନାପ୍ରକାର ଖେଳଣା ତିଆରି କରନ୍ତି । ସ୍ଥୂଳତଃ ଶିଳ୍ପବିଦ୍ୟାରେ ସେ ଜଣେ ହରହୁନ୍ଦରିଆ । ମୋର ଜଣେ ଆତ୍ମୀୟର ଆତ୍ମୀୟ ଚାକିରୀ ସକାଶେ ମୋ ପାଖକୁ ଅନେକ ଥର ଆସିଲା । ଚାକିରୀର କଳ ବା ଗଛ ମୋ ପାଖରେ ନାହିଁ । ଲୋକଟିର ଉଦ୍ଦେଶ୍ୟ ଯେ, କେଉଁଠି ଚାକିରୀ ଖାଲି ହେଲେ ମୁଁ ତାହା ପାଇଁ ସୁପାରିସ କରିବି । ବର୍ତ୍ତମାନ ଚାକିରୀ ବଜାରରେ ତ ନଅଙ୍କ ଦୁର୍ଭିକ୍ଷ ! ମୁଁ ତାକୁ ରଙ୍ଗାଧର ବାବୁଙ୍କଠାରୁ ଠକ୍‌ଠକି ତନ୍ତରେ ଲୁଗାବୁଣା ଶିଖିବାକୁ ଉପଦେଶ ଦେଲି; କିନ୍ତୁ ବୁଦ୍ଧିମାନ୍ ଲୋକଟା କହିଲା–‘‘ଛି, ମୁଁ ସେ ଛୋଟ କାମ କରିବି ନାହିଁ ।’’ ତହୁଁ ମୁଁ କହିଲି–ତେବେ ତୁମ୍ଭେ ଅପେକ୍ଷା କର, ଜଜ୍ କିମ୍ବା କଲେକ୍‌ଟର କାମ ଖାଲି ହେଲେ ଦରଖାସ୍ତ କରିବ । ସେହିଦିନଠାରୁ ଲୋକଟି ଆଉ ମୋତେ ଦେଖା ଦେଇ ନାହିଁ । ଚାକିରୀର ମୋହ ଲୋକଙ୍କୁ ଏପରି ଗ୍ରାସ କରି ବସିଛି ଯେ, ହାୟ ଚାକିରୀ, ହାୟ ଚାକିରୀ ବୋଲି ଲୋକେ ଚାକିରୀ ପଞ୍ଚାକ୍ଷରୀ ମହାତାରକମନ୍ତ୍ର ଜପ କରୁଅଛନ୍ତି । ପର ପାଦରେ ତେଲ ମାଲିସ୍‌ କରିବେ ପଛେ, ମାତ୍ର ସ୍ୱାଧୀନ ଜୀବିକା ଅବଲମ୍ବନ କରିବାକୁ କେହି ରାଜି ହେଉ ନାହାନ୍ତି । ଏ ଦୁର୍ଗ୍ରହ କେବେ ଘୁଞ୍ଚିବ, ତାହା ଯେ ଦିନରାତି କରୁଛି, ସେହି ଏକା ଜାଣେ-। ଚାକିରୀ ବଜାର ସମ୍ବନ୍ଧରେ ପୂର୍ବରୁ ଗୋଟାଏ ଉଦାହରଣ ଲିଖିତ ହୋଇଅଛି । ବର୍ତ୍ତମାନ ଆଉ ଗୋଟିଏ ଦୃଷ୍ଟାନ୍ତ ବିଶେଷ ଉଲ୍ଲେଖଯୋଗ୍ୟ । ଘଟନାଟା ଦୈନିକ ସମାଜରେ ବାହାରିଥିଲା । ମଧ୍ୟପ୍ରଦେଶ ଓ ଯୁକ୍ତପ୍ରଦେଶରେ ବର୍ତ୍ତମାନ ଇନ୍‌କମ୍‌ ଟାକ୍‌ସ ଅଫିସରେ କାର୍ଯ୍ୟ ଅଧିକ ହୋଇ ପଡ଼ିଅଛି । ସେଥିପାଇଁ ତେର ଜଣ ଅଧିକ କିରାଣି ରହିବା ଦରକାର । ପ୍ରାର୍ଥୀମାନଙ୍କୁ ଟଙ୍କାଏ ଲେଖାଏଁ ଫିସ୍‌ ଦେଇ ଦରଖାସ୍ତ କରିବାକୁ ହେବ । ସେହି ତେର ଜଣ ଗୁମାସ୍ତା କାମ ସକାଶେ ଚାରିହଜାର ଦରଖାସ୍ତ ପଡ଼ିଅଛି । ପ୍ରାର୍ଥୀମାନଙ୍କ ମଧ୍ୟରେ ବି. ଏ., ଏମ. ଏ ଉପାଧୀଧାରୀ ଅଧିକ ଅଛନ୍ତି । ମୋଟରେ ତେର ଜଣ ଚାକିରୀ ପାଇବେ, ତାଙ୍କର ତେର ଟଙ୍କା ଫିସ ସାର୍ଥକ ହେଲା । ଅବଶିଷ୍ଟ ପ୍ରାର୍ଥୀଙ୍କର ୩୯୮ ଅକାରଣ ହେଲା । ଲାଭ କିଏ ପଚାରେ ମୂଳ ବି ବୁଡ଼ିଲା । ଏହିପରି ଫିସ୍‌ ପରିମାଣ ଅଧିକ ହେଲେ ଚାକିରୀଖୋରଙ୍କର ଉପଯୁକ୍ତ ଶିକ୍ଷା ହୁଅନ୍ତା ।

 

କିଛିକ୍ଷଣ ପରେ ଶଶୀବାବୁ ଆସି କହିଲେ–ଆପଣ ଆରପାଖ ବାରନ୍ଦାକୁ ଆସନ୍ତୁ । ସେଠାରେ ତିନି ସଭାପତିଙ୍କ ସହ ବିଶିଷ୍ଟ ସାହିତ୍ୟିକ ଓ ସମାଜର କର୍ମୀମାନଙ୍କର ଫଟୋ ନିଆହେବ । ମୋର ବିଶ୍ରାମ କରିବା ଶେଷ ହେଲା । ସୁବୋଧ ପିଲା ପରି ଉଠି ମୁଁ ତାଙ୍କ ସଙ୍ଗେ ସଙ୍ଗେ ଗଲି । ଆମ୍ଭେମାନେ କେତେ ଜଣ ପାଉଛ ତଳେ ବସିଲୁ । ଆଉ ସମସ୍ତେ ପାଉଛରେ ଠିଆହେଲେ । ଫଟୋଗ୍ରାଫର ଦୂରରେ ଠିଆହୋଇ ତାହାର ଯନ୍ତ୍ର ସଜାଡ଼ିବାକୁ ଲାଗିଲା । ଥରେ ଥରେ ଆସି କାହାର ଗୋଡ଼, କାହାର ହାତ ସଳଖାଇଦେଇ ଯାଉଥାଏ, କାହାର ଲୁଗା ସଜାଡ଼ିଦେଇ ଯାଉଥାଏ । ପୁଣି ମୁଖରେ ଆନନ୍ଦର ଚିହ୍ନ ପ୍ରକାଶ କରିବା ପାଇଁ ଉପଦେଶ ଦେଉଥାଏ । ତାହା ଗୋଟାଏ ଯନ୍ତ୍ରଣାରେ କଠୋର କଷରତ୍‌ । ଫଟୋ ପଡ଼ିସାରିଲା । ସମସ୍ତେ ଉଠି ସଭାଗୃହ ଭିତରକୁ ଗଲୁ । ଗୃହଟି ସବୁଜ ବର୍ଣ୍ଣରେ ସଜ୍ଜିତ ହୋଇ ସବୁଜ ସାହିତ୍ୟସମାଜର ନାମ ସାର୍ଥକ କରୁଥିଲା । କାନ୍ଥ, ବାଡ଼, ଚୌକି, ଟେବୁଲ–ସବୁ ସବୁଜ ପତ୍ରରେ ଶୋଭିତ, ସବୁଜ ବର୍ଣ୍ଣର ଫୁଲପତ୍ରରେ ଗୁନ୍ଥା । ଗୋଟାଏ ହାର ମୋ କଣ୍ଠରେ ଲମ୍ବାଇଦିଆହେଲା । ବୁଢ଼ାକାଳରେ ନିଜର ବେଶ ଦେଖି ହସ ମାଡ଼ୁଥାଏ, ଲଜ୍ଜା ବି ହେଉଥାଏ । ଏଣେ ସବୁଜ ସାହିତ୍ୟସମାଜର ଉଚ୍ଚଶିକ୍ଷିତ ଯୁବକ କର୍ମୀମାନଙ୍କର ଉତ୍ସାହ, ଉତ୍ତେଜନା ଓ କର୍ମସ୍ଫୁର୍ତ୍ତି ଦେଖି ଆଶାରେ ମନ ଫୁଲିଉଠୁଥାଏ । ସେମାନେ ମୋ ଭଳି ନଗଣ୍ୟ ପ୍ରତି ଯେଉଁ ସମ୍ମାନ ପ୍ରଦର୍ଶନ କଲେ, ତାହା ତାଙ୍କର ଉଦାରତା ଓ ହୃଦୟ ବତ୍ତାର ନିଦର୍ଶନ; କିନ୍ତୁ ମୁଁ ସେମାନଙ୍କ ନିକଟରେ ଚିରଋଣୀ । ଏ ଅନ୍ତିମ କାଳରେ ମୁଁ ତାଙ୍କର କି ଆଶା ଆକାଙ୍‌କ୍ଷା ବା ପୂର୍ଣ୍ଣ କରି ପାରିବି ? ମୁଁ ତାଙ୍କଠାରୁ ଅତୁଳ ଆନନ୍ଦ ପାଇଲି; କିନ୍ତୁ ତାଙ୍କୁ କଣିକାଏ ଆନନ୍ଦ ବି ଦେଇ ପାରିଲି ନାହିଁ । ଏହି ଅନୁଶୋଚନା ମୋ ମନରେ ରହିଗଲା । ଖଣ୍ଡିଏ ସୁମୁଦ୍ରିତ ମାନପତ୍ର ସଭାରେ ପଠିତ ହୋଇ ମୋତେ ପ୍ରଦତ୍ତ ହେଲା । ତହିଁ ପରେ ସମାଜର ବିଶିଷ୍ଟ ଲେଖକ କର୍ମୀମାନଙ୍କ ପ୍ରଣୀତ କେତେକ ପୁସ୍ତକ ଉପହାର ଦିଆହେଲା । ମୁଁ ହୃଦୟର କୃତଜ୍ଞତା ଜ୍ଞାପନ କରି ମହାର୍ହ ଦୁର୍ଲଭ ରତ୍ନ ତୁଲ୍ୟ ତାହା ଗ୍ରହଣ କଲି । ସବୁଜ ସାହିତ୍ୟସମାଜ ଅତି ଅଳ୍ପ ସମୟ ମଧ୍ୟରେ ଅନେକ ସତ୍‌ସାହିତ୍ୟଗ୍ରନ୍ଥ ପ୍ରକାଶ କରି ଉତ୍କଳବାଣୀ ଭଣ୍ଡାରକୁ ସମୃଦ୍ଧ କରିଅଛନ୍ତି । ଏହିପରି ସାହିତ୍ୟରେ ଯେତେ ବିଭିନ୍ନ ଶାଖା ଗଠିତ ହେବ, ଦେଶର ତେତେ ମଙ୍ଗଳ । ତାହା ଦ୍ୱାରା ମୂଳ ସାହିତ୍ୟସମାଜ ଦୃଢ଼ ଓ ପରିପୃଷ୍ଟ ହେବ । କର୍ମୀମାନଙ୍କର ପ୍ରବଳ କର୍ମସ୍ପୃହା ସେମାନଙ୍କ ଚକ୍ଷୁ ମୁଖରେ ଜ୍ୟୋତିରୂପରେ ଫୁଟିଉଠିବାର ଦେଖି ମୋର ଶୁଷ୍କ ଅସାଢ଼ ବୃଦ୍ଧ ପ୍ରାଣରେ ଯେଉଁ ଆନନ୍ଦର ଢେଉ ଉଠିଲା, ତାହା ମୁଁ କେବଳ ଜାଣେ ତାହା ପ୍ରକାଶର ଭାଷା ନାହିଁ । ଭାବିଲି ମୋର ଅତୀତ ତରୁଣତ୍ୱ ଯେବେ ଫେରିଆସନ୍ତା, ତେବେ ମୁଁ ଏହି ତରୁଣମାନଙ୍କର ସହକର୍ମୀ ହୋଇ ଜୀବନକୁ ଧନ୍ୟ ମଣନ୍ତି । ପୁଣି ମନେ ମନେ କହିଲି–ମା ଉତ୍କଳ ଦେବୀ, ତୋତେ ଅଭାଗିନୀ ବୋଲି କିଏ କହେ ? ଯେ କହେ, ସେ ଭ୍ରାନ୍ତ । ତୋର ଏହି ତରୁଣ ସୁପୁତ୍ରଗୁଡ଼ିଙ୍କୁ ଦେଖି ଓ ସେମାନଙ୍କର କାର୍ଯ୍ୟ ପ୍ରାଣରେ ଅନୁଭବ କରି ତୁ ଯେ ମହାସୌଭାଗ୍ୟବତୀ, ଏହା କିଏ ସ୍ୱୀକାର ନ କରିବ ? ଏହି ଯୁବକ ପ୍ରଭାବ ଦେଖିଥିଲେ–‘‘କୋଟିଏ ସନ୍ତାନ ମାଗୋ ଧରିଅଛୁ କୋଳେ, ଗୋଟିଏ ମନୁଷ୍ୟ କିନ୍ତୁ ନ ଦେଖିଲି ଡୋଳେ’’ କବି ଏଭଳି ଆପେକ୍ଷ କରିବାକୁ ଅବସର ପାଇ ନ ଥାନ୍ତେ । ସେକାଳର ଯୁବକ ପ୍ରଭାବ ଏପରି ନ ଥିଲା । ଯୁବକ ଯେ ଅଗ୍ନିର କୁମାର, ଶକ୍ତିର ଶିଷ୍ୟ, ଏକାଳର ଉତ୍କଳଯୁବକ ତାହାର ପ୍ରମାଣ ଦେଖାଉଅଛି । ହେ ଯୁବକ, ହେ ନବୀନର ପୂଜାରୀ, ତୁମ୍ଭେ କେବଳ ନୂତନ ଆଦର୍ଶ ସୃଷ୍ଟି କରିଯାଅ । ନୂତନ ଆଲୋକରେ ଦେଶମାତାର ମୁଖ ହାସ୍ୟମୟ, ଜ୍ୟୋତିର୍ମୟ କର, ଏ ବୃଦ୍ଧର ଏହାହିଁ ଶେଷ ଆଶୀର୍ବାଦ । ତୁମ୍ଭ ଦାନର ପ୍ରତିଦାନ ମୋ ପକ୍ଷରେ ଅସମ୍ଭବ । କେବଳ ଆଶୀର୍ବାଦ ହିଁ ପ୍ରତିଦାନରୂପେ ଅର୍ପଣ କରୁଅଛି । ଗ୍ରହଣ କର ଯୁବକ, ଗ୍ରହଣ କର ।

 

ଅନନ୍ତର ବିଜ୍ଞାନଶାଖାର କାର୍ଯ୍ୟ ଆରମ୍ଭ ହେଲା । ଅଧ୍ୟାପକ ନାରାୟଣ ମିଶ୍ର ଏମ୍‌. ଏସ. ସି. ପୁଷ୍ପମାଳାରେ ବିଭୂଷିତ ହୋଇ ସଭାପତି ଆସନ ଗ୍ରହଣ କଲେ । ବିଜ୍ଞାନବିଦ୍ୟା ସ୍ୱଭାବତଃ ‘‘ଶୁଷ୍କକାଷ୍ଠଂ ତିଷ୍ଠତ୍ୟଗ୍ରେ’’ ପରି ନୀରସ, ବୈଜ୍ଞାନିକ ଭିନ୍ନ ଅବୈଜ୍ଞାନିକର ମନ ତାହାର ରସ ଗ୍ରହଣ କରି ପାରେ ନାହିଁ । ତଥାପି ସଭାପତି ମହାଶୟ ବିଜ୍ଞାନ ବିଷୟରେ ଯେ ଅଭିଭାଷଣ ବ୍ୟାଖ୍ୟାନ କଲେ, ତାହା ମନ୍ଦ ନୁହେ–ସେଥିର ମୂଲ୍ୟ ଅଛି; ମାତ୍ର ଜଣକର ସୁଦ୍ଧା ମନଃପୂତ ହୋଇପାରି ନ ଥିବା ମର୍ମରେ ‘ଉତ୍କଳଦୀପିକା’ ଯେଉଁ ମନ୍ତବ୍ୟ ପ୍ରକାଶ କରିଥିଲେ, ତାହା ଠିକ୍‌ ନୁହେ । ଉତ୍କଳରେ ତାହା ପ୍ରଥମ ଅନୁଷ୍ଠାନ । ପ୍ରାରମ୍ଭମାତ୍ର ଦେଖି ଭଲ ମନ୍ଦ ବିଚାର କରିବା ଉଚିତ ନୁହେ । ବିଜ୍ଞାନ ଶାଖାର ଅଧିବେଶନ ଶେଷ ହେଲା ପରେ ଜଣେ ବଙ୍ଗୀୟ ସ୍ଥାପତ୍ୟବିଦ୍ୟାବିତ୍ ଯୁବକ ‘‘ବିମାନ-ବିହାର’ ପ୍ରବନ୍ଧ ପାଠକଲେ । ପ୍ରବନ୍ଧର ଭାଷା ଠିକ୍‌ ଓଡ଼ିଆ ନୁହେ; ମାତ୍ର ଛଅମାସ ମଧ୍ୟରେ ଓଡ଼ିଆଭାଷା ଶିଖି ସେଥିରେ ପ୍ରବନ୍ଧ ଲେଖିବା କମ୍‌ ସାହସର କଥା ନୁହେ । ତଥାପି ପ୍ରବନ୍ଧଟି କାହାରିଦ୍ୱାରା ସଂଶୋଧନ କରାଇ ନେଇଥିଲେ ଅପେକ୍ଷାକୃତ ଭଲ ହୋଇଥାନ୍ତା । ତହିଁପରେ ଅଧ୍ୟାପକ ଶ୍ରୀଯୁକ୍ତ ବିରାଜମୋହନ ସେନାପତି ମହାଶୟ ମାଜିକଲଣ୍ଠନ ସାହାଯ୍ୟରେ ଧାନ ଓ ଗହମର ଖାଦ୍ୟପ୍ରାଣ ବିଷୟରେ ଅନେକ କଥା ବୁଝାଇଥିଲେ । ବିଷୟଟି ସ୍ୱଭାବତଃ ଜଟିଳ ହେଲେହେଁ ସେ ଖୁବ୍‌ ସରଳ ଭାବରେ ବ୍ୟାଖ୍ୟା କରିଥିଲେ । ସେଥିରେ ସାଧାରଣଙ୍କର ଶିକ୍ଷଣୀୟ ସାର କଥା ଅନେକ ଥିଲା । କିନ୍ତୁ ବକ୍ତବ୍ୟ ଦୀର୍ଘ ହେତୁ କାହାରି କାହାରି ଟିକିଏ ଧୈର୍ଯ୍ୟଚ୍ୟୁତ ଘଟିଲା ପରି ଜଣାହେଉଥିଲା । ଶେଷରେ ଶ୍ରୀଯୁକ୍ତ ହରିହର ମହାପାତ୍ର ଏମ. ଏ., ବି. ଏଲ ସଭାପତିମାନଙ୍କୁ ଧନ୍ୟବାଦ ଦେଇ ବକ୍ତୃତା କଲେ । ତାଙ୍କର ବକ୍ତୃତା ଯେପରି ସୁସ୍ପଷ୍ଟ ସାରଗର୍ଭକ, ସେହିପରି ବିଶୁଦ୍ଧ ଓ ଅନର୍ଗଳ ଲିଖିତ ଭାଷଣ ପଢ଼ିଲା ପରି ତାଙ୍କର ମୌଖିକ ବକ୍ତବ୍ୟ ଅତି ସୁନ୍ଦର-। ସେଥିରେ ଗୋଟିଏ ଶବ୍ଦ ଅଧିକ ବା ଅତିରଞ୍ଜିତ ନୁହେ । ଏରୂପ ସରଳ ଆଡ଼ମ୍ବର ଶୂନ୍ୟ ହୃଦୟଗ୍ରାହୀ ବକ୍ତୃତା ମୁଁ ଜୀବନରେ ଖୁବ୍‍ ଅଳ୍ପ ଶୁଣିଅଛି । ସେଦିନ ପ୍ରାୟ ରାତି ନଅଟା ପରେ ସଭା ଭଙ୍ଗ ହେଲା । ଏହିଠାରୁ ଉତ୍କଳସାହିତ୍ୟସମାଜର ଊନ୍ନତ୍ରିଂଶ ବାର୍ଷିକ ଅଧିବେଶନର କାର୍ଯ୍ୟ ସମାପ୍ତ ହେଲା । ଶ୍ରୀଯୁକ୍ତ ବାଳକୃଷ୍ଣ କର ବି.ଏ., ଶ୍ରୀଯୁକ୍ତ ହରିହର ମହାପାତ୍ର ଏମ୍‌. ଏ., ବି. ଏଲ୍‌, ଶ୍ରୀଯୁକ୍ତ ଶରତ୍‌ଚନ୍ଦ୍ର ଚଟ୍ଟୋପାଧ୍ୟାୟ ବି. ଏ ପ୍ରଭୃତି ଉଚ୍ଚଶିକ୍ଷିତ ଯୁବକଙ୍କର ସମାଜ ପ୍ରତି ଜୀବନ୍ତ ଆଗ୍ରହ, ଏକାନ୍ତ ନିଷ୍ଠା, ପ୍ରଗାଢ଼ ମମତା ଓ ଆତ୍ମପ୍ରାଣତା ବାସ୍ତବରେ ପ୍ରଶଂସନୀୟ । ଏହି ନବକର୍ମୀମାନଙ୍କ ଦ୍ୱାରା ସମାଜର ଭବିଷ୍ୟତ ଆଶା ଉଜ୍ଜ୍ୱଳ । ସେମାନଙ୍କର କର୍ମତତ୍ପରତା ଦେଖିଲେ ପ୍ରାଣର ଉଲ୍ଲାସର ଲହରୀ ଖେଳିଯାଏ । ମୂଳ ସାହିତ୍ୟସମାଜର ସଭାପତି-ଅଭିଭାଷଣ ପୂର୍ବରୁ ଛାପା ହୋଇ ନ ଥିଲା । ଶ୍ରୀଯୁକ୍ତ ବାଳକୃଷ୍ଣ କର ନିଜ ବ୍ୟୟରେ ସେହି ରାତିରେ ତାହା ସ୍ୱତନ୍ତ୍ର ପୁସ୍ତକାକାରରେ ଛପାଇ ତହିଁ ପରଦିନ ସଭାରେ ବିତରଣ କରିଥିଲେ । ସେଥିପାଇଁ ସେ ସଭାପକ୍ଷରୁ ଧନ୍ୟବାଦ ପ୍ରାପ୍ତ ହୋଇଥିଲେ ।

 

ଉତ୍କଳ-ସାହିତ୍ୟ ସମାଜ ୧୯୦୩ ଖ୍ରୀଷ୍ଟାବ୍ଦରେ ପ୍ରଥମେ ସ୍ଥାପିତ ହେଲା । ଏହା ସମଗ୍ର ଉତ୍କଳର ଏକମାତ୍ର ସାହିତ୍ୟିକ ଅନୁଷ୍ଠାନ । କେତେ ବର୍ଷଯାଏଁ ସମାଜ କେବଳ ନାମରେ ପରିଚିତ ଥିଲା । ସାହିତ୍ୟ-ସମାଜ ବୋଲି କହିଲେ କେଉଁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇବାକୁ ହେବ, ସେପରି କିଛି ନିଦର୍ଶନ ନ ଥିଲା । ସମାଜର ସ୍ୱତନ୍ତ୍ର ଘର କଥା ଦୂରେ ଥାଉ, ସମାଜ ନାମରେ ଗୋଟାଏ କାଦୁଅ କିଳା ବି ପୋତା ହୋଇ ନ ଥିଲା । ଆକାରପ୍ରକାରନାସ୍ତି ଶୂନ୍ୟଗର୍ଭ ଶବ୍ଦସମ୍ଭାର ମଧ୍ୟରେ ସମାଜର ଅସ୍ତିତ୍ୱ ଆବଦ୍ଧ ହୋଇଥିଲା । ତିନୋଟି ଶବ୍ଦ ବା ନଅଟି ଅକ୍ଷରର ସମଷ୍ଟି ‘ଉତ୍କଳ-ସାହିତ୍ୟ-ସମାଜ’ ନାମ ଧାରଣ କରିଥିଲା, ଅର୍ଥାତ୍ ବାସ୍ପରେ ଗଢ଼ା ହୋଇଥିଲା; ମାତ୍ର ଶଶୀବାବୁଙ୍କ ସମୟରୁ ତାହା ଆକାର ଧରିବାକୁ ଲାଗିଲା । ୧୯୧୪ ଖ୍ରୀଷ୍ଟାବ୍ଦରେ ଶଶୀବାବୁ ସମାଜର ସମ୍ପାଦକ ହେଲେ । ଉପଯୁକ୍ତ କର୍ଣ୍ଣଧାର ହସ୍ତରେ ସମାଜର ଜୀବନ-ତରଣୀ ପରିଚାଳିତ ହେଲା । ବର୍ତ୍ତମାନ ସାହିତ୍ୟସମାଜ କହିଲେ ଯାହା ଦେଖାଯାଏ, ତାହା ଶଶୀବାବୁଙ୍କର ଅଠର ବର୍ଷବ୍ୟାପୀ ଅଦମ୍ୟ ଚେଷ୍ଟା ଓ ଅକ୍ଳାନ୍ତ ପରିଶ୍ରମରେ ଅମୃତ ଫଳ । ଏତଦ୍ଦ୍ୱାରା ମୁଁ ତାଙ୍କୁ ଏକାଙ୍ଗଚକ୍ରବର୍ତ୍ତୀ ବୋଲି କହୁ ନାହିଁ । ଅବଶ୍ୟ କାହାରି କାହାରି ଚିନ୍ତା, କଳ୍ପନା ବା ସହାୟତା ତାଙ୍କ କାର୍ଯ୍ୟରେ ମିଶିଅଛି । ଏକେଶ୍ୱର, ନିଃସଙ୍ଗ ଯୋଗୀ ଋଷିଙ୍କର ବି ଉତ୍ତର ସାଧକ ଥାଏ । ପୁଣି ଯେଡ଼େ କ୍ଷୁଦ୍ର ହେଉ ପଛେ, ସଂସାରର କୌଣସି କାର୍ଯ୍ୟ ଜଣକଦ୍ୱାରା ସାଧିତ ହୁଏ ନାହିଁ । ମୂଳ ଅନୁସନ୍ଧାନ କଲେ ସେଥିରେ ଅନେକଙ୍କର ସହାୟତା ମିଶିଥିବାର ଜଣାଯାଏ । ମୋର କହିବାର ଉଦ୍ଦେଶ୍ୟ ଏହି ଯେ, ସାହିତ୍ୟସମାଜର କ୍ରମବିକାଶ ବା ଅଭିବୃଦ୍ଧିରେ ଶଶୀବାବୁଙ୍କର ଚେଷ୍ଟାର ଅଂଶ ସମଧିକ ଆନ୍ତରିକତା ଅପେକ୍ଷାକୃତ ବହୁଗୁଣ । ତାଙ୍କର ସମ୍ପାଦକତ୍ୱ ଗ୍ରହଣ ସମୟରେ ସମାଜର ପାଣ୍ଠି ଦଶଟଙ୍କା ମାତ୍ର ଥିଲା; କିନ୍ତୁ ବର୍ତ୍ତମାନ ସମାଜର ସମ୍ପତ୍ତି ଅର୍ଦ୍ଧଲକ୍ଷ ଟଙ୍କାରୁ ଅଧିକ । ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଅଟଳ ଅକ୍ଷତ ଥିଲେ ଶ୍ରୀବୃଦ୍ଧିଶାଳିନୀ ବୁଦ୍ଧି ଆପେ ଆସି ସାଧକକୁ ଆଲିଙ୍ଗନ କରେ । ଅନ୍ୟଥା ଉପରେ ଭାସି ବୁଲି ବାକ୍ୟର ଡେଙ୍ଗୁରା ବଜାଇଲେ କିଛି ହୁଏ ନାହିଁ । ଖାଲି କଥାରେ ଚୂଡ଼ା ତିନ୍ତେ ନାହିଁ । ସମାଜସଂଲଗ୍ନ ପୁସ୍ତକାଗାରରେ ବିଭିନ୍ନ ଭାଷାର ପାଞ୍ଚହଜାର ପୁସ୍ତକ ଗଚ୍ଛିତ ଅଛି । ସେଥିମଧ୍ୟରୁ ଅନେକ ପୁସ୍ତକ ବର୍ତ୍ତମାନ ଦୁଷ୍ପ୍ରାପ୍ୟ । ସମାଜର ଉପକରଣ ସୁଦ୍ଧା ଅଳ୍ପ ସଂଗୃହୀତ ହୋଇ ନାହିଁ । ପ୍ରବନ୍ଧର ପୁରସ୍କାର ଘୋଷଣା ଦ୍ୱାରା ସାହିତ୍ୟର କମ୍‌ ଉପକାର ହୋଇ ନାହିଁ । ତଦ୍ଦ୍ୱାରା ସାହିତ୍ୟ ସାଧନା ପାଇଁ ଅନେକଙ୍କର ପ୍ରାଣରେ ସ୍ପନ୍ଦନ ଆସିଅଛି–ସାହିତ୍ୟ-ରାଜ୍ୟରେ ଚିନ୍ତାର ସ୍ରୋତ ମଧ୍ୟ ଖେଳିଅଛି । ବିନା କିରାଣି ସାହାଯ୍ୟରେ ଅଠରବର୍ଷକାଳ ସମାଜର ସମସ୍ତ କାର୍ଯ୍ୟ ଶଶୀବାବୁ ସ୍ୱହସ୍ତରେ ନିର୍ବାହ କରିଅଛନ୍ତି । ତାଙ୍କର ଏହି ଅସାଧାରଣ କୃତିତ୍ୱର ପୁରସ୍କାର ସେ ଏ ପାଖରେ ନ ପାଇଲେ ସୁଦ୍ଧା ସେ ପାଖରେ ନିଶ୍ଚୟ ପାଇବେ । ଉତ୍କଳ-ସାହିତ୍ୟ-ସମାଜ ଥିବାଯାଏ ତାଙ୍କର ପବିତ୍ର ନାମ ଅକ୍ଷୟ ହୋଇ ରହିବ ଏବଂ ତାଙ୍କର ଆଦର୍ଶ ନିଷ୍ଠା ଭବିଷ୍ୟତ୍ ବଂଶଧରଙ୍କର ଅନୁକରଣୀୟ ହେବ ।

 

ଆଉ ଜଣେ ଉଦୀୟମାନ କର୍ମୀ ଶ୍ରୀଯୁକ୍ତ ଶରତ୍‌ଚନ୍ଦ୍ର ବାନାର୍ଜି ବି. ଏ. । ତାଙ୍କ ପରି କର୍ମପିପାସୁ ବିରଳ ପରିଲକ୍ଷିତ ହୁଅନ୍ତି । ତାଙ୍କର ମନ, ପ୍ରାଣ ହୃଦୟ ଅଦମ୍ୟ କର୍ମ-ପିପାସାରେ ପରିପୂର୍ଣ୍ଣ । ଶରତ୍ ବାବୁ ଅଳ୍ପକାଳ ମଧ୍ୟରେ ଯାହା କରିଅଛନ୍ତି, ସାରା ଜୀବନରେ କେହି ତେତେ କରିପାରିବ ନାହିଁ । ସେ ନିରଳସ କର୍ମଦେବତାର ଆଦର୍ଶ ପଟ୍ଟଶିଷ୍ୟ । ତାଙ୍କ ପ୍ରକାଶିତ ‘ପଲ୍ଲୀ-ମଙ୍ଗଳ’ ଦେଶର ପ୍ରଭୁତ ମଙ୍ଗଳ ସାଧନ କରୁଅଛି । ନବେଦ୍ଭାବିତ ଲାଭଜନକ କୃଷିଶିଳ୍ପର ଉନ୍ନତ ପ୍ରଣାଳୀ ଶିକ୍ଷା ଦେବା ପତ୍ରିକାଖଣ୍ଡିର ମହତ୍ ଉଦ୍ଦେଶ୍ୟ । ସେଥିରେ ସାହିତ୍ୟାଦିର ଆଲୋଚନା ମଧ୍ୟ ହୁଏ । ସ୍ଥୂଳରେ କହିବାକୁ ଗଲେ ଦେଶୋନ୍ନତି ବିଷୟରେ ଯାହା ଯାହା ଆବଶ୍ୟକ, ତାହା ସବୁ ପ୍ରାୟ ଏହି ପତ୍ରିକାରେ ସରଳ ସୁନ୍ଦର ରୂପରେ ଆଲୋଚିତ ହୋଇଥାଏ । ଶରତବାବୁଙ୍କ ଉପଦେଶ ଅନୁସାରେ କାର୍ଯ୍ୟ କରି କୃଷକମାନେ ବାସ୍ତବରେ ଉପକାର ପାଉଅଛନ୍ତି । ତେଣୁ ତାଙ୍କ ଉପଦେଶ ଶୁଣିବାକୁ ସମସ୍ତେ ଲାଳାୟିତ । ମଫସଲରେ ନିରକ୍ଷର ଲୋକ ସୁଦ୍ଧା ତାଙ୍କ ଉପଦେଶ ଶୁଣିବା ପାଇଁ ଭଦ୍ରଖ ବ୍ୟାଙ୍କ ଅଫିସ ପର୍ଯ୍ୟନ୍ତ ଆଗ୍ରହରେ ଧାଇଁଥିବାର ମୁଁ ସ୍ୱଚକ୍ଷୁରେ ଦେଖିଅଛି । ଏତଦ୍‌ବ୍ୟତୀତ ସେ ସାହିତ୍ୟର ନୀରବ ସାଧକ । ସବୁଜ ସାହିତ୍ୟ ସମିତିର ସେ ଅନ୍ୟତମ ପ୍ରବର୍ତ୍ତକ ଓ କର୍ମୀ । ଏହି ହେତୁରୁ ‘ଉତ୍କଳ ଦୀପିକା’ ତାଙ୍କ ସମ୍ବନ୍ଧରେ କଠୋର ଅପ୍ରିୟ ମନ୍ତବ୍ୟ ପ୍ରକାଶ କରିଅଛନ୍ତି । ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରି ଦେଶର ଉନ୍ନତିଜନକ କାର୍ଯ୍ୟ କରିବା କି ଦୋଷାବହ ? ଯାହାଙ୍କ ଦ୍ୱାରା ବଙ୍ଗସାହିତ୍ୟ ମୁଣ୍ଡ ଟେକି ବିଶ୍ୱସାହିତ୍ୟରେ ଉଚ୍ଚସ୍ଥାନ ଅଧିକାର କରିଅଛି, ସେହି ବଙ୍କିମଚନ୍ଦ୍ର, ନବୀନଚନ୍ଦ୍ର, ରମେଶଚନ୍ଦ୍ର କ’ଣ ଥିଲେ ? ବଙ୍ଗଦେଶର ପ୍ରଫେସର, କଲେକ୍‌ଟର, ଡେପୁଟି ମାଜିଷ୍ଟ୍ରେଟ୍‌ ପ୍ରଭୃତି ଉତରାଜକର୍ମଚାରୀ ନିଜର ମାତୃ-ସାହିତ୍ୟକୁ ସମୃଦ୍ଧ ଏବଂ ଧନ୍ୟ କରିଯାଇଅଛନ୍ତି । ଯାହା ଅନ୍ୟ ଦେଶ ପକ୍ଷରେ ଗୁଣ, ଦୁର୍ଭାଗ୍ୟ, ଉତ୍କଳ ପକ୍ଷରେ ତାହା ଦୋଷ, ଏହାଠାରୁ ବଳି କ୍ଷୋଭର ବିଷୟ କଅଣ ହୋଇପାରେ ? ଦୀପିକାର ସମ୍ପାଦକ ଜଣେ ଉଚ୍ଚଶିକ୍ଷିତ, ବିଦ୍ୱାନ, ଦେଶର ବିଶିଷ୍ଟ ବ୍ୟକ୍ତି । ତାଙ୍କର ଲେଖନୀ ଏଭଳି ବିଦ୍ୱେଷ ବିଷୋଦ୍‌ଗାର କରିବା ଦେଶ ପକ୍ଷରେ ଶୁଭ ଲକ୍ଷଣ କି ? ଘରର ଢିଙ୍କି କୁମ୍ଭୀର ହେଲେ ତାକୁ କପାଳଦୋଷ ନ କହି କ’ଣ କହିବାକୁ ହେବ ? ଦୀପିକା ଉତ୍କଳର ପ୍ରାଚୀନ ପତ୍ରିକା, ତାହା ପ୍ରତି ଦେଶର ଭକ୍ତିସମ୍ଭ୍ରମ ଅଛି । ତାହାର ସେ ଭକ୍ତିସମ୍ଭ୍ରମ ଏରୂପ ବ୍ୟବହାରରେ ଅକ୍ଷତ ରହିବ ତ ? ମହାତ୍ମା ଗୌରୀଶଙ୍କର, ଦେଶପୂଜ୍ୟ ସୁଦାମଚରଣ, ପଣ୍ଡିତପ୍ରବର ନୀଳମଣି ବିଦ୍ୟାରତ୍ନ ଯେଉଁ ଆସନ ଅଳଙ୍କୃତ କରିଯାଇଅଛନ୍ତି, ସେହି ଆସନରେ ଗୌରବ ଓ ମୂଲ୍ୟ ଏରୂପ ମନ୍ତବ୍ୟରେ କଳୁଷିତ ହେବ ନାହିଁ ତ-? ଦୀପିକାର ମହତ୍ତ୍ୱ କଣିକାଏ, ହାନି ହେଲେ ଦେଶ-ହୃଦୟରେ ବଜ୍ରାଘାତ ପରି ବ୍ୟଥା ଜାତ ହେବ, ଏହା ଉତ୍ତମରୂପେ ହୃଦୟଙ୍ଗମ କରିବା ଆବଶ୍ୟକ । ବର୍ତ୍ତମାନ ମାତୃସାହିତ୍ୟ ଉନ୍ନତି ଆଡ଼କୁ ଅଗ୍ରସର ହେଉଅଛି । ଏତେବେଳେ ତାହାର ରକ୍ଷକ ହେବା ଉଚିତ । ଭକ୍ଷକ ହେଲେ ସବୁ ସରିଯିବ, ଦେଶକୁ ପୁଣି ଅନ୍ଧକାର ଗ୍ରାସିବ । ରାଧାନାଥଙ୍କୁ ବିପନ୍ନ କରିବା ପାଇଁ ମତ୍ସରୀମାନେ କି କୂଟ କୌଶଳ କରି ନ ଥିଲେ ? ସେଥିରେ ସାହିତ୍ୟର ଯେଉ କ୍ଷତି ହେଲା, ତାହା ସ୍ମରଣ କଲେ ଚକ୍ଷୁ ଅଶ୍ରୁପୂର୍ଣ୍ଣ ହୋଇଆସେ । ତାହାରି ଫଳରେ ସାହିତ୍ୟଭଣ୍ଡାର ଆହୁରି କେତେ ମହାର୍ହ ରତ୍ନପ୍ରାପ୍ତିରୁ ବଞ୍ଚିତ ହେଲା । ସମ୍ପାଦକୀୟ ହୃଦୟ ଉଦାରତାର ପବିତ୍ର ଦେବାଳୟ, ସଙ୍କୀର୍ଣ୍ଣତା ଓ ଲଘୁତା ପାଇଁ ସେଠାରେ ସ୍ଥାନ ନାହିଁ–ପ୍ରତ୍ୟେକ ସମ୍ପାଦକଙ୍କର ଏହା ମନେ ରଖିବା ଉଚିତ । ହୃଦୟର ନୈତିକ ବଳରେ ବଳୀୟାନ୍‌ କରିବାକୁ ହେବ । ଏ ହାକିମ କାହିଁକି ଏତେ ମୋଟା ବେତନ ପାଇବ, ସେ ହାକିମ କାହିଁକି ଏତେ ଏଲାଉନ୍‌ସ ପାଇବ, ଏଭଳି ହାସ୍ୟକାର ଅନଧିକାର ଚର୍ଚ୍ଚାରେ କିଛି ଫଳ ନାହିଁ । ସେ ବିଚାର ସରକାରଙ୍କ ହାତରେ, ସେଥିପାଇଁ କୋଡ଼ି କଚାଡ଼ି ହେଲେ ନିଜର ଦେହ ବଥା କରିବ ସିନା, ସେଥିରେ ଆଉ କାହାର କଅଣ ଯିବ ? ଯାହା ସତ୍ୟ, ଯାହା ଧର୍ମ, ଯାହା ନ୍ୟାୟ, ତାହାର ପୂଜା କରିବାକୁ ହେବ–ଅନ୍ୟଥା ପୂଜା ବ୍ୟର୍ଥ ହେବ ଓ ନିଜର ବ୍ୟକ୍ତିତ୍ୱକୁ ଶୁଳୀ ଦେବା ପରି ହେବ ।

 

ସେଦିନ ସଭା ଭାଙ୍ଗିବାବେଳକୁ ରାତି ନଅଟାରୁ ବେଶି ହୋଇଯାଇଥିଲା । ମୁଁ ହଠାତ୍‌ ନ ଉଠି ଗହଳି ଭାଙ୍ଗିବା ପର୍ଯ୍ୟନ୍ତ ବସି ରହିଥାଏ । ସ୍ୱର୍ଗତ ସବ୍‌ଜଜ୍‌ ଗଗନଚନ୍ଦ୍ର ଚୌଧୁରୀଙ୍କ ସହଧର୍ମିଣୀ ମୋ ପାଖରେ ବସି କଥାବାର୍ତ୍ତା କରୁଥାନ୍ତି । ପୂର୍ବରୁ ଭିକାରୀ ବାବୁ ତାଙ୍କୁ ଆଣି ମୋ ସଙ୍ଗରେ ପରିଚୟ କରାଇଦେଇଥିଲେ । ସେ କହିଲେ–ଆପଣଙ୍କୁ ଦେଖିବା ପାଇଁ ମୁଁ ଭଦ୍ରଖ ଯିବାକୁ ଇଚ୍ଛା କରିଥିଲି । ମୁଁ କେତେଖଣ୍ଡ ପୁସ୍ତକ ଲେଖିଅଛି, ପାଣ୍ଡୁଲିପିଗୁଡ଼ିକ ଆପଣଙ୍କଠାରୁ ସଂଶୋଧନ କରାଇନେବି ବୋଲି ବହୁ ଦିନରୁ ଇଚ୍ଛା ପୋଷଣ କରିଥିଲି । ଆପଣ କଟକ ଆସିଛନ୍ତି ଶୁଣି ବଡ଼ ଖୁସି ହୋଇ ଭାବିଲି–ଭଗବାନ ଆଣି ସୁବିଧା ଘଟାଇ ଦେଇଅଛନ୍ତି । ଥରେ ସାକ୍ଷାତ୍ କଲେ ଭଲ ହୁଅନ୍ତା । କିନ୍ତୁ ପୂର୍ବରୁ ପରିଚୟ ନାହିଁ, କିପରି ଯାଇ ସାକ୍ଷାତ୍‌ କରିବି, ଟିକିଏ ସଙ୍କୋଚ ବୋଧ ହେଲା । ଭିକାରୀ ବାବୁଙ୍କୁ କହିବାରୁ ସେ ସାକ୍ଷାତ୍‌ କରାଇଦେବାକୁ ସ୍ୱୀକୃତ ହେଲେ । ତାଙ୍କ ସଙ୍ଗରେ ଆସିଲି । ମୁଁ କହିଲି କାଲି ଦିନ ରେଲଗାଡ଼ିରେ ମୁଁ ଭଦ୍ରଖ ବାହାରିଯିବି, ପାଣ୍ଡୁଲିପି ଦେଲେ ସଙ୍ଗରେ ନେଇଯିବି । ସେଠାରେ ସଂଶୋଧନ କରି ଯଥାଶୀଘ୍ର ରେଜେଷ୍ଟରୀ ଡାକରେ ଆପଣଙ୍କ କଟକ ଠିକଣାରେ ପଠାଇଦେବି । ତହିଁ ପରଦିନ ସକାଳେ ପାଣ୍ଡୁଲିପି ମୋ ବସାକୁ ପଠାଇଦେବେ ବୋଲି କହି ସେ ବିଦାୟ ନେଲେ । ତହିଁପରେ ଅଧ୍ୟାପକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ଚୌଧୁରୀ ଆସିଲେ । ତାଙ୍କ ସଙ୍ଗରେ ଏହି ପ୍ରଥମେ ସାକ୍ଷାତ୍; କିନ୍ତୁ ଅତି ସରଳ ବ୍ୟବହାରରେ ବହୁଦିନର ପୁରୁଣା ବନ୍ଧୁପରି ସେ ମୋତେ ନିଜର ଆତ୍ମୀୟ କରିନେଲେ । ତାହାହିଁ ବିଦ୍ୱଜ୍ଜନଙ୍କର ସ୍ୱାଭାବିକ ଉଦାରତା-। ସେ ଦିଗ୍‌ଗଜ ତୁଲ୍ୟ ବିଦ୍ୱାନ୍‌; କିନ୍ତୁ ସରଳ, ନିରାଡ଼ମ୍ବର । ଲକ୍ଷ୍ମୀକାନ୍ତ ବାବୁ ବ୍ୟାସକବି ଫକୀରମୋହନଙ୍କର ଦୌହିତ୍ର । କଥାବାର୍ତ୍ତାରୁ ବୋଧହେଲା ଫକୀରମୋହନଙ୍କର ନୈସର୍ଗିକ ସାରସ୍ୱତ ପ୍ରତିଭା ତାଙ୍କର ଏହି ଦୌହିତ୍ରଙ୍କ ଉପରେ ପ୍ରଭାବ ବିସ୍ତାର କରି ରହିଅଛି । ସେହି ମଧୁର ସ୍ୱର, ସେହି ବଚନଭଙ୍ଗୀ, ଏମନ୍ତ କି ମୂର୍ତ୍ତିର ସୁଦ୍ଧା ଅନେକ ସୌସାଦୃଶ୍ୟ ଅଛି । ମନେ ମନେ ଭାବିଲି–ବୋଧହୁଏ ବିଧାତା ଦେବପ୍ରକୃତିକ ଉତ୍କଳବ୍ୟାସଙ୍କର ଦ୍ୱିତୀୟ ସଂସ୍କରଣରୂପେ ଲକ୍ଷ୍ମୀକାନ୍ତ ବାବୁଙ୍କୁ ଉତ୍କଳ-ମାତାଙ୍କ ହସ୍ତରେ ସ୍ନେହୋପହାର ଦେଇଅଛନ୍ତି । ଲକ୍ଷ୍ମୀକାନ୍ତ ବାବୁଙ୍କର ସାହିତ୍ୟ-ପ୍ରିୟତା ସର୍ବଜନବିଦିତ । ସେ ଉତ୍କଳ ସାହିତ୍ୟସମାଜର ସମ୍ପାଦକ, ପ୍ରାଚୀ-ସାହିତ୍ୟସଙ୍ଘର ପୃଷ୍ଠପୋଷକ ଏବଂ ସବୁଜ ସାହିତ୍ୟ ସମିତିର ସହକର୍ମୀ । ମାତୃସାହିତ୍ୟ ତାଙ୍କ ଠାରେ ଅନେକ ପରିମାଣରେ ଭବିଷ୍ୟତ ଆଶା ରଖିଅଛି । ସେ ଦେଶପୂଜ୍ୟ ମାତାମହଙ୍କର ପବିତ୍ର ପଦାଙ୍କାନୁସରଣ କରି ତାଙ୍କର ଅମର କୀର୍ତ୍ତିର ଉପଯୁକ୍ତ ଦାୟାଦ ହେଉନ୍ତୁ, ମୁଁ ଏହି କାମନା କରୁଅଛି । ଲକ୍ଷ୍ମୀକାନ୍ତ ବାବୁ ବାଲେଶ୍ୱର ଜିଲ୍ଲାବାସୀ । ବାଲେଶ୍ୱର ସବୁ ବିଷୟରେ ଉତ୍କଳରେ ପ୍ରଥମ ଆଦର୍ଶ ଦେଖାଇଆସିଅଛି । ଓଡ଼ିଶାର ପ୍ରଥମ ଗ୍ରାଜୁଏଟ ବାଲେଶ୍ୱରବାସୀ, ପ୍ରଥମ ମୁନ୍‌ସଫ୍‌ ବାଲେଶ୍ୱରବାସୀ, ପ୍ରଥମ ସବ୍‍ଜଜ୍‌ ବାଲେଶ୍ୱରବାସୀ, ପ୍ରଥମ ଇଞ୍ଜିନିଅର ବାଲେଶ୍ୱରବାସୀ, ପ୍ରଥମ ସ୍କୁଲ ଇନ୍‌ସପେକ୍‌ଟର ଓ ପ୍ରଧାନକବି ରାଧାନାଥ ବାଲେଶ୍ୱରବାସୀ ପ୍ରଥମ ମହାରାଜା ଉପାଧିଧାରୀ ଜମିଦାର ବାଲେଶ୍ୱରବାସୀ, ପ୍ରଥମ ସଦରଆଲା ବାଲେଶ୍ୱରବାସୀ, ପ୍ରଥମ ଓଡ଼ିଆ ଅଭିଧାନକାର ବାଲେଶ୍ୱରବାସୀ, ପ୍ରଥମ ବାରିଷ୍ଟର ବାଲେଶ୍ୱରବାସୀ । ଚିରକାଳ ବାଲେଶ୍ୱର ଏହିପରି ବୈଶିଷ୍ଟ୍ୟ ରକ୍ଷାକରି ଆସୁଅଛି । ଏଣିକି ତାହାର ଏହି ସୁଖ୍ୟାତି ରକ୍ଷାର ଭାର ବାଲେଶ୍ୱରର ଉଚ୍ଚଶିକ୍ଷିତ ଯୁବକମାନଙ୍କ ଉପରେ ନିର୍ଭର କରେ–ଏହା ସେମାନଙ୍କର ମନରେ ରଖିବା ଉଚିତ । ଜନ୍ମଭୂମିର ଏ ପ୍ରତିଷ୍ଠା ଯହିଁରେ କ୍ଷୁଣ୍ଣ ନ ହୁଏ, ସେଥିପ୍ରତି ସତର୍କ ରହିବା ବାଞ୍ଛନୀୟ-। ସେମାନଙ୍କ ଉପରେ କେଡ଼େ ଗୁରୁତର ଦାୟିତ୍ୱ ନ୍ୟସ୍ତ ଅଛି, ତାହା ସେମାନେ ନିତ୍ୟ ଶଯ୍ୟାରୁ ଉଠି ସର୍ବାଗ୍ରେ ସ୍ମରଣ କରନ୍ତୁ । ଏ ଗୌରବ ରଖି ନ ପାରିଲେ କଳଙ୍କ ସେହି ଯୁବକମାନଙ୍କୁ ହିଁ ସ୍ପର୍ଶ କରିବ ।

 

ମୁଁ କାଲି ଘରକୁ ଯିବି, ଆଜି ଶେଷ ବିଦାୟର ଦିନ । କାହାରି କାହାରି ସଙ୍ଗରେ ମୋର କେବେ ହେଲେ ଥରେ ଅଧେ ସାକ୍ଷାତ୍‌ ହୋଇପାରେ; ମାତ୍ର ଅନେକଙ୍କ ସଙ୍ଗରେ ଜୀବନରେ ଆଉ ସାକ୍ଷାତ୍‌ର ସମ୍ଭାବନା ନାହିଁ । କଟକ ପକ୍ଷରେ ମଧ୍ୟ ଏହି ଉକ୍ତି ପ୍ରଯୁଜ୍ୟ । ଗଞ୍ଜାମରୁ ଆସିଲା ଦିନୁ ମୁଁ ଆଉ କୁଆଡ଼କୁ ଗୋଡ଼ କାଢ଼ି ନାହିଁ । ଏହିଥର କଟକ ଆସିଲି, କଟକଠାରୁ ବି ଶେଷ ବିଦାୟ ନେବାକୁ ହେବ । ବୁଦ୍ଧଦେବ ବୈଶାଳୀ ନଗରୀକୁ ଲକ୍ଷ୍ୟ କରି କହିଥିଲେ, ‘‘ଏ ପ୍ରିୟ ନଗରୀ ଆଉ ମୋର ନୟନ-ପଥରେ ପଡ଼ିବ ନାହିଁ ।’’ ପ୍ରିୟଭୂମିରେ ଆକର୍ଷଣ ବାସ୍ତବରେ ଅତି ପ୍ରବଳ । ଯେ ପିତା-ମାତା, ରାଜ୍ୟ-ପୁତ୍ର ପରିବାର ସବୁ ତ୍ୟାଗ କରି ଯାଉଅଛନ୍ତି, ସେ ପ୍ରିୟଭୂମିର ମମତା ଛାଡ଼ିପାରୁ ନାହାନ୍ତି । ସବୁ ବିଚ୍ଛେଦ ସହିହୁଏ; ମାତ୍ର ପ୍ରିୟଭୂମିର ବିଚ୍ଛେଦ ସହିହୁଏ ନାହିଁ । ବୟୋଧର୍ମ ମୋତେ ଆଣି ଶ୍ମଶାନ ପଥରେ ଠିଆକରାଇଅଛି । ଦୂର ସ୍ଥାନର କଥା କିଏ ପଚାରେ, ବର୍ତ୍ତମାନ ମୋର ପହଣ୍ଡେ ଅଗ୍ରସର ହେବାର ଶକ୍ତି ନାହିଁ । ମୃତ୍ୟୁ ଆସି ଆଲିଙ୍ଗନ କରି ବସିଲାଣି; ମାତ୍ର ଦେହରେ ମିଶାଇ ନେଇପାରି ନାହିଁ, ଏତିକି ବାକୀ ଅଛି । ଏଣିକି ଭାରୀ ନିଛାଟିଆ ବୋଧ ହେଉଅଛି, ଛାନିଆ ମଧ୍ୟ ଲାଗୁଛି । ମୋତେ ଏକୁଟିଆ ଛାଡ଼ିଦେଇ ବନ୍ଧୁହିତୈଷୀ ଗୁରୁସ୍ଥାନୀୟ ବ୍ୟକ୍ତି ସମସ୍ତେ ଆଗରୁ ଚାଲିଗଲେଣି । ଯେ କେତେଖଣ୍ଡ ପଞ୍ଜରା ପଡ଼ିରହିଛୁଁ, ସେଥି ମଧ୍ୟରେ ମୁଁ ସବୁଠାରୁ ଜୀର୍ଣ୍ଣ, ସବୁଠାରୁ ଅଧିକ ଘୃଣାଲଗା ! ରାଧାନାଥ, ମଧୁସୂଦନ, ଫକୀରମୋହନ, ଗୌରୀଶଙ୍କର, ଗଙ୍ଗାଧର, ନୀଳମଣି, ନନ୍ଦକିଶୋର, ଚନ୍ଦ୍ରମୋହନ, ରାମଶଙ୍କର, ଚନ୍ଦ୍ରଚୂଡ଼ାମଣି ପ୍ରଭୃତି ମହାର୍ହ ମଣିରତ୍ନରାଜି ଏହି କେତେ ଦିନ ମଧ୍ୟରେ ସାହିତ୍ୟ-ଦେବୀଙ୍କର ମୁକୁଟରୁ ଝଡ଼ିପଡ଼ିଲେଣି । ସେଭଳି ଦୁର୍ଲ୍ଲଭ ସଙ୍ଗୀ ଆଉ ମିଳିବେ ନାହିଁ । ତାହା ସ୍ମରଣ କଲେ ନିଜକୁ ନିତାନ୍ତ ନିଃସଙ୍ଗ ନିଃସହାୟ ବୋଧହୁଏ । ସେମାନଙ୍କର ସ୍ମୃତି ବାସ୍ତବରେ ହୃଦୟରେ, ପ୍ରାଣରେ, ମନରେ ଦାରୁଣ ବଜ୍ରାଘାତର ଯନ୍ତ୍ରଣା ଆଣି ଦେଉଛି । ସେ ଦେବମନୁଷ୍ୟ, ସେ ଉତ୍ସାହ, ସେ କାଳ, ସେ ସ୍ନେହମମତା ସହାନୁଭୂତି ସବୁ ଯାଇଅଛି । ତାହାସବୁ ସ୍ମରଣ କରିବାବେଳକୁ ଚକ୍ଷୁ ଫାଟି ରକ୍ତ ବାହାରି ପଡ଼ିଲା ପରି ଲାଗୁଅଛି । ଅଶ୍ରୁଛଳରେ ଚକ୍ଷୁର ରୁଧିର ଧାରା ବହିଆସୁଅଛି, ପ୍ରାଣ ମଧ୍ୟରୁ ନୀରବ ଭାବରେ ହାହାକାର ଧ୍ୱନି ଉଠୁଅଛି । ଯେତେବେଳଯାଏ ଲେଖାଲେଖିରେ ନିଯୁକ୍ତ ଥାଏ, ତେତିକି ସମୟ ସେମାନଙ୍କୁ ଭୁଲି ରହିଥାଏ, ନଚେତ୍‌ ଭୁଲିବାର କଥା ନୁହେ । ସେମାନେ ବି ଭୁଲିବାର ପାତ୍ର ନୁହନ୍ତି । ପରସ୍ପର ମଧ୍ୟରେ ଯେଉଁ ସୌହାର୍ଦ୍ଦ୍ୟ ଲାଗିଥିଲା, ତାହା ଏ କାଳରେ ଆଶାର ଅତୀତ । ଏଣିକି ସଂସାରରେ ମନ ଲାଗୁ ନାହିଁ, ଧରି ଆଣିଲା ପରି ଲାଗୁଛି । ପ୍ରାଣ ଅଧୀର ବ୍ୟାକୁଳରେ କଅଣ ଖୋଜୁଛି, ତାହା ବି ଜାଣିହେଉ ନାହିଁ; ନିରୁପାୟ ହୋଇ ଖାଲି ଛଟପଟ ହେଉଅଛି । ଯିବାକୁ ଇଚ୍ଛା ହେଉ ନାହିଁ କି ରହିବାକୁ ଇଚ୍ଛା ହେଉ ନାହିଁ । ମନ ଶୂନ୍ୟରେ ଉଡ଼ି ବୁଲି କଅଣ ଖୋଜୁଛି; ମାତ୍ର ପାଉ ନାହିଁ । ଅଜ୍ଞାନ ଆକାଙ୍‌କ୍ଷାର ତୀବ୍ର ଜ୍ୱାଳାରେ ଆତ୍ମା ଦହିହେଉଅଛି । ଜୀବନ ଜୀବନ୍ତ ମରଣ ପରି ବୋଧ ହେଉଅଛି । ମରଣ ଜୀବନର ବନ୍ଧୁ; ମାତ୍ର ଜୀବନ୍ତ ମରଣ ପରି ଦୁଷ୍ଟ ଶତ୍ରୁ ଆଉ ନାହିଁ । ସେ ମାରେ ନାହିଁ -କଲବଲ କରେ । ସାହିତ୍ୟ ସେବା ମୋତେ ବଞ୍ଚାଇ ରଖିଥିଲା, ସେଥିରେ ଲାଗିଲେ ମୁଁ ସବୁ ଭୁଲିଯାଏ–ନିଜକୁ ବି ଭୁଲିଯାଏ; ମାତ୍ର ଏଣିକି ତାହା ଆଶାନୁରୂପ ହେଉ ନାହିଁ । ତହିଁକି ଶକ୍ତି ପାଉ ନାହିଁ, ଶକ୍ତି ବିରୁଦ୍ଧରେ ଯୁଦ୍ଧ କରି ଟାଣିଟୁଣି ହୋଇ ଯାହା କିଛି କରିବାକୁ ହେଉଅଛି–ସେଥିରେ ଆତ୍ମାତୃପ୍ତ ହେଉ ନାହିଁ । ଦିନକରେ ଯାହା ହେଉଥିଲା, ମାସକରେ ତାହା ହେଉ ନାହିଁ । ଆତ୍ମା କାନ୍ଦୁଛି; ମାତ୍ର ହୃତ ଶକ୍ତି ପାଉ ନାହିଁ । ନିଜର ଦେହ ନିଜକୁ ଭାରୀ ଲାଗୁଛି–ଘୃଣା ବି ଲାଗୁଛି, ଏହାଠାରୁ ଦୁର୍ଗତି ଆଉ କଅଣ ଅଛି ? ଏକା ମୋତେ ନୁହେ–ଶେଷକାଳକୁ ସମସ୍ତଙ୍କ ଭାଗ୍ୟରେ ଏହିପରି ଦୁର୍ଦ୍ଦଶା ଘଟେ, ତାହା ଅନିବାର୍ଯ୍ୟ–ଏହାହିଁ ମୋର ଆତ୍ମସାନ୍ତ୍ୱନା । ବିଶ୍ରାମ କରିବାକୁ ଇଚ୍ଛା ହେଉ ନାହିଁ, ବରଂ ବିରକ୍ତି ବୋଧ ହେଉଅଛି, ପୁଣି ପ୍ରକୃତି ରୁକ୍ଷ ହୋଇଉଠୁଅଛି । ସେଥିପାଇଁ କାଳେ କାହାର ଘୃଣାର ପାତ୍ର ହେବାକୁ ହେବ, ଏହି ଆଶଙ୍କା ସ୍ୱତଃ ମନରେ ଜାତ ହେଉଅଛି । ଏହିପରି ନ ତୀର ନ ନୀର ଅବସ୍ଥାରେ ପଡ଼ି ସେଥିରୁ ତ୍ରାହି ପାଇବା ସକାଶେ ଶେଷ ଜୀବନର ଲୋକେ ବାନପ୍ରସ୍ଥ ଅବଲମ୍ବନ କରୁଥିଲେ; ମାତ୍ର ଏଣିକି ବାନପ୍ରସ୍ଥ ଅଭିମାନଗ୍ରସ୍ତରେ ପରିଣତ ହେଲାଣି । ସର୍ବଦା ମହାନ୍‌ ପଦାର୍ଥ ଆଗରେ ନ ଦେଖିଲେ ଆତ୍ମତୁଳନା କରି ହୁଏ ନାହିଁ । ନିଜେ କେଡ଼େ କ୍ଷୁଦ୍ର, ଏହା ନ ଜାଣିଲେ କେହି ଧର୍ମସାଧନର ଅଧିକାରୀ ହୋଇପାରେ ନାହିଁ । ଭିତରେ ଗର୍ବ ଅଭିମାନ ପ୍ରଭୃତି ଗୁଡ଼ାଏ ଆବର୍ଜନା ପୂରାଇ ବାହାରେ ଧର୍ମସାଧନା କରିବା ଧର୍ମସାଧନା ନୁହେ–ତାହା ପ୍ରୌଢ଼ି ବାଦନା । ବନ ପର୍ବତ, ସମୁଦ୍ର ପ୍ରଭୃତି ମହା ପ୍ରକୃତିର ମହାଶକ୍ତି ଛଡ଼ା ଆଉ କେହି ମନୁଷ୍ୟର କ୍ଷୁଦ୍ରତା ବୁଝାଇଦେଇପାରେ ନାହିଁ । ତାହା ବିରାଟର ଆଦର୍ଶ । ସେହି ଆଦର୍ଶ ଦେଖିଲେ ମାନବର ଦର୍ପ ଆପେ ଆପେ ଚୂର୍ଣ୍ଣ ହୋଇଯାଏ-। ମନକୁ ଶାନ୍ତି, ପ୍ରୀତି, ସଂଯମ ଆଚ୍ଛନ୍ନ କରି ରଖେ । ମହାନ୍‌ର ଶକ୍ତି ମହାନ୍, ଇତରର ସେ ଶକ୍ତି କାହୁଁ ଆସିବ ? ମହାନ୍‌ ଏକା ମହାଶିକ୍ଷାର ଆଧାର, ସେହି ଶିକ୍ଷା ଲୋଭରେ ଯୋଗୀ ସନ୍ନ୍ୟାସୀମାନେ ବନପର୍ବତରେ ବା ସମୁଦ୍ର କୂଳରେ ବାସ କରନ୍ତି । ମୋର ସେ ସୌଭାଗ୍ୟ ବା କାହିଁ ? ସେ ଆଶା ମୋ ପକ୍ଷରେ ଧୃଷ୍ଟତା ।

 

ସଭାର ଗହଳି ଭାଙ୍ଗିଗଲା ପରେ ମୁଁ ବାହାରକୁ ଆସିଲି । ଉପସ୍ଥିତ ବନ୍ଧୁମାନଙ୍କ ସଙ୍ଗରେ କିଛିକ୍ଷଣ ଆଳାପ କରି ସମସ୍ତଙ୍କଠାରୁ ଶେଷ ବିଦାୟ ନେଇ ବସାକୁ ଆସିଲି । ସେଦିନ ଭାରୀ ଗ୍ରୀଷ୍ମ, ପବନର ସଞ୍ଚାର ଆଦୌ ଅନୁଭୂତ ହେଉ ନ ଥାଏ । ବୋଧହୁଏ ପବନ ଦେବତା ବି ଦାରୁଣ ଗ୍ରୀଷ୍ମରେ ଶିଥିଳାଙ୍ଗ ହୋଇପଡ଼ିଥିଲେ କିମ୍ବା ତାଙ୍କର ଡେଣା ଅବଶ, ଅକ୍ଷମ ହୋଇ ପଡ଼ିଥିଲା, ତାହା ସେହି ଜାଣନ୍ତି । ଦେବକୂଟ ମାୟା ମନୁଷ୍ୟ ବା କଅଣ ବୁଝିବ ? ସେଦିନ ଦୁଇପ୍ରହରଟାଯାକ ମୁଁ ଖରାରେ ଚକ୍ର ପରି ଘୂରି ବୁଲି ଥିଲି, ପୁଣି ରାତି ନଅଟା ଯାଏ ଲୋକାରଣ୍ୟ ଭିତରେ ରହିବାକୁ ହେଲା । ସେଭଳି ଅଭ୍ୟାସ ମୋର ନାହିଁ, ତାହା ବହୁକାଳରୁ ବିଦାୟ ନେଇଅଛି । ଅଭ୍ୟାସର ବିରୁଦ୍ଧରେ ଯାଇ ଅବସାଦକୁ ଆମନ୍ତ୍ରଣ କରିଥିଲି, ଏଥିରେ ଗ୍ରୀଷ୍ମ ଅଧିକ ବାଧିଲା ବୋଲି ତାହାର ଦୋଷ କଅଣ ? ବସାରେ ପହଞ୍ଚିଲା ବେଳକୁ ପାଚକଟି ସଚେଷ୍ଟ ଥିଲା ନାହିଁ । ସେ ବହୁ ପୂର୍ବରୁ ତାହାର କର୍ତ୍ତବ୍ୟ ଶେଷ କରି ନିଦ୍ରାଦେବୀଙ୍କ ପୀଠରେ ଅଧ୍ୟା ପଡ଼ିଥାଏ । କି ଅସ୍ପଷ୍ଟ ସ୍ତବସ୍ତୁତି ଉଚ୍ଚସ୍ୱରରେ ନାସିକାରେ ଆବୃତ୍ତ କରୁଥାଏ । ତାହା ନାକର ଭାଷା, କର୍ଣ୍ଣର ସେ ଭାଷା ବୁଝିବାର ଦକ୍ଷତା ବା ଶକ୍ତି ନାହିଁ । ତେତେବେଳେ ତ ନିଦ୍ରାଦେବୀ ଷୋଳକଳା ତାହା ପ୍ରତି ପ୍ରସନ୍ନ, ତଥାପି ସେ ଆଉ କି ବର ମାଗୁଥାଏ, ତାହା ସେହି ଜାଣେ । ଅତି କଷ୍ଟରେ ତାହାର ଧାରଣା ଭାଙ୍ଗିଲା । ସେ ନିଦ୍ରା ଦେବତାର ପୂଜାରୁ ଉଠି ଉଦର-ଦେବତାର ପୂଜାର ଆୟୋଜନରେ ଲାଗିଲା-। ଆମ୍ଭେମାନେ ବି ତାହାର ସହକର୍ମୀ ହେଲୁଁ । ଅନେକ ରାତି ଯାଏ ମୋତେ ନିଦ ହେଲା ନାହିଁ । ବାରଣ୍ଡାରେ ପଡ଼ି ଛଟ୍‍ପଟ୍ ହେଉଥାଏ । କେତେକ କ୍ଷଣ ପରେ ଚନ୍ଦ୍ରୋଦୟର ସଙ୍କେତ ଦେଖା ଗଲା; ପ୍ରାଚୀଦିଗ୍‌ବଧୂ ହସିଉଠିଲା । ଉଚ୍ଚବୃକ୍ଷ ଓ ସୌଧମାଳା ହୀରକମୁକୁଟରେ ଭୂଷିତ ହେଲେ । ଅନ୍ଧକାର ତାହାର ଯବନିକା ଫିଟାଇ ତଳକୁ ପିଙ୍ଗିଦେଲା । ସାରା ସୃଷ୍ଟି ଚୂନ ଜଳରେ ଧୌତ ହେଲା ପ୍ରାୟ ବୋଧହେଲା । ପବନ ରୁଦ୍ଧ, ଚନ୍ଦ୍ରକିରଣ ମୋତେ ଖରା ପରି ଲାଗୁଥାଏ । ତେତେବେଳଯାଏ ସହରର ଗହଳି ସମ୍ପୂର୍ଣ୍ଣ ଭାଙ୍ଗି ନଥାଏ । ଦୂରରୁ ଜନ-କୋଳାହଳ ଭାସି ଆସୁଥାଏ । ସହରର ଦିନରାତି ସମାନ, ଏହା କାଳ୍ପନିକ କଥା ନୁହେ । ଦୁଶ୍ଚିନ୍ତା ମୁଖର ହୃଦୟରୁ ବେଳେବେଳେ ବିବେକର ସତର୍କ ବାଣୀ ଉଠିଲା ପରି ପ୍ରହରୀର କୁହାଟ ଶୁଣାହେଉଥାଏ । ଦୁଇଟା ବାଜିଗଲା ପରେ ମୋତେ ଘଣ୍ଟାଏ ନିଦ୍ରା ହୋଇଗଲା । ଏତକ ପ୍ରକୃତିର ଦୟା । ଚିର ଅଭ୍ୟାସମତେ ତିନିଟାବେଳୁ ଉଠି ନିତ୍ୟ କର୍ମରେ ଲାଗିଲି । ଘଣ୍ଟାକ ନିଦ୍ରାରେ ସାରା ରାତ୍ରିର ଅନିଦ୍ରାର ଅବସାଦ ଦୂର ହୋଇଗଲା । ପ୍ରଭାତର ଅମୃତ ସ୍ପର୍ଶରେ ନବ ଜୀବନ, ନବ ଶକ୍ତି ଲାଭ ହେଲା ପ୍ରାୟ ବୋଧହେଲା । ସ୍ନାନ ପରେ ଶରୀର ମନ ଅଧିକ ସ୍ନିଗ୍‌ଧ, ଅଧିକ ଶୀତଳ ଜଣାଗଲା, ଭାରଭୂତ ଦେହ ଫୁଲ ପରି ଉଶ୍ୱାସ ହୋଇ ଆସିଲା । ପ୍ରଭାତ ମଧୁରକାଳ, ଚାରିଆଡ଼େ ମଧୁବୃଷ୍ଟି ହେଉଥାଏ-। ଦେବାଳୟର ଶଙ୍ଖ ଘଣ୍ଟାର ପବିତ୍ର ଶବ୍ଦ ମଧୁ ଉପରେ ମଧୁ ବୃଷ୍ଟି କରିବାକୁ ଲାଗିଲା । ସେ କାଳରେ ଦୁର୍ଦ୍ଦାନ୍ତର ରୁକ୍ଷ-କଠୋର-ଉଷ୍ଣ ସ୍ୱଭାବ ବି ମଧୁର ହୋଇଉଠେ । ସ୍ନାନ ପରେ କିଛିକ୍ଷଣ ଭାଗବତ୍‌ ଚିନ୍ତାରେ ଅତିବାହିତ ହେଲା । ବାହାରକୁ ଆସି ସୂର୍ଯ୍ୟ ଦେବଙ୍କୁ ପ୍ରଣାମ କରି ବାରଣ୍ଡାରେ ଯାଇ ବସିଲି । ଏହି ସମୟରେ ଶଶୀବାବୁ ତାଙ୍କର ନିତ୍ୟପୋଷ୍ୟ ଜନ୍ଦାପିମ୍ପୁଡ଼ିଙ୍କୁ ଭୋଗ ଦେଇସାରି ଆସି ଉପସ୍ଥିତ ହେଲେ; ଏଣୁ ତେଣୁ ଚାରିକଥା କହି ବିଜୁଳି ପରି ପୁଣି ଅନ୍ତର୍ଦ୍ଧାନ ହୋଇଗଲେ ।

 

ମାୟାବଦ୍ଧ ମନୁଷ୍ୟ ମାୟାକୁ ଛାୟା ପରି ସବୁବେଳେ ସଙ୍ଗରେ ଘେନି ବୁଲୁଥାଏ । ବାଟରେ ଯାଉଁ ଯାଉଁ ଗଛମୂଳରେ ମୁହୂର୍ତ୍ତେ ବସି ବିଶ୍ରାମ କଲେ ସ୍ଥାନ ପ୍ରତି ସୁଦ୍ଧା ତାହାର ଗୋଟାଏ ମାୟା ଜନ୍ମିଯାଏ । ଏହି ବସା ଘରଟିରେ ମୁଁ ଚାରିଦିନମାତ୍ର ରହିଅଛି, ଆଜି ଏହାକୁ ଛାଡ଼ି ଚାଲିଯିବାକୁ ହେବ ଏ କଥା ମନରେ ପଡ଼ିଲାକ୍ଷଣି ଗୋଟାଏ ଅଜ୍ଞାତ ବିଷାଦ ଆସି ମନକୁ ଅମାତ କରି ପକାଉଅଛି । ଅଳ୍ପ ସମୟର ତ ଏକଥା, ଦୀର୍ଘ ସଂସାର ପ୍ରବାସ ପରେ ସ୍ୱସ୍ଥାନକୁ ଯିବାବେଳେ ମନ ବ୍ୟାକୁଳ ନ ହେବ କାହିଁକି ? ମାୟା ଗୋଟାଏ କି ବିଚିତ୍ର ଅଦୃଶ୍ୟ ଅଠା, ସେ ହଠାତ୍‌ ଲାଗିଯାଇ ଏପରି କାମୁଡ଼ିଧରେ ଯେ, ସହସ୍ରଚେଷ୍ଟାରେ ଧୋଇ ଛଡ଼ାଇଲେ ସୁଦ୍ଧା ଛାଡ଼େ ନାହିଁ । ତାକୁ ଛଡ଼ାଇବାକୁ ଯେତେ ଯତ୍ନ କରାହୁଏ, ସେ ତେତେ କାମୁଡ଼ିଧରେ । ଏ ଘର ମୋର ନୁହେ, ଏହା ମୁଁ ଜାଣୁଛି, ଅଥଚ ଏ ଘର ପ୍ରତି ମୋର ଏତେ ମାୟା ! ଯହିଁରେ ମୋର ଅଧିକାର ନାହିଁ, ତାହା ପ୍ରତି ଏତେ ଆସକ୍ତି କାହିଁକି ? ପର ଦ୍ରବ୍ୟରେ ଏହି ଲାଲସା ପ୍ରବୃତ୍ତି ଦେଖି ହସମାଡ଼େ, ଲଜ୍ଜା ବି ହୁଏ–ନିଜର ଚରିତ୍ର ପ୍ରତି ଘୃଣା ବି ହୁଏ, ତଥାପି ତାହା ଛାଡ଼ିଯାଏ ନାହିଁ । ମାୟାର ଏ କି ଅଜୟ ପ୍ରଭାବ । ମନୁଷ୍ୟ ଏହି ବାଜେ ପଦାର୍ଥ ପ୍ରତି ଏତେ ମାୟା ପ୍ରକାଶ କରେ; ମାତ୍ର ପ୍ରତି ନିଃଶ୍ୱାସରେ ଯାହାଙ୍କର ଦୟା ଉପଲବ୍‌ଧି କରେ, ଯାହାଙ୍କ ଦୟାଋଣରେ ସେ ଜନ୍ମେ ଜନ୍ମେ ଋଣୀ, ଯାହାଙ୍କ ଦୟା ବିନା ମୁହୂର୍ତ୍ତେ ସୁଦ୍ଧା ବଞ୍ଚି ରହିପାରିବ ନାହିଁ, ସେହି ଅନନ୍ତ ଦୟାମୟ ଭଗବାନଙ୍କ ପ୍ରତି ସେ କେତେ ମାୟା ପ୍ରକାଶ କରେ ? ଦିନାନ୍ତରେ, ମାସାନ୍ତରେ ବା ବର୍ଷାନ୍ତରେ ସୁଦ୍ଧା ତାଙ୍କୁ ଥରେ ସ୍ମରଣ କରେ ନାହିଁ । ଭଗବାନ ଯେ ଅଦ୍ଭୁତ ସାହୁକାର, ତାହା ସେ ଭୁଲିଯାଏ । ସାହୁକାର ଖାତକକୁ ଋଣ ଦେଇ ମୂଳ କଳନ୍ତର ସହ ଆଦାୟ କରିନିଏ; କିନ୍ତୁ ଭଗବାନ ଋଣ ଆଦାୟ କରନ୍ତି ନାହିଁ, ଅଧିକନ୍ତୁ ସେ ଋଣର ସୁଧ ଓଲଟି ଖାତକକୁ ପ୍ରଦାନ କରନ୍ତି । ଯେପରିକି ସେ ଖାତକ, ତାଙ୍କ ସୃଷ୍ଟି ପାଳିତ ମନୁଷ୍ୟ ତାଙ୍କର ସାହୁକାର । ତାଙ୍କପ୍ରତି ମମତା ପ୍ରଦର୍ଶନ କରିବା ତେଣେ ଥାଉ, ତାଙ୍କର ଏ ମହାଦୟା ସୁଦ୍ଧା ମନୁଷ୍ୟ ଭୁଲିଯାଏ । ଏହାଠାରୁ ଆଶ୍ଚର୍ଯ୍ୟ ଆଉ କଅଣ ହୋଇପାରେ ? ମନୁଷ୍ୟର ପ୍ରକୃତି ଏହିପରି ଭୋଳା ମହେଶ୍ୱର । ଏହା ତାହାର ଭୁଲ ନୁହେ; ଦାରୁଣ ଦୁର୍ଗତିର ଚୁଡ଼ାନ୍ତ ନିଦର୍ଶନ । ‘ଅତିପରିଚୟାଦବଜ୍ଞା’ ଯାହା କହନ୍ତି, ଏହା ତାହାରି କଠୋର ଦୃଷ୍ଟାନ୍ତ । ଯେ ଜନ୍ମଦାତା, ପାଳନକର୍ତ୍ତା, ପୁଣି ବିପଦଦ୍ରାତା ହାୟ, ଅକୃତଜ୍ଞ ମାନବ ତାଙ୍କୁ ଭୁଲିଯାଏ । ତାହାର କୃତଘ୍ନତାର ସୀମା ନାହିଁ, ସେହିପରି ଭଗବାନଙ୍କର ଦୟାର ବି ସୀମା ନାହିଁ । ଅକୃତଜ୍ଞ ପ୍ରତି ତାଙ୍କର ଦୟା ଅଧିକ । ଏହି ହେତୁରୁ ସିନା ସେ ଜଗତର ନିରୀଶ୍ୱର ପ୍ରଭୁ, ସେ ସ୍ୱଗୁଣରେ ମହାନ୍‌, ମନୁଷ୍ୟ ସ୍ୱଦୋଷରେ କ୍ଷୁଦ୍ର, ଅତି ହେୟ, ନରକର କୀଟ । ଯେ ତାହାର କେହି ନୁହେ, ତାହା ପ୍ରତି ମମତା ପ୍ରଦର୍ଶନ କରେ, ଆଉ ଯେ ତାହାର ସର୍ବସ୍ୱ, ତାହା ପ୍ରତି ଉପେକ୍ଷା ପ୍ରକାଶ କରେ । ମନୁଷ୍ୟ ସାରଜୀବ ନା ଇତର ତୁଚ୍ଛ ଜୀବ, ତାହା ଆଉ ଖୋଲି କହିବାର ଆବଶ୍ୟକତା ନାହିଁ । ଥାଉ ସେ ଚର୍ଚ୍ଚା, ଦୁର୍ଗନ୍ଧ ପଙ୍କକୁ ଘାଣ୍ଟିଲେ ନିଜ ଉପରକୁ ଛିଡ଼ିକିବ ସିନା !

 

ପ୍ରାୟ ଆଠଟା ସମୟରେ ଶଶୀବାବୁ ଆସି ଖଣ୍ଡିଏ ଚିଠି ଦେଖାଇ କହିଲେ–‘‘ଅସ୍ପୃଶ୍ୟତା ସମ୍ବନ୍ଧରେ କଅଣ ପରାମର୍ଶ କରିବା ସକାଶେ କମିଶନର ସାହେବ ଏହି ଚିଠି ଲେଖି ମୋତେ ଡାକିଅଛନ୍ତି । ନଅଟାବେଳେ ଯାଇ ତାଙ୍କୁ ସାକ୍ଷାତ୍‌ କରିବାକୁ ହେବ । ଆପଣ ତ ଦଶଟା ପୂର୍ବରୁ ଷ୍ଟେସନକୁ ବାହାରିଯିବେ, ସୁତରାଂ ଆପଣଙ୍କ ସଙ୍ଗରେ ମୋର ଆଉ ସାକ୍ଷାତ୍‌ର ସମ୍ଭାବନା ନାହିଁ ।’’ ଏଣୁ ତେଣୁ ସାମାନ୍ୟ ଟିକିଏ କଥାବାର୍ତ୍ତା ପରେ ସେ ବିଦାୟ ନେଇ ଗଲେ । ତହିଁପରେ ବିଶ୍ୱନାଥ ବାବୁ ଆସି ସେହି କଥା କହିଲେ । ମୁଁ ବୁଝି ପାରିଲି–ମହାତ୍ମା ଗାନ୍ଧିଙ୍କ ଉପବାସବ୍ରତ ସମସ୍ତ ରାଜପୁରୁଷଙ୍କୁ ବ୍ୟସ୍ତତାରେ ପକାଇଅଛି । ସେଥିପାଇଁ କମିଶନର ସାହେବ ମହୋଦୟ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କର ଅସ୍ପୃଶ୍ୟତା ସମ୍ବନ୍ଧରେ ମତ ଲୋଡ଼ିଅଛନ୍ତି । ମୁଁ ବିଶ୍ୱନାଥ ବାବୁଙ୍କୁ ଖଣ୍ଡେଦୂର ବାଟେଇ ଦେଇ ଆସି ମନେ ମନେ କହିଲି–ଆଉ ସାକ୍ଷାତ୍‌ ନ ହେଲା ତ ନାହିଁ, ମନରେ ସାକ୍ଷାତ୍‌ ହେଉଥିଲେ ଯଥେଷ୍ଟ । ସେହି ସାକ୍ଷାତ୍‌ ହିଁ ପ୍ରକୃତ ସାକ୍ଷାତ୍‌ । ଚାକ୍ଷୁଷ ସାକ୍ଷାତ୍‌ର ସୁଯୋଗ ସବୁବେଳେ ସୁଲଭ ନୁହେ ସମ୍ଭବ ମଧ୍ୟ ନୁହେ; ମାତ୍ର ମନର ଗତି ଅବ୍ୟାହତ ସେ ଅକ୍ଳେଶରେ ବାର ପର୍ବତ, ତେର ସମୁଦ୍ର ପାର ହୋଇ ପ୍ରିୟଜନ ବା ପୂଜ୍ୟଜନଙ୍କୁ ସାକ୍ଷାତ୍‌ କରି ଆସେ । କବି ଯଥାର୍ଥ ଗାଇଅଛନ୍ତି–‘‘ଜିଣଇ ସହଜରେ ମନୁଷ୍ୟ ମତି, ପ୍ରଭଞ୍ଜନର ବେଗ ଆଲୋକ ଗତି ।’’ ସମସ୍ତଙ୍କର ମତି ଚଞ୍ଚଳ-ଗତିଚଞ୍ଚଳ-ଉକ୍ତି ଚଞ୍ଚଳ-ସବୁ ଚଞ୍ଚଳ ।

 

ଆଜି ବସାରେ ଗୋଟାଏ କ୍ଷିପ୍ରତା ଧାଇଁ ବୁଲୁଅଛି । କିଏ ଲୁଗାପଟା ବାନ୍ଧିବାରେ ବ୍ୟସ୍ତ କିଏ ଚଞ୍ଚଳ ରୋଷେଇର ବ୍ୟବସ୍ଥା କରୁଅଛି, କିଏ ବଜାର ସଉଦା କିଣିବା ପାଇଁ ବାରମ୍ବାର ଧାଉଁ ଅଛି । ଦେଖୁ ଦେଖୁ ନଅଟା ବାଜିଗଲା । ମୁଁ ଖାଇସାରି ଟିକିଏ ବିଶ୍ରାମ କରୁଅଛି, ଏହି ସମୟରେ ଭାରତ ସେବକ ସମିତିର ସୁଯୋଗ୍ୟ ସଦସ୍ୟ ଲକ୍ଷ୍ମୀନାରାୟଣ ସାହୁ ଆସି ପହଞ୍ଚିଲେ । ଏଥର ସାହିତ୍ୟ-ସମାଜର ବାର୍ଷିକ ଅଧିବେଶନବେଳେ ସେ ନ ଥିଲେ । ଓଡ଼ିଶା ଦେଶମିଶ୍ରଣସମ୍ବନ୍ଧୀୟ ଡେପୁଟେସନ ଗ୍ରହଣରେ ସେ ସିମଳା ଯାଇଥିଲେ; ବଡ଼ଲାଟଙ୍କ ସହ ସାକ୍ଷାତ୍‌ ଶେଷରେ ଫେରିଆସି ଆଜି କଟକରେ ପହଞ୍ଚିଲେ । ଘରକୁ ନ ଯାଇ ବାହାରେ ବାହାରେ ମୋତେ ଦେଖା କରିବାକୁ ଆସିଅଛନ୍ତି । ତାଙ୍କଠାରୁ ଦେଶମିଶ୍ରଣ ଓ ସ୍ୱତନ୍ତ୍ର ପ୍ରଦେଶ ସମ୍ବନ୍ଧରେ ବଡ଼ଲାଟଙ୍କର ଆଶାବାଣୀ ଶୁଣି ମନ ଅପୂର୍ବ ପୁଲକରେ ପୂର୍ଣ୍ଣ ହୋଇଗଲା । ଲକ୍ଷ୍ମୀନାରାୟଣ ବାବୁ ଧନୀ ନୁହନ୍ତି, ଶୂନ୍ୟହସ୍ତରେ ଦେଶ କାର୍ଯ୍ୟରେ ଯାଇଥିଲେ; କିନ୍ତୁ ବାଟରେ ଅଯାଚିତ ଭାବରେ ତାଙ୍କୁ ସାହାଯ୍ୟ ମିଳିଥିଲା । ସାଧୁ କାର୍ଯ୍ୟର ସହାୟ ଭଗବାନ - ଏ ଉକ୍ତିର ପ୍ରତ୍ୟେକ ବର୍ଣ୍ଣ ସଜୀବ ସତ୍ୟ । ମନ ସାଧୁ ଅନୁଷ୍ଠାନର ଜୀବନ, ମନ ଥିଲେ ଧନର ଅଭାବ ହୁଏ ନାହିଁ । ତାଙ୍କଠାରୁ ସବୁ ଶୁଣି ମନେ ମନେ କହିଲି-ଧନ୍ୟ ଲକ୍ଷ୍ମୀନାରାୟଣ, ଧନ୍ୟ ତୁମ୍ଭର ସାହସ ! ସତ୍‌ ସାହସ ବଳରେ ତୁମ୍ଭେ ବିନା ନୌକାରେ ସମୁଦ୍ର ଲଙ୍ଘିଯାଇପାର । ବାସ୍ତବରେ ମନସ୍ୱୀ ଓ ସାହସୀ ନିର୍ଦ୍ଧନ ଯାହା କରିପାରେ, ଅମନସ୍ୱୀ ନିଃସାହାସୀ କୋଟିପତି ତାହା କରିବାକୁ ଅକ୍ଷମ । ଲକ୍ଷ୍ମୀନାରାୟଣ ବାବୁ ଦେଶକାର୍ଯ୍ୟରେ ବିଜୁଳି ! ତାଙ୍କ ଭଳି ଆଦର୍ଶ ଦେଶକର୍ମୀ ଦେଶରେ ବିରଳ । ଆଜି ବାଲେଶ୍ୱରରେ ତ କାଲି ଗଞ୍ଜାମରେ, ପରଶ୍ୱଃ ସମ୍ବଲପୁରରେ । ଏହିପରି ଚକ୍ରବତ୍‌ ସେ ଭ୍ରମଣ କରୁଅଛନ୍ତି । ଦେଶୋନ୍ନତିର ଶାଖା-ପ୍ରଶାଖା ସବୁଆଡ଼େ ତାଙ୍କର ସମାନ ଦୃଷ୍ଟି । ସେ ଜଣେ ଆଦର୍ଶ ତ୍ୟାଗୀ ଓ ଆଦର୍ଶ ନିଃସ୍ୱାର୍ଥ । ଆଜି ପୁଣି ସେ ଖୋର୍ଦ୍ଧା ଯାଇ ସେଠାରେ ସାହିତ୍ୟ-ସମ୍ମିଳନୀ ବସାଇବେ । ଦୁଇଖଣ୍ଡ ହାତରେ ସେ ଶତହସ୍ତର କାର୍ଯ୍ୟ କରନ୍ତି । ଆଦର୍ଶ ଯୁବକ ଲକ୍ଷ୍ମୀନାରାୟଣ ଓଡ଼ିଆ ଜାତିର ଗର୍ବଗୌରବର କାରଣ, ଏହା ବୋଲିବା ଦ୍ୱିରୁକ୍ତିମାତ୍ର । କିଛିକ୍ଷଣ ପରେ ସେ ଉଠି ଘରକୁ ବାହାରିଲେ । ଆମ୍ଭେମାନେ ମଧ୍ୟ ରେଳଷ୍ଟେସନକୁ ବାହାରିଲୁଁ । ଗାଡ଼ି ଦାଣ୍ଡରେ ଠିଆହୋଇ ଆରୋହୀର ଅପେକ୍ଷାରେ ଥିଲା । ରଥୀର ଆସନ ପୂର୍ଣ୍ଣ ହେଲା, ରଥ ଚାଲିଲା । ଏହି ଚାରିଦିନ ମଧ୍ୟରେ ମୁଁ ଯେଉଁ ଆଡ଼କୁ ଯାଇଅଛି, ପ୍ରତିଥର ବିଭିନ୍ନ ପଥର ଆଶ୍ରୟ ନେଇଅଛି । ଦୁର୍ଭିକ୍ଷ ରାଜ୍ୟରେ ପ୍ରଜା ପରି ସଡ଼କମାନ ଖଣ୍ଡୋପଳ ଦନ୍ତ ବିସ୍ତାର କରି ରହିଅଛି । କେତେକ ସ୍ଥାନ ଏତେ ଅପରିଷ୍କୃତ ଯେ, ମଫସଲର ଇତର ଗ୍ରାମ ସୁଦ୍ଧା ତେତେ ଅପରିଷ୍କୃତ ନୁହେ । ନାକରେ ଲୁଗା ଗୁଞ୍ଜି ସୁଦ୍ଧା ନର୍ଦ୍ଦମାର ପୂତିଗନ୍ଧରୁ ତ୍ରାହି ମିଳେ ନାହିଁ । ବିଶେଷତଃ ଯେଉଁଠାରେ ମାରୁଆଡ଼ି ବସତି, ସେଠାରେ ଏ ଦୁର୍ଦ୍ଦଶା ବେଶୀ । ଅଧିବାସୀଙ୍କର ନାସିକା ଗନ୍ଧ ସହ ହୋଇଯାଇଅଛି । ଓଡ଼ିଶାର ରାଜଧାନୀରେ ମ୍ୟୁନିସିପାଲିଟିର ଏତାଦୃଶ ଶିଥିଳତା ସହନୀୟ ନୁହେ । କରଦାତାମାନେ କର ଦେଇ ସ୍ୱାସ୍ଥ୍ୟ ବଦଳରେ ଏହି ଜୀବନ୍ତ ନରକ ଭୋଗ କରୁଅଛନ୍ତି, ଏହା ସାମାନ୍ୟ ଆକ୍ଷେପର ବିଷୟ ନୁହେ । ସ୍ଥାନୀୟ ପତ୍ରପତ୍ରିକାରେ ଏ ବିଷୟରେ ପ୍ରବଳ ଆନ୍ଦୋଳନସତ୍ତ୍ୱେ କୁମ୍ଭକର୍ଣ୍ଣର ନିଦ୍ରା ଭଙ୍ଗ ହେବାକୁ ନାହିଁ । କଟକ ସହର ମହାକାଳ ଫଳ ପରି ଉପରେ ଚହଟ ଚିକ୍‌କଣ; ମାତ୍ର ଭିତରେ ପୋଡ଼ା ଅଙ୍ଗାର । ରାଜଦୃଷ୍ଟି ନ ପଡ଼ିବାଯାଏ ଏ ସହରର ଏ ଦୁର୍ଦ୍ଦଶା ଘୁଞ୍ଚିବ ନାହିଁ । ଆଲୁଅର ବ୍ୟବସ୍ଥା ମଧ୍ୟ ତତୋଽଧିକ ବିଚିତ୍ର । ଅନେକ ଗଳିରେ ଯେପରି ଦିଆହୁଏ, ଜୁଳୁଜୁଳିଆ ପୋକର ଆଲୋକ ବରଂ ତାହାଠାରୁ ଶ୍ରେୟସ୍କର-। କଟକର ମ୍ୟୁନିସିପାଲିଟିର ଦୁର୍ଦ୍ଦଶା ଲେଖି ବସିଲେ ଖଣ୍ଡିଏ ପ୍ରକାଣ୍ଡ ପୁସ୍ତକ ହେବ, ଏ ପ୍ରବନ୍ଧର ସଂକୀର୍ଣ୍ଣ ପରିସର ମଧ୍ୟରେ ସେଥିପାଇଁ ସ୍ଥାନାଭାବ । ଯଥାସମୟରେ ଷ୍ଟେସନରେ ପହଞ୍ଚି ଟିକଟ କାଟି ଗାଡ଼ିରେ ଚଢ଼ିବାକୁ ହେଲା । ରେଲ ପଥର ଦୃଶ୍ୟ ପୂର୍ବରୁ ବର୍ଣ୍ଣିତ ହୋଇଅଛି । ସେଥିର ପିଷ୍ଟପେଷଣ ଅନାବଶ୍ୟକ । ଏ ଥରର ମଧ୍ୟରେ ବିଶେଷତ୍ୱ ଏହି ଯେ, ପ୍ରତି ଷ୍ଟେସନରେ ଗାଡ଼ି ରହିବାମାତ୍ରେ ଗୋଟିଏ ବାଳକ ଓ ଗୋଟିଏ ବାଳିକା ଆସି ଗୀତ ଗାଇ ପଇସା ମାଗନ୍ତି । ବାଳକଟି ରୂପରେ ଯେପରି ଗନ୍ଧର୍ବ, ବାଳିକାଟି ମଧ୍ୟ ସେହିପରି ଅପ୍‌ସରା । ପେଟ ବାଳକର ବାଦ୍ୟ ଯନ୍ତ୍ର । ସେ ଖୁବ୍‌ ଜୋରରେ ପେଟରେ ଚାପଡ଼ା ମାରି ଗୀତ ଗାଏ । ମୁଁ ତାକୁ କହିଲି–ପେଟକୁ ଏତେ ଜୋରରେ ପିଟିଲେ ତୋର ପ୍ଳୀହା ଫାଟିଯିବ, ତୁ ଗାଲରେ ଚାପଡ଼ା ମାରି ହୋଇ ତାନ ମାନ ଠିକ୍‌ କର । ବାଳକଟି ପଇସାଟିଏ ଦକ୍ଷିଣା ନେଇ ହସି ହସି ଚାଲିଗଲା । ତାହାର ତ ଚିରଅଭ୍ୟାସ, ସେ ମୋ ଉପଦେଶକୁ ହାସ୍ୟ ନ କରିବ କାହିଁକି ? ଅଭ୍ୟାସଦ୍ୱାରା ଅସାଧ୍ୟ ସୁସାଧ୍ୟ ହୁଏ । ଅଭ୍ୟାସ ମନୁଷ୍ୟର ଦ୍ୱିତୀୟ ପ୍ରକୃତି ଏବଂ ଅଦ୍ୱିତୀୟ ଶକ୍ତି ।

Image